କେନ୍ଦୁଝର ପ୍ରସିଦ୍ଧ କାଳୀପୂଜା, ବିଭିନ୍ନ ପୂଜାମଣ୍ଡପ ବୁଲି ମା’ଙ୍କ ଆଶିର୍ବାଦ ଲୋଡିଲେ ମୁଖ୍ୟମନ୍ତ୍ରୀ
କେନ୍ଦୁଝରଗଡ଼: କେନ୍ଦୁଝରର ପ୍ରସିଦ୍ଧ କାଳୀପୂଜା ଗୁରୁବାର ବିଳମ୍ବିତ ରାତିରୁ ଯଥାରୀତି ଆରମ୍ଭ ହୋଇଛି। ଦୀର୍ଘ ୧୨ ଦିନବ୍ୟାପୀ ଏହି ମହୋତ୍ସବକୁ ମନଭରି ଉପଭୋଗ କରିବା ପାଇଁ ଜିଲାବାସୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ଅନୁକୂଳ ପାଗ ସାଙ୍ଗକୁ ମୀନାବଜାର, ବାଣିଜ୍ୟମେଳା, ଖାଦ୍ୟମେଳା ଆୟୋଜନ ଭକ୍ତ ଓ ଦର୍ଶକଙ୍କ ମନରେ ପୂଜା ଆରମ୍ଭରୁ ପୂଜାବଜାରକୁ ବେଶ୍ ସରଗରମ କରିଛି। କେନ୍ଦୁଝର ପ୍ରସିଦ୍ଧ କାଳୀପୂଜା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଠାରୁ ଦୁଇଦିନିଆ କେନ୍ଦୁଝର ଗସ୍ତରେ ଥିବାବେଳେ ଶୁକ୍ରବାର ଶ୍ରୀ ମାଝୀ ଅପରାହ୍ନରେ କେନ୍ଦୁଝର ସହରର ମାଧପୁରସ୍ଥିତ ମା’କାଳୀଙ୍କ ଶକ୍ତିପୀଠ, କାଳୀପଡ଼ିଆସ୍ଥିତ କାଳୀତୀର୍ଥ ଓ ଟେଲିଫୋନ ଏକ୍ସଚେଞ୍ଚଛକ ମା’ କାଳୀପୂଜା କମିଟି ପକ୍ଷରୁ ଆୟୋଜିତ ବିଭିନ୍ନ ପୂଜାମଣ୍ଡପ ବୁଲି ମା’ଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ।
ମାଧପୁରସ୍ଥିତ ମା’କାଳୀ ଓ କେନ୍ଦୁଝର ସହର ଉପକଣ୍ଠ ସରାସସ୍ଥିତ ମା’କାଳୀଙ୍କ ଶକ୍ତି ପୀଠ ସମେତ କାଳୀପଡ଼ିଆସ୍ଥିତ କାଳୀତୀର୍ଥ ପୂଜା କମିଟି ପକ୍ଷରୁ ଆୟୋଜିତ କାଳୀପୂଜା, ଟେଲିଫୋନ ଏକ୍ସଚେଞ୍ଜ ସମ୍ମୁଖ ମା’ କାଳୀପୂଜା କମିଟି, କାଶୀପୁର ଶ୍ମଶାନକାଳୀ, ମାଇନିଂରୋଡସ୍ଥିତ ମାଇନିଂ ବଜାର କାଳୀପୂଜା କମିଟି ପକ୍ଷରୁ ୪ଟି ପୂଜାମଣ୍ଡପରେ ଏହି ପୂଜା ବେଶ୍ ଧୁମଧାମ୍ରେ ଆରମ୍ଭ ହୋଇଛି। ତେବେ ସହରର ୪ ପ୍ରମୁଖ ପୂଜାମଣ୍ଡପର ସୁଦୃଶ୍ୟ ତୋରଣ ଓ ମା’ଙ୍କ ମୃଣ୍ମୟ ପ୍ରତିମୂର୍ତ୍ତି ସାଙ୍ଗକୁ ଆଲୋକ ସାଜସଜ୍ଜାରେ କେନ୍ଦୁଝର ସହର ବେଶ୍ ଝଲସୁଛି। ନଗରଭବନ ସମ୍ମୁଖ କାଳୀତୀର୍ଥ କମିଟି ଚଳିତବର୍ଷ ୮୪ବର୍ଷରେ ପଦାର୍ପଣ କରିଥିବା ବେଳେ ମୀନାବଜାର ସାଙ୍ଗକୁ ୧ରୁ ୫ତାରିଖ ପର୍ଯ୍ୟନ୍ତ ୫ ଦିନବ୍ୟାପୀ ‘ଯାତ୍ରା ସ୍ୱପ୍ନମହଲ’ ୬ରୁ ୮ ତାରିଖ ୩ ଦିନ ଧରି ‘ଗୌରୀ ଗଣନାଟ୍ୟ’ ଏବଂ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ୫ ଦିନବ୍ୟାପୀ ‘ଯାତ୍ରା ରଙ୍ଗମହଲ’ ପ୍ରଦର୍ଶନ ପୂଜାତ୍ସୋବକୁ ଅଧିକ ଚଳଚଞ୍ଚଳ କରିଛି।
ଟେଲିଫୋନ ଏକ୍ସଚେଞ୍ଜ ସମ୍ମୁଖସ୍ଥ ମା’କାଳୀ ପୂଜା କମିଟି ଚଳିତବର୍ଷ ୫୬ବର୍ଷରେ ପଦାର୍ପଣ କରିଛି। କମିଟି ପକ୍ଷରୁ ପ୍ରତିବର୍ଷ ଭଳି ଏଥର ମଧ୍ୟ ଲଟେରୀ ଉଠାଣ, ମୀନାବଜାର ଓ ଫେସନବଜାର, ହସ୍ତକଳା ଓ ହସ୍ତଶିଳ୍ପ ସାମଗ୍ରୀର ଷ୍ଟଲ ସମେତ କେନ୍ଦୁଝର ସମେତ ରାଜ୍ୟର ବିଭିନ୍ନସ୍ଥାନରୁ ଆସିଥିବା ହୋଟେଲ ବ୍ୟବସାୟୀଙ୍କ ପକ୍ଷରୁ ଖାଦ୍ୟମେଳାର ଆୟୋଜନ ପୂଜାବଜାରକୁ ଅଧିକ ଉତ୍ସବମୁଖର କରିଛି। କାଶୀପୁର ଶ୍ମଶାନ କାଳୀପୂଜା ଚଳିତବର୍ଷ ୩୭ବର୍ଷରେ ପଦାର୍ପଣ କରିଥିବା ବେଳେ ପ୍ରତିବର୍ଷ ଭଳି ସୁଊଚ୍ଚ ତୋରଣ ସାଙ୍ଗକୁ କାଶୀପୁର ଠାରୁ ମଣ୍ଡୁଆ ପର୍ଯ୍ୟନ୍ତ ରାସ୍ତାର ଉଭୟପାର୍ଶ୍ବକୁ ବିଭିନ୍ନ ଆଲୋକମାଳାରେ ସାଜସଜ୍ଜା ଭକ୍ତଙ୍କୁ ବେଶ୍ ଆକୃଷ୍ଟ କରିଛି। ମାଇନିଂରୋଡସ୍ଥିତ ମାଇନିଂ ବଜାର କାଳୀପୂଜା କମିଟି ପକ୍ଷରୁ ଚଳିତଥର ମା’ଙ୍କ ଏହି ପୂଜାତ୍ସୋବ ଷଷ୍ଠବର୍ଷରେ ପହଞ୍ଚିଛି। କେନ୍ଦୁଝରର ଏହି ପ୍ରସିଦ୍ଧ କାଳୀପୂଜା ଉପଲକ୍ଷେ ଜେଲରୋଡ ଠାରେ ଚଳିତମାସ ୩ରୁ ନଭେମ୍ବର ୧୭ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୫ଦିନବ୍ୟାପୀ ବୟନିକା ପକ୍ଷରୁ ୭୫ଟି ଷ୍ଟଲରେ ହସ୍ତତନ୍ତ ଶିଳ୍ପ ପ୍ରଦର୍ଶନୀ ଓ ବିକ୍ରୟ ମେଳା ଆୟୋଜନ କେନ୍ଦୁଝର ପୂଜା ବଜାରକୁ ଅଧିକ ସରଗରମ କରିଛି।
ଆସନ୍ତା ୬ ତାରିଖରେ ମାଇନିଂରୋଡସ୍ଥିତ ମାଇନିଂ ବଜାର କାଳୀପୂଜା, ୧୦ରେ କାଶୀପୁର ଶ୍ମଶାନକାଳୀ, ୧୧ରେ ଟେଲିଫୋନ ଏକ୍ସଚେଞ୍ଜଛକ ଓ ୧୨ ତାରିଖରେ କାଳୀପଡ଼ିଆସ୍ଥିତ କାଳୀତୀର୍ଥ ମା’କାଳୀ ପୂଜାକମିଟି ପକ୍ଷରୁ ଭସାଣ ଉତ୍ସବ ମହାସମାରୋହରେ ପାଳନ ହେବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଦୀର୍ଘ ୧୨ଦିନବ୍ୟାପୀ ଅନୁଷ୍ଠିତ ଏହି ମେଳାକୁ ଶାନ୍ତିଶୃଙ୍ଖଳାର ସହ ପାଳନ ପାଇଁ ପୂଜା କମିଟି ପକ୍ଷରୁ ନିବେଦନ କରାଯାଇଥିବା ବେଳେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।
Comments are closed.