ଆଠଗଡ, ୧୫।୧୧: ଆଠଗଡ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଶନିବାର ସ୍ଥାନୀୟ ମହିଳା କଲେଜ ନିକଟସ୍ଥ ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ଆଠଗଡ ବ୍ଲକର ସମସ୍ତ ୩୪ଟି ପଞ୍ଚାୟତର ଶତାଧିକ ମତ୍ସ୍ୟ ଚାଷୀ, ମତ୍ସ୍ୟଜୀବୀ, ଗୋ-ଚାଷୀ, ଗୋପାଳକ ଯୋଗ ଦେଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ଯ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ସୁଶାନ୍ତ କୁମାର ନାୟକ, ମୁଖ୍ୟବକ୍ତା ରୂପେ ଜିଲ୍ଲା ମତ୍ସ୍ୟ ଉପନିର୍ଦ୍ଦେଶକ ବବିତା ମହନ୍ତ, ସମ୍ମାନିତ ଅତିଥି ଭାବେ ଆଠଗଡ ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତ, ଆଠଗଡ ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ବିଷ୍ଣୁପ୍ରସାଦ ଚୌଧୁରୀ, ବାଙ୍କୀ ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ଶିଶିର କୁମାର ସାହୁ, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ରଶ୍ମୀରଞ୍ଜନ ଦାସ ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ ।
ଚାଷୀମାନେ କିପରି ବୈଷୟିକ ଜ୍ଞାନକୌଶଳ ଉପଯୋଗ କରି ଉନ୍ନତ ମାନର ମତ୍ସ୍ୟ ଚାଷ ଓ ଗୋପାଳନ କରି ଉପକୃତ ହେବା ସହ ଆତ୍ମନିର୍ଭରଶୀଳ ହୋଇପାରିବେ ସେ ସମ୍ବନ୍ଧରେ ଅତିଥିମାନେ ବୁଝାଇଥିଲେ । ବ୍ଲକ ପ୍ରାଣୀ ଚିକିତ୍ସକ ଡାକ୍ତର ଅନ୍ତର୍ଯ୍ୟାମୀ ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଅତିଥିଗଣ ମତ୍ସ୍ୟଚାଷ, ଗୋ-ଚାଷ ଓ ଗୋପାଳନ ପ୍ରୋତ୍ସାହନ ନିମନ୍ତେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଦ୍ଵାରା ଉପଲବ୍ଧ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ମେଳାରେ ୧୨ ଷ୍ଟଲ ମାଧ୍ୟମରେ ଚାଷୀମାନଙ୍କୁ ଉନ୍ନତ ଜ୍ଞାନକୌଶଳ ଓ ସରକାରୀ ଯୋଜନା ସମ୍ବନ୍ଧିତ ସୂଚନା ପ୍ରଦାନ କରାଯାଇଥିଲା। ଏଥିସହିତ ଆଠଗଡ ବ୍ଲକର ସଫଳ ମତ୍ସ୍ୟ ଗୋ-ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ପାଲା ଓ ସଂକୀର୍ତ୍ତନ ମାଧ୍ୟମରେ ମଧ୍ୟ ଚାଷୀମାନଙ୍କୁ ସଚେତନ କରାଯାଇଥିଲା । ଆଠଗଡ ପ୍ରାଣୀ ଚିକିତ୍ସା ଓ ମତ୍ସ୍ୟ ଚାଷ ବିଭାଗୀୟ ସମସ୍ତ କର୍ମଚାରୀ ଏ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।



