ଭିକାରି ବେଶରେ ଶିକାରୀ – ଚିନ୍ତା ବଢ଼ାଉଛି ପ୍ରବାସୀ ଭିକ୍ଷୁକ

ରେଙ୍ଗାଲିକ୍ୟାମ୍ପ: ସାମ୍ପ୍ରତିକ ଅତାବିରା ଅଞ୍ଚଳରେ ପ୍ରବାସୀ ଭିକ୍ଷୁକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ  ଲାଗିଛି। ଯାହା ଜନସାଧାରଣଙ୍କ ଚିନ୍ତାର ବିଷୟ ହୋଇଛି। କାରଣ ଏମାନଙ୍କର ଭିକ ମାଗିବା ଶୈଳୀ ଅଲଗା। ସାଧାରଣତଃ ଭିକ୍ଷା ମାଗିବା ବା ଭିକ୍ଷା ବୃତ୍ତି କରିବା କୌଣସି ଲଜ୍ଜାଜନକ କାମ ନୁହେଁ। ହେଲେ ପରିତାପର ବିଷୟ ଯେ ଏହି ଭିକାରୀମାନେ ସବୁ ବାହ୍ୟ ରାଜ୍ୟରୁ ଆସିଛନ୍ତି। ନାବାଳକ, ନାବାଳିକାଙ୍କ ଠାରୁ ଆରମ୍ଭ କରି ବୟସ୍କ ପୁରୁଷ ଓ ମହିଳା ମାନେ ଭିନ୍ନ ଭିନ୍ନ ରୂପରେ ବିଭିନ୍ନ ଆଳ ଦେଖାଇ ଭିକ୍ଷା ବୃତ୍ତି କରୁଛନ୍ତି। କିଏ ଛୋଟ ଶିଶୁକୁ କାଖେଇ ବୁଲୁଛି ତ ଆଉ କିଏ ଫଟା ଦଦରା ଲୁଗା ପନ୍ଧି ଭିକ ମାଗୁଛି। ଜାତୀୟ ରାଜପଥ (୫୩)ର ଗୋଡଭଗା, ଅତାବିରା, ରେଙ୍ଗାଲିକେମ୍ପ ବସଷ୍ଟାଣ୍ଡ ଛକ ସହିତ ବିଭିନ୍ନ ଦୋକାନ, ବଜାର, ହୋଟେଲ,ବ୍ୟାଙ୍କ ଓ ଶିକ୍ଷାନୁଷ୍ଠାନ ସମ୍ମୁଖରେ ଛିଡା ହୋଇ ଯାତ୍ରୀ, ଛାତ୍ରଛାତ୍ରୀ ତଥା ଖାଉଟି ମାନଙ୍କୁ ଟଙ୍କା ପଇସା ମାଗିବା ରେ ଅତିଷ୍ଠ କରି ପକାଉଛନ୍ତି। ଏପରିକି ଯାତ୍ରୀବାହୀ ବସ ଅଟକିବା ମାତ୍ରେ ବିପଦାପନ୍ନ ଜାତୀୟ ରାଜପଥ ଉପରେ ଛିଡା ହୋଇ ବସର ଏ ମୁଣ୍ଡରୁ ସେ ମୁଣ୍ଡ ପର୍ଯ୍ୟନ୍ତ ହାତ ପାତି ରହୁଛନ୍ତି। ଫଳରେ ଛାତ୍ରଛାତ୍ରୀ, ଖାଉଟି, ଯାତ୍ରୀ ଓ ହିତାଧିକାରୀ ମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇ ପଡୁଛନ୍ତି। ସ୍ଥାନେ ସ୍ଥାନେ ୨ରୁ ୩ ଜଣ ଭିକାରୀ ଜଣେ ଯାତ୍ରୀଙ୍କୁ ଘେରି ପକାଉଛନ୍ତି। ଟଙ୍କା ନଦେବା ପର୍ଯ୍ୟନ୍ତ ପିଛା ଛାଡୁ ନାହାଁନ୍ତି। କିଛି କଲେଜ ଛାତ୍ରଛାତ୍ରୀ ଓ ଯାତ୍ରୀମାନେ ଏହି ମାନଙ୍କୁ ଟଙ୍କା ପଇସା ଦେବାକୁ ବାଧ୍ୟ ହୋଇ ପଡୁଛନ୍ତି। ଏହି ନିର୍ଦ୍ଦିଷ୍ଟ ସ୍ଥାନ ଗୁଡ଼ିକରେ ଏହି ଭିକାରୀମାନେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବୁଲାବୁଲି କରି ମାଗୁଥିବାର ଦେଖାଯାଏ। ସାମ୍ପ୍ରତିକ  ମୋବାଇଲ ମାନଙ୍କରେ ତଥା ବିଭିନ୍ନ ସୋସିଆଲ ମିଡିଆରେ ଅନେକ ପ୍ରକାର ଖବର ମାନ ବାହାରୁଛି ଭିକ୍ଷୁକ ମାନଙ୍କ ବିଷୟରେ। କିଏ ଦିନରେ ଭିକ୍ଷା କରି ରାତିରେ ଚୋରି କରିବା କଥା, ଆଉ କିଏ ଭିକ୍ଷୁକ ବେଶରେ ରହି କେଉଁଠି ଛୁଆ ମାନଙ୍କୁ ଚୋରି କରି ଚାଲାଣ କରିବା ଆଦି  ଘଟଣା ଗୁଡ଼ିକ ବିଷୟରେ ଲୋକେ ପଢୁଛନ୍ତି ଓ ଶୁଣୁଛନ୍ତି, ଯାହା ଏହି  ଭିକ୍ଷୁକ ମାନଙ୍କୁ ଦେଖି ଅନେକ ଲୋକ ଭୟଭୀତ ମଧ୍ୟ ହେଉଛନ୍ତି । ଦିନକୁ ଦିନ ନୂଆଁ  ନୂଆଁ ଭିକାରୀ ମାନଙ୍କୁ ଦେଖି ଲୋକେ ଦ୍ବିଧାରେ ପଡ଼ୁଛନ୍ତି, ପ୍ରକୃତରେ ସେ ଭିକ୍ଷୁକ କି ନୁହେଁ । ଅନ୍ୟ ପକ୍ଷରେ କିଛି ଭଣ୍ଡ  ଭିକ୍ଷୁକ ମାନଙ୍କ ଯୋଗୁଁ ଅନ୍ୟ ମାନେ/ ପ୍ରକୃତ ଭିକ୍ଷୁକ ସେଥିରେ ଚାପି ହୋଇ ଯାଉଛନ୍ତି। ତେଣୁ ବିଭାଗୀୟ ଅଧିକାରୀ ଏହାକୁ ଦୃଷ୍ଟି ଦେଇ ନାବାଳକ ନାବାଳିକା ମାନଙ୍କୁ ଭିକ୍ଷା ବୃତ୍ତିରୁ ନିବୃତ୍ତ କରି ଅଧ୍ୟୟନ କରାଇବା ଦିଗରେ ପଦକ୍ଷେପ ଗ୍ରହଣ କରିବା ଓ ଅନୁପ୍ରବେଶକାରୀ ପ୍ରବାସୀ ଭିକ୍ଷୁକଙ୍କ ପ୍ରତି ବିହିତ ପଦକ୍ଷେପ ନେବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।

Comments are closed.