କୁଶଳେଶ୍ଵରରେ ହରିହର ମେଲଣ ଅନୁଷ୍ଠିତ

କେଶଦୁରାପାଳ: ଘସିପୁରା ବ୍ଲକ ଅନ୍ତର୍ଗତ କୁଶଳେଶ୍ଵରରେ ଦୋଳ ପାଇଁ ହରିହର ମେଲଣ ଅନୁଷ୍ଠିତ ହୋଇଯାଇଛି। ଏହା ସର୍ବପୁରାତନ ଦୋଳ ମେଲଣ। ମେଲଣରେ ପଡୋଶୀ ଜିଲ୍ଲା ଯାଜପୁର ଅଞ୍ଚଳ ସହ ଆଖପାଖଗ୍ରାମର ଲୋକମାନେ ଆସି ମେଲଣର ମଜା ନେଇଥାଆନ୍ତି। ଭକ୍ତର କାନ୍ଧରେ ଭାର ହୋଇ ଭଗବାନ ରାଧାକୃଷ୍ଣ ବେଶରେ ଆସିଥାନ୍ତି। ରାଧାକୃଷ୍ଣଙ୍କ ନୃତ୍ୟର ତାଳେ ତାଳେ ଘଣ୍ଟ ଘଣ୍ଟା, ଖୋଳ, ତାଳ ମୃଦଙ୍ଗର ତାଳେ ତାଳେ ଭକ୍ତଙ୍କ ମେଳରେ ପ୍ରକମ୍ପିତ ହୋଇଥିଲା ଦେଓଗାଁ ମନ୍ଦିର ଦାଣ୍ଡ। ବିମାନରେ ବିଜେ ରାଧାକୃଷ୍ଣଙ୍କୁ ସୁସଜିତ କରି ବିମାନଗୁଡିକୁ କିର୍ତ୍ତନ କରି କୁଶଳେଶ୍ବର ମନ୍ଦିର ସମ୍ମୁଖର ମେଲଣ ପଡିଆକୁ ଆଣାଯାଇଥିଲା। ଚାରିଆଡ଼େ ଉତ୍ସବ ମୁଖର ପରିବେଶ। ସ୍ନେହ, ଶ୍ରଦ୍ଧା, ଭକ୍ତି ଓ ଭାଇଚାରାର ଅନନ୍ୟ ନିଦର୍ଶନ ଦେଖିବାକୁ ମିଳେ ଏହି ଦେଓଗାଁ ହରିହର ମେଲଣରେ। ଏକ ବିରାଟ ପଟୁଆରରେ ଆସି ରାଧାକୃଷ୍ଣଙ୍କୁ ଭକ୍ତମାନେ ବନ୍ଦାପନା ସହ ପାଛୋଟି ନେଇଥାଏ ନିଜ ଘରକୁ। ଏହାପରେ ଭୋଗ ନୈବେଦ୍ୟ ଦେଇ ପ୍ରଭୂଙ୍କ ଆଶିଷ ଲାଭ କରିଥାଆନ୍ତି ଆବାଳ ବୃଦ୍ଧ ବନୀତା। ରାତିପାହି ସକାଳ ହୋଇଯାଏ ତଥାପି ସରେନା ମେଲଣ, ଭୋଗ, ଆଳତି, ଭଜନ, କୀର୍ତ୍ତନ, ଧୂପ-ଦୀପ ଘଣ୍ଟ-ଘଣ୍ଟା ଶବ୍ଦରେ ଫାଟିପଡେ ଦେଓଗାଁ କୁଶଳେଶ୍ବର ଶୈବ ପିଠ। ଏହି ମେଲଣରେ ଭକ୍ତମାନେ ଓ ଦର୍ଶକମାନେ ଭରପୁର ମଜା ନେଇଥାନ୍ତି। ଏହି ମେଲଣ ଦେଖିବାକୁ ପ୍ରବଳ ଜନସମାଗମ ହୋଇଥାଏ।

ପ୍ରତ୍ୟେକ ବ୍ୟକ୍ତିଙ୍କ ଘରେ ପୂଜା ପାଉଥିବା ରାଧାକୃଷ୍ଣଙ୍କୁ ଏହି ମେଲଣରେ ଶ୍ରଦ୍ଧାଳୁମାନେ ଦର୍ଶନ କରିଥାନ୍ତି। ବହୁବର୍ଷ ଧରି ଚାଲୁଥିବା ଏହି ମେଲଣରେ ୧୯ଟି ଗ୍ରାମକୁ ନିମନ୍ତ୍ରଣ ଦିଆଯାଇଥିବା ବେଳେ ଗ୍ରାମରୁ କୀର୍ତ୍ତନ ମଣ୍ଡଳୀ ଦ୍ଵାରା ରାଧାକୃଷ୍ଣଙ୍କୁ ବିମାନରେ ସୁସଜ୍ଜିତ କରି ଆଣିଥାନ୍ତି। ସେଗୁଡିକ ହେଲା ବସନ୍ତ ପୁରା, ତରିମୂଳ, କଣ୍ଟାରୋହୀ ପଦନପୁର, ଭଣ୍ଡାରିଡିହା, ଧାଉଁଡିଡିହା, ଆମ୍ଫୋର, କୋଚିଆନଣ୍ଡି, ହାତୀ ଶିଳା, ଦେଓଗାଁ, ଦୀପପାଳ’ ପ୍ରମୁଖ ଗ୍ରାମରୁ ଭକ୍ତ ଓ ଭଗବାନଙ୍କର ଭାବ-ମିଳନରେ ଜୀବନର ସବୁ ଦୁଃଖ, ଯନ୍ତ୍ରଣା ଭୁଲି ଯାଇଆନ୍ତି ଭକ୍ତିଭାବରେ। ଏହି ମେଲଣ ଆନନ୍ଦପୁର ଉପଜିଲ୍ଲାପାଳ ନିଲମାଧବ ସୁନାଙ୍କ ନିର୍ଦ୍ଦେଶରେ ନିର୍ବାହି ସହାୟକ ଉମାକାନ୍ତ ବେହେରାଙ୍କ ତତ୍ୱାବଧାନରେ ପ୍ରଦୀପ କୁମାର ପଣ୍ଡା, ଦେବେନ୍ଦ୍ର ଦାଶ, ପ୍ରେମାନନ୍ଦ ପାଣିଗ୍ରାହି, ଚିଉରଞ୍ଜନ ପତି ଜଗବନ୍ଧୁ ପଣ୍ଡାଙ୍କ ସହିତ କୁଶଲେଶ୍ବର ମନ୍ଦିର ସେବାୟତ ହେମନ୍ତ ଦାସ, ଧର୍ମାନନ୍ଦ ପତି, ହଳଧର ଆଚାର୍ଯ୍ୟ, ଶଙ୍କର୍ଷଣ ପଣ୍ଡା, ଗିରିଧାରୀ ଦାସ, ଆନନ୍ଦ ଚନ୍ଦ୍ର ପାଣିଗ୍ରାହି, ପ୍ରଶାନ୍ତ ପଣ୍ଡା, ବଳରାମ ପାଣିଗ୍ରାହି ପ୍ରମୁଖ ସଂପୂର୍ଣ୍ଣ ସହଯୋଗ କରିଥିଲେ।

Comments are closed.