ଗୁରୁଡ଼ିଝାଟିଆ: ଭଗୁଆ ନିକଟବର୍ତ୍ତି କୃଷ୍ଣପୁର ଗାଁ ଜଙ୍ଗଲରୁ ଦୁଇ ଜଣଙ୍କ ଗଳିତ ଶବ ଉଦ୍ଧାର ଘଟଣାକୁ ଗୁରୁଡ଼ିଝାଟିଆ ପୁଲିସ ଗୁରୁତ୍ୱର ସହିତ ନେଇ ଜୋରଦାର ତନାଘନା ଆରମ୍ଭ କରିଛି। ଯଦିଓ ମୃତ ଯୁବକ ଯୁବତୀଙ୍କ ପ୍ରକୃତ ଠିକଣା ମିଳିନାହିଁ ତଥାପି କେଉଁଆଡୁ କେଉଁ ଉଦ୍ଦେଶ୍ୟରେ ଏହି ଜଙ୍ଗଲକୁ ମୃତ୍ୟୁସ୍ଥଳ ଭାବରେ ବାଛିଲେ ତା ଉପରେ ପୁଲିସ ତଦନ୍ତ ଆରମ୍ଭ କରିଦେଇଛନ୍ତି। କେଉଁଥିରେ ସେମାନେ ଏଠାକୁ ଆସିଲେ ବା ଏଥିରେ ଆଉକିଏ ସଂପୃକ୍ତ ଅଛନ୍ତି ସେ ଦିଗକୁ ନେଇ ପୁଲିସ ଅନୁଧ୍ୟାନ କରୁଅଛି।
ଗତକାଲି ଜଙ୍ଗଲ ଭିତରୁ ଗୁରୁଡ଼ିଝାଟିଆ ପୁଲିସ ଦୁଇଜଣଙ୍କ ମୃତଦେହକୁ ଠାବ କରିବା ସହ ଜବତ କରି ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ମୃତ ଶବଦ୍ୱୟ ନିକଟରେ ମଦ ବୋତଲ, ୨ଟି କିପ୍ୟାଡ ଛୋଟ ମୋବାଇଲ ଫୋନ୍, କିଟନାଶକ ବୋତଲ ପୁଲିସ ଜବତ କରିଥିଲା। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ। ମୃତ ଯୁବକ ଯୁବତୀଙ୍କ ବୟସ ୩୦ ରୁ ୩୫ ବର୍ଷ ହେବ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିବା ବେଳେ ସେମାନେ ପ୍ରେମୀଯୁଗଳ ବୋଲି ଅନୁମାନ କରୁଛି। ସବୁଠାରୁ ବଡକଥା କଣ ପାଇଁ ଉଭୟ ଯୁବକ ଯୁବତୀ ଗୁରୁଡ଼ିଝାଟିଆ ଅଞ୍ଚଳର ଜଙ୍ଗଲ ଅଞ୍ଚଳକୁ ମୃତ୍ୟୁର ସ୍ଥଳ ବାଛିଲେ ଓ ଏ ସ୍ଥାନଟିକୁ ଦେଖିଲେ କିପରି? ଏହି ମୃତ୍ୟୁରେ ଅନ୍ୟ କାହାର ହାତ ନାହିଁତ ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି।



