ସମ୍ବଲପୁର: ଗତ ୧୦ ଫେବୃଆରୀ ୨୦୨୪ ମସିହା ସକାଳ ସମୟରେ ସମ୍ବଲପୁରର ଉପକଣ୍ଠସ୍ଥ ବଲବସପୁର ହୀରାକୁଦ ନଦୀବନ୍ଧର ଡାଇକ ତଳେ ଥିବା ରାସ୍ତା କଡରେ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିଥିଲା। ସେ ସମୟରେ ଘଟଣାସ୍ଥଳର ପାରିପାଶ୍ୱିକ ସ୍ଥିତିରୁ ମହିଳାଙ୍କୁ ହତ୍ୟା ପରେ ପୋଡି ଦେବାର ଚେଷ୍ଟା କରିଥିବାର ସନ୍ଦେହ ହୋଇଥିଲା। ସ୍ଥାନୀୟ ଲୋକଙ୍କ ଠାରୁ ଖବର ମିଳିବା ପରେ ଶାସନ ପୁଲିସ ଘଟଣାସ୍ଥଳକୁ ପହୁଞ୍ôଚ ଅଧିକ ତଦନ୍ତ ଆରମ୍ଭ କରିଥିଲା। ଏ ନେଇ ସେ ସମୟରେ ୩୧/୨୦୨୪ ମାମଲା ରୁଜୁ ଶାସନ ଥାନାରେ କରାଯାଇଥିଲା।
ତଦନ୍ତ ସମୟରେ ମିଳିଥିବା ମୃତ ମହିଳା ଜଣକ ହୀରାକୁଦର ଷ୍ଟୋର ଛକ ନିବାସୀ ଶଶି ପାଗଡ଼ (୫୫) ବୋଲି ଜଣାପଡ଼ିଥିଲା। ମୃତ ମହିଳା ଜଣକ ୯ ତାରିଖ ଅପରାହ୍ନରୁ ନିଖୋଜ ହୋଇ ଯାଇଥିବା ବେଳେ ତାର ପରଦିନ ତାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ବଲବସପୁର ହୀରାକୁଦ ନଦୀବନ୍ଧ ଡାଇକ ରାସ୍ତା କଡରେ ମିଳିଥିଲା। ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଥିବା ବେଳେ ସେ ସମୟରେ ଘଟଣାସ୍ଥଳରୁ ପୁଲିସ ଓ ସାଇନ୍ଟିଫିକ ଦଳ ଅଧା ପୋଡା ମୃତଦେହ, ସିଗାରେଟ ଖୋଳ, କପଡ଼ା, ମଦ ବୋତଲ, ଖାଦ୍ୟ, ପାଣି ବୋତଲ, ଚପଲ ଆଦି ବିଭିନ୍ନ ସାମଗ୍ରୀ ଜବତ କରି ତଦନ୍ତକୁ ଆଗକୁ ନେଇଥିଲା।
ଏହି ଘଟଣାକୁ ଇତି ମଧ୍ୟରେ ପ୍ରାୟ ଦେଢ଼ ବର୍ଷ ହୋଇ ଯାଇଥିବା ବେଳେ ପୁଲିସ ଏହାକୁ ସମାଧାନ କରି ପାରି ନ ଥିବାରୁ ବେଶ ସମାଲୋଚନାର ଶିକାର ହୋଇଥିଲା। ତେବେ ମଙ୍ଗଳବାର ଅପରାହ୍ନରେ ସମ୍ବଲପୁର ପୁଲିସ ଏହି ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ କରି ମହିଳା ଶଶି ପାଗଡ଼ଙ୍କ ହତ୍ୟାକାରୀ ରାମଚନ୍ଦ୍ର ଶାସନୀ (୪୧) ଙ୍କୁ ଗିରଫ କରିଥିବାର କହିଛି। ଏହି ମର୍ମରେ ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଆଇଜି ଓ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ ଏକ ସାମ୍ବାଦିକ ସମ୍ମିଳନୀ ଜିଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ କରି ଏହି ଘଟଣାର ସମ୍ପର୍କରେ ବିସ୍ତୃତ ସୁଚନା ଦେଇଛନ୍ତି। ଆଇଜି ଶ୍ରୀ ଲାଲ କହିଛନ୍ତି ଯେ, ତାଙ୍କର ଚାକିରୀ କାଳରେ ଏହା ଏକ ଗମ୍ଭୀର ମାମଲା ହୋଇଥିବା ବେଳେ ପ୍ରାଥମିକ ତଦନ୍ତ ସମୟରେ ସେଭଳି କୌଣସି ଠୋସ ସୁରାକ ପୁଲିସ ହାତରେ ନ ଥିଲା। କିନ୍ତୁ ସମ୍ବଲପୁର ପୁଲିସ ପକ୍ଷରୁ ଏହାକୁ ନିରନ୍ତର ଦେଢ଼ ବର୍ଷ ହେବ ବିଭିନ୍ନ ଟେକନିକାଲ, ପାରମ୍ପରିକ ତଦନ୍ତ ସମେତ ବିଭିନ୍ନ ଦିଗରୁ ଯାଞ୍ଚ କରାଯାଇଥିଲା ଏବଂ ଶେଷରେ ସଫଳତା ହାସଲ ହୋଇଛି ଏବଂ ଏହା ବିଭାଗ ପାଇଁ ପ୍ରେରଣା ଦାୟକ ମାମଲା ଅଟେ ବୋଲି ଆଇଜି ଶ୍ରୀ ଲାଲ କହିଛନ୍ତି।
ଘଟଣା ସମ୍ପର୍କରେ ଏସପି ଶ୍ରୀ ଭାମୁ କହିଛନ୍ତି ଯେ, ମୃତ ମହିଳା ବୁର୍ଲା ନିବାସୀ ତଥା ପେଶାରେ ଗାଡି ଚାଳକ ରାମଚନ୍ଦ୍ର ଶାସନୀଙ୍କୁ କିଛି ଟଙ୍କା ଧାର ଦେବା ପାଇଁ କହିଥିଲେ। ପୁର୍ବରୁ ମଧ୍ୟ ସେମାନଙ୍କ ମଧ୍ୟରେ ଟଙ୍କା ନେଣ ଦେଣ ଚାଲିଥିଲା। ନିଖୋଜ ହେବା ଦିନ ରାମଚନ୍ଦ୍ରଙ୍କ ହୀରାକୁଦ ସ୍ଥିତ କାଳି ମନ୍ଦିର ଛକ ଠାରେ ଭେଟି ଥିଲେ। ସେଠାରେ ତାଙ୍କ ନିକଟରେ ଟଙ୍କା ନ ଥିବା କହିବା ସହିତ ସେ ଟଙ୍କା ଯୋଗାଡ କରିଦେବେ ବୋଲି କହି ମହିଳାଙ୍କୁ ଏକ କଳା ରଙ୍ଗର ନମ୍ବର ବିହୀନ ବାଇକରେ ବସାଇ ସମ୍ବଲପୁର ପଟକୁ ନେଇଯାଇଥିଲେ। ଅଇଁଠାପାଲି ଛକ ଠାରେ ପହଂଚିବା ପରେ ସେ ମହିଳାଙ୍କୁ ସେଠାରେ ଏକ ଚା ଦୋକାନ ନିକଟରେ ଛାଡି ଦେଇ ଟଙ୍କା ଯୋଗାଡ କରି ଆସୁଛି କହି ଚାଲି ଯାଇଥିଲେ। କିଛି ସମୟରେ ପରେ ଫେରିବା ପରେ ମହିଳାଙ୍କୁ ବାଇକରେ ବସାଇ ଘଟଣାସ୍ଥଳକୁ ନେଇ ଯାଇଥିଲେ। ସେଠାରେ ମହିଳା ଜଣକ ରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟକୁ ସନ୍ଦେହ କରି ତାଙ୍କୁ ଏକ ଚାପୁଡା ମାରି ସେଠାରୁ ପଳାଇବାକୁ ଉଦ୍ୟମ କରିଥିବା ବେଳେ ଅଭିଯୁକ୍ତ ରାମଚନ୍ଦ୍ର ତାଙ୍କୁ ଧକ୍କା ଦେଇଥିଲେ। ଫଳରେ ମହିଳାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ଏବଂ ସେ ଏ ସମ୍ପର୍କରେ ପୁଲିସରେ ଅଭିଯୋଗ କରିବେ ବୋଲି କହିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ଧରିଥିବା ଏକ ଗାମୁଛାରେ ମହିଳାଙ୍କ ବେକକୁ ଭିଡି ଧରିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଏହା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ କିଛି ଦୁରକୁ ଯାଇ ସେଠାରେ ଥିବା ଏକ ମନ୍ଦିରରୁ ଦିଆସିଲି ନେବା ପରେ ତାଙ୍କର ବାଇକରୁ ଏକ ବୋତଲରେ ପେଟ୍ରୋଲ ବାହାର କରି ପୁଣି ଘଟଣାସ୍ଥଳକୁ ଆସିଥିଲେ ଏବଂ ମହିଳାଙ୍କ ମୃତଦେହକୁ ପେଟ୍ରୋଲ ଢ଼ାଳି ଜାଳି ଦେଇଥିଲେ। ଏହା ପରେ ତାଙ୍କର ରକ୍ତଲଗା ଜ୍ୟାକେଟକୁ ବୁର୍ଲା ବ୍ରିଜ ଠାରେ ମହାନଦୀରେ ଫିଙ୍ଗି ଦେଇଥିବା ବେଳେ ତାଙ୍କର ପ୍ୟାଣ୍ଟ ଓ ସାର୍ଟକୁ ପାୱାର ଚ୍ୟାନେଲରେ ଫିଙ୍ଗି ନଷ୍ଟ କରି ଦେଇଥିଲେ। ଏହି ଘଟଣାରେ ୩୦ରୁ ୪୦ ଜଣ ବ୍ୟକ୍ତିଙ୍କୁ ସନ୍ଦେହ ଆଧାରରେ ଜେରା, ଅତିରିକ୍ତ ନ୍ୟାୟିକ ବିବୃତ୍ତି, ଟେକନିକାଲ, ସାଇନ୍ଟିଫିକ ତଦନ୍ତ, ବହୁ ସୁଚନାଦାତା ଙ୍କ ଠାରୁ ସୁଚନା ସଂଗ୍ରହ ଆଦି କରାଯାଇ ହତ୍ୟାକାରୀକୁ ଧରାଯାଇଛି। ଏହି ଘଟଣାରେ ବ୍ୟବହୃତ ଗାମୁଛାକୁ ମଧ୍ୟ ଜବତ କରାଯାଇଛି ବୋଲି ଏସପି ଶ୍ରୀ ଭାମୁ କହିଛନ୍ତି। ଅଭିଯୁକ୍ତ ରାମଚନ୍ଦ୍ର ଶାସନୀକୁ ଆଜି ଗିରଫ କରି ଅଦାଲତକୁ ଚାଲାଣ କରାଯାଇଛି ବୋଲି ସମ୍ବଲପୁର ପୁଲିସ କହିଛି।
ଅପରପକ୍ଷରେ ଏହି ଘଟଣାରେ ରାଜନୈତିକ ଲିଙ୍କ ରହିଥିବାର ଚର୍ଚ୍ଚା ସମ୍ପର୍କରେ ଏସପି ଶ୍ରୀ ଭାମୁ କହିଛନ୍ତି ଯେ, ଏବେ ପର୍ଯ୍ୟନ୍ତ ଏହାର ସଂପୃକ୍ତି ମିଳି ନ ଥିବା ବେଳେ ଏହି ଘଟଣାର ତଦନ୍ତ ଜାରି ରହିଛି। ତଦନ୍ତ ସମୟରେ ଯଦି କିଛି ରାଜନୈତିକ ଲିଙ୍କ ବାହାରିବ, ତାହା ହେଲେ ଆଗାମୀ ଦିନରେ ସେ ଦିଗରେ ମଧ୍ୟ ତଦନ୍ତ କରାଯିବ। ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡ ପାଇଁ ଅଦାଲତରେ ପ୍ରାର୍ଥନା କରାଯିବ। ରିମାଣ୍ଡରେ ଆଣିବା ପରେ ଆହୁରୀ ତଦନ୍ତ କରାଯିବ ବୋଲି ଶ୍ରୀ ଭାମୁ କହିଛନ୍ତି।



