ପାଟଣା : ପାଟଣା ବ୍ଲକ ଚିନାମାଳିପଶି ପଞ୍ଚାୟତ ଛକଠାରୁ ମଲ୍ଲିପଶି ଜାତୀୟ ରାଜପଥକୁ ସଂଯୋଗ ହେଉଥିବା ଏହି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତା ଖାଲ ଢିପରେ ଭର୍ତ୍ତି ହୋଇଗଲାଣି । ଏହି ରାସ୍ତାରେ ପ୍ରତ୍ୟେକ ଦିନ ଶହ ଶହ ଲୋକ ପାଟଣା ବ୍ଲକ ମୁଖ୍ୟାଳୟକୁ ଯିବା ଆସିବା କରିଥାନ୍ତି। ଏହି ରାସ୍ତାଟି ବାରମ୍ବାର ଲକ୍ଷ ଲକ୍ଷ ଅର୍ଥ ବ୍ୟୟରେ ମରାମତି କରାଯାଉଥିଲେ ମଧ୍ୟ ୬ ମାସ ନଯାଉଣୁ ପିଚୁ ଉଠି ରାସ୍ତାର ବହୁ ସ୍ଥାନରେ ବଡ ବଡ ଖାଲ ସୃଷ୍ଟି ହେବା ଫଳରେ ଏହି ରାସ୍ତାରେ ଯାଉଥିବା ସାଇକେଲ,ମୋଟର ସାଇକେଲ ବହୁ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି । ଏମିତିକି ଡାକ୍ତରଖାନାକୁ ଆମ୍ବୁଲାନ୍ସରେ ରୋଗୀ ନେଲେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଆଉ ଗୋଟିଏ ପଟେ ଦେଖିବାକୁ ଗଲେ ଏହି ରାସ୍ତାଟି ଭୀମକୁଣ୍ଡ ଦେଇ ଠାକୁର ମୁଣ୍ଡାକୁ ସଂଯୋଗ ହୋଇଥିବାବେଳେ ଅନ୍ୟ ପଟରେ ଘଟଗାଁ ବ୍ଲକକୁ ସଂଯୋଗ ହୋଇଥାଏ । ରାସ୍ତାରେ ବହୁ ସ୍କୁଲ କଲେଜ ପିଲାମାନେ ଯିବା ଆସିବା କରିବା ସହ ବହୁ ଯାତ୍ରୀବାହୀ ବସ୍ ମଧ୍ୟ ଯିବା ଆସିବା କରିଲାଣି। ଏହି ସବୁ ଯାଗାକୁ ଯିବାକୁ ହେଲେ ରାସ୍ତାଟି ମୁଖ୍ୟ ରାସ୍ତା ପାଲଟିଛି । କିନ୍ତୁ ଦୁଃଖର ବିଷୟ ଗ୍ରାମ୍ୟ ଉନ୍ନୟନ ବିଭାଗର ଖାମଖିଆଲି ଏବଂ ମନୋମୁଖୀ କାର୍ଯ୍ୟ ଯୋଗୁଁ ଯାଉଥିବା ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ଏହି ରାସ୍ତାଟିରେ ସୃଷ୍ଟି ହୋଇଥିବା ବଡ ବଡ ଖାଲକୁ ଯଥାଶୀଘ୍ର ମରାମତି କରାଯିବାକୁ ଦାବି ହୋଇଛି।
Popular Categories



