www.samajalive.in
Saturday, December 6, 2025
19.1 C
Bhubaneswar

ଶ୍ରାବଣରେ ବର୍ଷା ଅଭାବ, ଚିନ୍ତାରେ ଚାଷୀ

ଆଠଗଡ : ଶ୍ରାବଣ ସରିବାକୁ ବସିଲାଣି, କିନ୍ତୁ ବୃଷ୍ଟିପାତ ହାର କମ ଯୋଗୁଁ ଆଠଗଡ ଅଞ୍ଚଳରେ ଚାଷ କାର୍ଯ୍ୟ ପ୍ରଭାବିତ ହେବା ଦ୍ବାରା ଚାଷୀକୂଳ ଏବେ ଆଶଙ୍କିତ ଅବସ୍ଥାରେ ରହିଛନ୍ତି । କେଉଁଠି ବିଲ ଫାଟି ଆଁ କରିଛି ତ କେଉଁଠି ଜମି ଅଧା ରୁଆ ହୋଇଛି । କ୍ଷୁଦ୍ର ଜଳସେଚନ କେନାଲରେ ଆସୁନି ପାଣି କି ଉଠା ଜଳସେଚନ ଥାଇ ବି ଚାଷୀ ଉପକୃତ ହୋଇପାରୁ ନାହାଁନ୍ତି  । ସମ୍ଭାବ୍ଯ ମରୁଡି ପରିସ୍ଥିତି ଓ ଅମଳ କମିବା ଆଶଙ୍କାରେ ଚାଷୀମାନେ ଏବେ ଚିନ୍ତାରେ ପଡିଛନ୍ତି । କ୍ଷୁଦ୍ର ଜଳସେଚନ ବିଭାଗ, ଉଠା ଜଳସେଚନ ଓ ରେଙ୍ଗାଲି ଦକ୍ଷିଣ କେନାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଜୋରନ୍ଦା ଓ ଅନ୍ଯାନ୍ଯ ପଞ୍ଚାୟତର ଚାଷୀ ସରକାରୀ କଳ ଉପରୁ ଭରଷା ତୁଟାଇ ଏବେ ଭଗବାନ ଶରଣକୁ ଯାଇ ପୂଜାର୍ଚ୍ଚନା ଆରମ୍ଭ କରିଦେଲେଣି । ଧାରା ଶ୍ରାବଣରେ ଲଗାଣ ବର୍ଷା ପରିବର୍ତ୍ତେ ମୁଣ୍ଡ ଫଟା ଖରା ହେଉଛି । ଆଠଗଡ ସମେତ ସମଗ୍ର କଟକ ଜିଲ୍ଲାରେ ଜୁଲାଇ ମାସର  ନିୟଣ୍ଟିଆ ବର୍ଷା ହୋଇଛି । ତେବେ ବୃଷ୍ଟିପାତ ହାର କମ ପାଇଁ ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ଯୋଗୁଁ ଆଠଗଡ ଅଞ୍ଚଳର ସମୁଦାୟ ଚାଷ ଜମିରୁ ମାତ୍ର ଏକ ତୃତୀୟାଂଶ ଜମିରେ ରୁଆ କାର୍ଯ୍ୟ ଶେଷ ହୋଇଛି । ବିଶେଷକରି ଜଳସେଚନ ଉପରେ ନିର୍ଭରଶୀଳ ଯୋରନ୍ଦା, କରିକୋଲ,  ତରଡିଙ୍ଗ ଅଞ୍ଚଳରେ କେନାଲରେ ତଳମୁଣ୍ଡ ପାଣି ଯାଉନି । କେନାଲ ସଫେଇ ନାଁରେ ପ୍ରତିବର୍ଷ ବହୁ ପରିମାଣର ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ କେନାଲରେ ପାଣି ଆସୁନି ।

ବାସ୍ତବରେ କେନାଲ ସଫେଇ ନାଁରେ ସରକାରୀ ଅର୍ଥ ବାଟମାରଣା ହେଉଛି ବୋଲି ସ୍ଥାନୀୟ ଅଞ୍ଚଳର ଚାଷୀ ଅଭିଯୋଗ କରୁଛନ୍ତି । ଅନ୍ୟ ପକ୍ଷରେ ବର୍ଷା ନହେବାରୁ ଅଧିକାଂଶ ସ୍ଥାନରେ ତଳି ପଡିଥିବା ବିଲ ଓ ରୁଆ ହୋଇଥିବା ଜମି ଫାଟି ଆଁ କଲାଣି । ସେହିପରି ଆଠଗଡ ବ୍ଲକର ବେଣ୍ଟପଦା ଗ୍ରାମ ପଞ୍ଚାୟତ ଅଧିନ ମାନପୁର ଅଞ୍ଚଳରେ  ଜଳସେଚନ ପାଇଁ କେନାଲ ରହିଥିଲେ ମଧ୍ୟ ତାହା ବର୍ଷ ବର୍ଷ ଧରି ସଫା ହେଉନି । ଫଳରେ କେନାଲରେ ପାଣି ଆସୁନି। ଲକ୍ଷ୍ମୀ ବନ୍ଧ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ ବାହାରିଥିବା କେନାଲଟି ବର୍ଷା ଦିନ ଆଗରୁ ସଫା ହେବା କଥା । କିନ୍ତୁ ଯେବେଠାରୁ ରେଙ୍ଗାଲି ଦକ୍ଷିଣ କେନାଲ ଅଧିନକୁ ଏହା ହସ୍ତାନ୍ତର ହେଲାଣି ସେବେଠାରୁ କେବେବି କେନାଲ ମରାମତି ହେବା ବା ସଫେଇ ହେବା କେହି ଦେଖିନାହାଁନ୍ତି । ରେଙ୍ଗାଲି ଦକ୍ଷିଣ କେନାଲ ବିଭାଗୀୟ ଅଧିକାରୀଙ୍କୁ ଭେଟି ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁନଥିବା ଚାଷୀ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଉଠା ଜଳସେଚନ ବିଭାଗ ପକ୍ଷରୁ ହୋଇଥିବା ଉଠା ସେଚନ ପ୍ରକଳ୍ପଟି ଠିକ୍ ଥିଲେ ମଧ୍ୟ ବିଦ୍ୟୁତ ସଂଯୋଗରେ ବାରମ୍ବାର ତ୍ରୁଟି ଦେଖାଦେଉଛି । ବିଦ୍ୟୁତ ବିଭାଗକୁ ଅଭିଯୋଗ କଲେ ମଧ୍ଯ ଆଜି ଯିବୁ କାଲି ଯିବୁ କହି ଆସୁନଥିବା ପର୍ଶୁରାମପୁରର ବୃନ୍ଦାବନ ସ୍ୱାଇଁ, ମାନପତ୍ରର ଚାଷୀ ଜମ୍ବେଶ୍ଵର ରାଉତ, ତ୍ରିନାଥ ଦଳାଇ, ଅରୂପ ମହାନ୍ତି, ବିଜୟ କୁମାର ବେଉରା ଓ ପ୍ରଫୁଲ୍ଲ ମଲ୍ଲିକ ପ୍ରମୁଖ ଚାଷୀମାନେ ଅଭିଯୋଗ କରିଛନ୍ତି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories