www.samajalive.in
Sunday, December 7, 2025
16.1 C
Bhubaneswar

ରଥାଋଢ଼ ଶ୍ରୀଜୀଉଙ୍କୁ ଦେଖି ଭକ୍ତ ବିଭୋର

କେନ୍ଦୁଝରଗଡ: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପବିତ୍ର ଘୋଷଯାତ୍ରା ରବିବାର ଶାନ୍ତିଶୃଙ୍ଖଳାର ସହ ଆରମ୍ଭ ହୋଇଛି । ଦୀର୍ଘ ୫୨ବର୍ଷ ପରେ ମହାପ୍ରଭୁଙ୍କ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ବେଶ ସାଙ୍ଗକୁ ରାଥାଋଢ଼ ତିନିଠାକୁରଙ୍କୁ ଏକସଙ୍ଗେ ଦେଖି ଭକ୍ତ ବେଶ୍‌ ବିଭୋର ହୋଇ ପଡିଥିବା ଦେଖିବାକୁ ମିଳିଛି। ରୀତିନୀତି ଅନୁଯାୟୀ ରବିବାର ସକାଳେ ତିନି ଠାକୁରଙ୍କୁ ପୂଜାର୍ଚ୍ଚନା ପରେ ନେତ୍ରୋତ୍ସବ ଓ ନବଯୌବନ ବେଶ ଦର୍ଶନ ଦେବାପରେ ଅପରାହ୍ନ ୪ଟା ୩.ମି.ରେ ପହଣ୍ଡି ଆରମ୍ଭ ହୋଇ ୫ଟା ୩୦ମି.ରେ ଶେଷ ହୋଇଥିଲା। ପହଣ୍ଡି ଶେଷ ହେବା ପରେ ତିନି ଠାକୁର ସନ୍ଧ୍ୟା ୬ଟା ସୁଦ୍ଧା ରଥାଋଢ଼ ହେବାପରେ ଚାରମାଳ ଖୋଲା ଯାଇଥିଲା। ଏହି ପବିତ୍ର ରଥଯାତ୍ରାରେ ବିଶ୍ୱର ସର୍ବବୃହତ୍‌ ଗୋଟିଏ ରଥରେ ରଥାଋଢ଼ ତିନିଠାକୁରଙ୍କୁ ଦର୍ଶନ ପାଇଁ ଜିଲାର କୋଣ ଅନୁକୋଣରୁ ଭକ୍ତଙ୍କ ସୁଅ ଛୁଟିଥିଲା। ରାଜ ପୁରୋହିତ ପ୍ରସନ୍ନ ନନ୍ଦ, ବଡପଣ୍ଡା ରାଜକିଶୋର ପଣ୍ଡା ଓ ବ୍ରହ୍ମା ଗଙ୍ଗାଧର ମିଶ୍ରଙ୍କ ଉପସ୍ଥିତିରେ କେନ୍ଦୁଝର ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓ ରଥ ଉପରେ ଛେରାପହଁରା କାର୍ଯ୍ୟ ସମ୍ପନ୍ନ କରିବା ପରେ ସନ୍ଧ୍ୟା ୭ଟାରେ ଘଣ୍ଟବାଦ୍ୟ, ଶଙ୍ଖ, ହୁଳହୁଳି ଓ ହରିବୋଲ ସହ ଜୟ ଜଗନ୍ନାଥ ଧ୍ୱନିରେ ରଥଟଣା ଆରମ୍ଭ ହୋଇଥିଲା। ତେବେ ସନ୍ଧ୍ୟା ସମୟରେ ରଥଟଣା ବିପଦମୁକ୍ତ ନଥିବାରୁ କିଛି ବାଟ ପରେ ରଥଟଣାକୁ ବନ୍ଦ ରଖାଯାଇଥିବା ବେଳେ ସୋମବାର ପୁଣିଥରେ ରଥଟଣା ଆରମ୍ଭ ହୋଇ ସନ୍ଧ୍ୟାରେ ମାଉସୀ ମା’ ମନ୍ଦିର ନିକଟରେ ରଥ ପହଞ୍ଚିବ ବୋଲି ଜଣାପଡିଛି। ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ସତ୍ତ୍ୱେ ଜୟ ଜଗନ୍ନାଥ ଧ୍ୱନିରେ ହଜାର ହଜାର ଭକ୍ତ ବିଶ୍ୱର ସର୍ବୋଚ୍ଚ ରଥ ‘ନନ୍ଦିଘୋଷ’କୁ ଟାଣିବା ଦୃଶ୍ୟ ଖୁବ୍‌ ନିଆରା ଥିଲା। ବଡଦାଣ୍ଡରେ ରଥଟଣା ସମୟରେ ଭକ୍ତ ଓ ଭଗବାନ ସତେ ଯେମିତି ଏକାକାର ହୋଇଯାଇଥିଲେ।

ଦେବୋତ୍ତର ବିଭାଗ ଅଧିକାରୀ ତଥା ଭାରପ୍ରାପ୍ତ କେନ୍ଦୁଝର ଉପଜିଲାପାଳ ସୌମ୍ୟସାର୍ଥକ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ରଥଯାତ୍ରା କିପରି ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହେବ ସେ ନେଇ ଜିଲାସ୍ତରୀୟ ବିଭାଗୀୟ ଅଧିକାରୀବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ। କେନ୍ଦୁଝରଗଡ ନଗରପାଳ ନିକୁ ସାହୁ, ଜିଲାପାଳ ବିଶାଲ ସିଂହ, ଡିଏଫଓ ଧନରାଜ ଏଚ.ଡି, ଅତିରିକ୍ତ ଯଦୁମଣି ମହଲା, ପୁର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ ସନ୍ତୋଷ କୁମାର ବେହେରା, କେନ୍ଦୁଝରଗଡ ପୌରପାଳିକା ନିର୍ବାହୀ ଅଧିକାରୀ ବସନ୍ତ କୁମାର ସେଠୀ ପ୍ରମୁଖ ଉପସ୍ଥିତ ରହି ରଥ ଟାଣିଥିଲେ। ଜିଲା ସୂଚନା ଓ ଲୋକ ସମ୍ପର୍କ ସାର୍ଥକ ଅଭିନନ୍ଦନ ରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଧ୍ୟାପକ ସୁଧା ଦାଶଙ୍କ ସଂଯୋଜନାରେ ନିରଞ୍ଜନ ବାରିକ, ଇନ୍ଦୁମତୀ ପାତ୍ର, ଗିତାଞ୍ଜଳୀ ପାତ୍ର, ମନ୍ଦାକିନୀ କର ପ୍ରମୁଖ ଭକ୍ତଙ୍କୁ ଜଗନ୍ନାଥ ତତ୍ତ୍ୱ ଓ ସଂସ୍କୃତି ବିଷୟରେ ପବିତ୍ର ଘୋଷଯାତ୍ରାର ପ୍ରତ୍ୟକ୍ଷ ଧାରାବିବରଣୀ ପ୍ରଦାନ କରିଥିଲେ। ରଥଯାତ୍ରାର ପ୍ରଥମ ସନ୍ଧ୍ୟାରେ ବଡଦାଣ୍ଡ ଘୁଙ୍ଗୁରୁ କ୍ଲବ ମଣ୍ଡପରେ ବରୁଣେଶ୍ୱର ନୃତ୍ୟ ସଙ୍ଗୀତ ଅନୁଷ୍ଠାନ ଓ ବୀଣାପାଣି କଳା ନିକେତନ ଶାଳପଡା ପକ୍ଷରୁ ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଭକ୍ତଙ୍କୁ ବେଶ୍‌ ଆକୃଷ୍ଟ କରିଥିଲା।

- Advertisement -

ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆରକ୍ଷୀ ନୀରିକ୍ଷକ ମାନସ ରଞ୍ଜନ ବେହେରା, ସଦର ଏସ୍‌ଡିପିଓ ମହେନ୍ଦ୍ରନାଥ ମୁର୍ମୁଙ୍କ ସମେତ ୫ଜଣ ଡିଏସ୍‌ପି, ୮ଜଣ ଇନ୍ସପେକ୍ଟର, ୧୮ଜଣ ସବ୍‌ଇନ୍ସପେକ୍ଟର ଓ ୨୦ଜଣ ଏଏସ୍‌ଆଇଙ୍କ ସମେତ ୨୦ପ୍ଲାଟୁନ ଫୋର୍ସ ମୁତୟନ ସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଇଲେଭେନ୍‌ ବୁଲେଟ୍‌ କ୍ଲବ, ୟଙ୍ଗ ଜିନିୟସ୍‌ କ୍ଲବ ଓ କେନ୍ଦୁଝର ଯାନ୍ତ୍ରୀକ ବିଦ୍ୟାଳୟ ଡିମ୍ବୋ ପକ୍ଷରୁ ବଡଦାଣ୍ଡରେ ହଜାର ହଜାର ଭକ୍ତଙ୍କୁ ମାଗଣାରେ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା। ପବିତ୍ର ରଥଯାତ୍ରା ଉପଲକ୍ଷେ ରବିବାର ସନ୍ଧ୍ୟାରୁ ଆସନ୍ତା ୧୭ତାରିଖ ସୁନାବେଶ ପର୍ଯ୍ୟନ୍ତ ବଡଦାଣ୍ଡରେ ପ୍ରତି ସନ୍ଧ୍ୟାରେ ୧୧ ଦିନବ୍ୟାପୀ ଜିଲା ପ୍ରଶାସନ ଓ ଦେବୋତ୍ତର ବିଭାଗ ପକ୍ଷରୁ ସ୍ଥାନୀୟ ତଥା ଜିଲା ବାହାରର କଳାକାରଙ୍କୁ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କେନ୍ଦୁଝର ଶ୍ରୀ ରାୟ ଜଣାଇଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories