ନଷ୍ଟ ହେବାକୁ ବସିଲାଣି ପୌରାଣିକ ଓ ଐତିହାସିକ କୀର୍ତ୍ତିରାଜିର ସ୍ମୃତି ବହନ କରୁଥିବା ‘ବଧୀ କୁଦ’
ଚୌଦ୍ୱାର: କଟକ ଜିଲ୍ଲାର ଚୌଦ୍ୱାର ମାଟି ଏବେବି ପୁରାଣ ଠାରୁ ଆରମ୍ଭ କରି ଇତିହାସ ପର୍ଯ୍ୟନ୍ତ ଅନେକ କଥା କହେ। ପୁରାଣ ବର୍ଣ୍ଣିତ ଦ୍ୱାପର ଯୁଗର କଥା ଠାରୁ ଆରମ୍ଭ କରି ବୈଦ୍ଧ ଧର୍ମର ବହୁ ଲୋକକଥା ବଖାଣେ ଚୌଦ୍ୱାରର ଇତିହାସ। ପୌରାଣିକ ଲୋକକଥା, ଏ÷ତିହାସିକ ଭିତ୍ତିଭୂମି ତଥା ପ୍ରତ୍ନତାତ୍ୱିକ ଭଗ୍ନାବଶେଷକୁ ନେଇ ପ୍ରସିଦ୍ଧ ଚୌଦ୍ୱାରସ୍ଥିତ ଏହି ବଧୀ କୁଦ। ଓଟିଏମ୍ ହାଇସ୍କୁଲ, ଚୌଦ୍ୱାର ସର୍କଲଜେଲ, ବଧୀ ମଠ ଏବଂ ହାଉସିଂବୋର୍ଡ ମଧ୍ୟସ୍ଥଳ ବିସ୍ତିର୍ଣ୍ଣ ପଡ଼ିଆ ମଧ୍ୟ ଭାଗରେ ଚୌଦ୍ୱାର ଐତିହ୍ୟର ମୁକସାଖି ଭାବେ କେଉଁ କାଳରୁ ରହିଛି ଏହି କୁଦ। କୁଦର ଐତିହ୍ୟ, ଲୋକ କଥା ଓ ଏହାର ପ୍ରତିଷ୍ଠା ସମ୍ପର୍କରେ ବିଭିନ୍ନ ସମୟରେ ବ୍ୟାପକ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଥାଏ। ବିଭିନ୍ନ ପତ୍ର ପତ୍ରିକାରେ ଏ ସମ୍ପର୍କିତ ସମ୍ବାଦ ଅନେକ ବାର ପ୍ରକାଶିତ ହେବା ପରେ ଭାରତର ପତ୍ନତାତ୍ୱିକ ସର୍ଭେକ୍ଷର ସଂସ୍ଥା ତରଫରୁ ଏହି କୁଦର ଖନନ କରାଯାଇଥିଲା।
ଖନନ କାର୍ଯ୍ୟ ସମ୍ପନ୍ନ ହେବା ପରେ ଏହାର ଏକ ସୁଦୃଶ୍ୟ ନୂଆ କଳେବର ପଦାକୁ ଆସିଲା। କୁଦର ନବ ରୂପଟି ଏକ ବୌଦ୍ଧ ଧର୍ମର ସମାଧୀ ଓ ପ୍ରାର୍ଥନା ସ୍ଥଳ ବୋଲି ସର୍ଭେକ୍ଷଣ ବିଭାଗର କର୍ମକର୍ତ୍ତା ମାନେ ଜାଣିବାକୁ ପାଇଥିଲେ। ବିଭାଗ ତରଫରୁ ଏହି କୁଦର ସୁରକ୍ଷା ବ୍ୟବସ୍ଥା କରାଯିବା ସହିତ ଏହା ଚତୁର୍ପାଶ୍ୱରେ ସୁଦୃଶ୍ୟ ସବୁଜ ଉଦ୍ୟାନ ପ୍ରତିଷ୍ଠା କରାଯାଇ ଏହାକୁ ଏକ ପର୍ଯ୍ୟଟନସ୍ଥଳି ଘୋଷଣା କରାଗଲା। ହେଲେ ପ୍ରଶାସନିକ ଅବହେଳା ଓ ଇଚ୍ଛାଶକ୍ତିର ଅଭାବ ହେତୁ ଉକ୍ତ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳିଟି ଏବେ ଅବହେଳିତ ହୋଇ ପଡ଼ିଛି। ଏହା ଚତୁର୍ପାଶ୍ୱରେ କରା ଯାଇଥିବା ତାର ବାଡ଼ ଭାଙ୍ଗିରୁଜି ଯାଇ କୁଦ ପରିସର ବୁଲା ଗୋରୁ ଗାଈଙ୍କ ଆଶ୍ରୟସ୍ଥଳ ପାଲଟିଲାଣି। କୁ଼ୁଦରେ ଆଲୋକ ବ୍ୟବସ୍ଥା ନଥିବାରୁ ସଞ୍ଜ ପରେ ଏହି ସ୍ଥାନଟି ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟି ଯାଇଛି। କୁଦ ପରିସରରେ ପ୍ରତିଷ୍ଠା କରାଯାଇଥିବା ସବୁଜ ଉଦ୍ୟାନଟି ଗ୍ରୀଷ୍ମ ଋତୁରେ ପାଣି ଅଭାବରୁ ମରୁଭୂମିରେ ପରିଣତ ହୋଇ ଯାଉଛି। କୁଦ ଓ ଏଥି ସଂଲଗ୍ନ ସବୁଜ ଉଦ୍ୟାନରେ ଦିନ ତମାମ ଯୁବବର୍ଗ, ଛାତ୍ରଛାତ୍ରୀ, ପର୍ଯ୍ୟଟକ ତଥା ଶିଶୁ ମାନଙ୍କ କୋଳାହଳରେ ଭରି ରହୁଥିବାବେଳେ ସଂଜ ନଇଁଲେ ସ୍ଥାନଟି ନିକାଞ୍ଚନ ହୋଇ ପଡ଼ୁଛି। ଅନ୍ଧାରର ସୁଯୋଗ ନେଇ ଅସାମାଜିକ ମାନେ ଏଠାରେ ନିଶାପାନ କରିବା ସହିତ ନାନା ଅସାମାଜିକ କାର୍ଯ୍ୟ କରୁଥିବା ନିତିଦିନିଆ ଘଟଣା ହେଲାଣି।ଏହି ପର୍ଯ୍ୟଟନସ୍ଥଳିଟିର ରକ୍ଷଣାବେକ୍ଷଣ ତଥା ସୁରକ୍ଷା ପାଇଁ କୌଣସି କର୍ମଚାରୀ କିମ୍ବା ଜଗୁଆଳି ଏଯାବତ୍ ନିଯୁକ୍ତି ପାଇ ନଥିବାରୁ କୁଦଟି ରକ୍ଷଣା ବେକ୍ଷଣ ଅଭାବରୁ ଦିନକୁ ଦିନ ନଷ୍ଟ ହେବାରେ ଲାଗିଲାଣି।ଏହି ପର୍ଯ୍ୟଟନସ୍ଥଳିର ସୁରକ୍ଷା ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ପୌରପରିଷଦ, ସ୍ଥାନୀୟ କାଉନସିଲର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଓ ସ୍ଥାନୀୟ ବହୁ ନାଗରିକ କଟକ ସାଂସଦ ଏବଂ ଭୁବନେଶ୍ୱରସ୍ଥିତ ପ୍ରତ୍ନତତ୍ୱ ସଭେକ୍ଷଣ ସଂସ୍ଥା କତ୍ତୃପକ୍ଷଙ୍କୁ ଅବଗତ କରାଇବା ସହିତ କୁଦରେ ଆଲୋକ ବ୍ୟବସ୍ଥା, ଜଳ ଯୋଗାଣ ବ୍ୟବସ୍ଥା, ସିକୃୁରିଟି ଓ ମାଳି ନିଯୁକ୍ତି ତଥା କୁଦ ଚତୁର୍ପାଶ୍ୱରେ ପାଚେରୀ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଏସବୁ ପାଇଁ ପଦକ୍ଷେପ ନେବାକୁ ସେମାନେ ପ୍ରତିଶ୍ରୁତି ଦେଇଥିଲେହେଁ ଏଯାବତ୍ ତାହା କାର୍ଯ୍ୟକାରୀ ହୋଇ ପାରିନଥିବା ସ୍ଥାନୀୟ ଲେକେ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ ଯେ ପୁରାଣ, ଲୋକକଥା ଓ ଐତିହାସିକ ତଥ୍ୟକୁ ନେଇ ଏହି ପୁରାତନ କୁଦଟି ସମୃଦ୍ଧି ଲାଭ କରିଛି। ଲୋକ କଥା ଅନୁସାରେ ପୁରାଣ ବର୍ଣ୍ଣିତ ବିରାଟ ରାଜା ବିରାଟ କଟକ ଅଞ୍ଚଳରେ ଶାସନ କରୁଥିଲେ। ଏହି ବିରାଟ କଟକର ଅଂଶ (ଚୌଦ୍ୱାର)ରେ ତାଙ୍କର ରାଜଧାନୀ ଥିଲା। ଭୀମ ଓ ବିରାଟଙ୍କ ଶାଳକ କିଚକଙ୍କ ଯୁଦ୍ଧ ଏହି ସ୍ଥାନରେ ହୋଇଥିଲା ଏବଂ ଏହି ଠାରେ ମହାବଳୀ ଭୀମ କିଚକଙ୍କୁ ବଧ କରିଥିବାରୁ ଏହି ସ୍ଥାନର ନାମ ବଧୀ କୁଦଭାବେ ପରିଚିତ। ବିସ୍ତିର୍ଣ୍ଣ ପଡ଼ିଆ ମଧ୍ୟ ଭାଗରେ ପ୍ରାୟ ୧୦ ଏକରରୁ ଉର୍ଦ୍ଧ ସ୍ଥାନରେ ରହିଛି ଏହି ଐତିହାସିକ କୁଦ।ଚୌଦ୍ୱାରରେ ବିଭିନ୍ନ କଳ କାରଖାନା ପ୍ରତିଷ୍ଠା ହେବା ଓ ଚୌଦ୍ୱାର ସହର ଗଢ଼ି ଉଠିବା ପରେ ଏହି କୁଦର ମହତ୍ୱ ବଢ଼଼ିବାରେ ଲାଗିଲା।ବର୍ଷା ହେଲେ କୁଦ ରୁ ଗଡ଼଼ି ଆସୁଥିବା ପାଣିରେ ଛୋଟଛୋଟ ସୁନା କଣିକା ଭାସି ଆସୁଥିବା ଓ ସ୍ଥାନୀୟ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ବାସିନ୍ଦା ମନେ ସେଠାକୁ ଯାଇ ଏହି ସୁନା ଖୋଜୁଥବା ଓ ପାଉଥିବା ଏବର କିଛି ପୁରୁଖା ପ୍ରତ୍ୟକ୍ଷଦର୍ଶୀ ଲୋକ କହନ୍ତି।
କୁଦର ସ୍ଥିତି: ଶକ୍ତ ମାଙ୍କଡ଼ା ପଥରରେ ନିର୍ମିର୍ତ ବର୍ଗାକୃତିର ଏହି କୁଦରେ ମୋଟ ୩ଟି ସ୍ତର ରହିଛି।ବାହ୍ୟ ସ୍ତରରେ କୁଦର ଚାରି ପାଖରେ ୭ ଫୁଟ ଓସାରର ଏକ ପ୍ରଦକ୍ଷଣମାର୍ଗ ରହିଛି। ମଝି ସ୍ତରରେ (ପ୍ରଥମ ସ୍ତରର ୭ ଫୁଟ ତଳେ) ଏକ ପ୍ରଦକ୍ଷଣ ମାର୍ଗ ମୁଖ୍ୟ ସ୍ଥଳକୁ ଘେରି ରହିଛି। କୁଦର ମଧ୍ୟ ଭାଗରେ ଏକ ପଥରର ବର୍ଗାକୃତି ମଣ୍ଡପ ରହିଛି।ଏସବୁକୁ ଅନୁଧ୍ୟାନ କରି ଏହାକୁ ଏକ ବୌଦ୍ଧ ସମାଧୀ ଓ ଧର୍ମ ବାଣୀ ପ୍ରଚାର ସ୍ଥଳ ଭାବେ ବିବେଚନା କରାଯାଉଛି।
ପୌରାଣିକ ମତ: ପୌରାଣିକ କଥା ମତେ ବୁଦ୍ଧଦେବଙ୍କ ମୃତ୍ୟୁପରେ ତାଙ୍କର ଶିଷ୍ୟ ଓ ଭକ୍ତ ମାନେ ତାଙ୍କ ଶରୀରର ବିଭିନ୍ନ ଅଂଗ (ଦାନ୍ତ, ଚୁଟି, ନଖ ତଥା ଅନ୍ୟାନ୍ୟ ଅଂଶକୁ ବିଭିନ୍ନ ସ୍ଥାନରେ ସମାଧିସ୍ଥ କରିବା ସହିତ ଏହାକୁ ଏକ ପବିତ୍ର କ୍ଷେତ୍ର ଭାବେ ପୂଜା କରୁଥିଲେ। ଏହି ସ୍ଥାନରେ ଶିଷ୍ୟମାନେ ସ୍ଥାନୀୟ ଲୋକ ମାନଙ୍କୁ ବୁଦ୍ଧଦେବଙ୍କ ବାଣୀ ଶୁଣାଇବା ସହିତ ବୌଦ୍ଧ ଧର୍ମରେ ଦିକ୍ଷିତ କରୁଥିଲେ।ଲୋକାଚାର ମତେ ବୁଦ୍ଧଦେବଙ୍କ ଶରୀରର ବିଭିନ୍ନ ଅଂଶକୁ ସମାଧିସ୍ଥ କରାଯିବା ସ୍ଥାନରେ ତାଙ୍କର ଆତ୍ମା ନିବାସ କରୁଥିବା ବିଶ୍ୱାସ ରଖି ଜଣେ ଲୋକ ଚଳିବା ପାଇଁ ଦରକାର ହେଉଥିବା ସମସ୍ତ ସାମଗ୍ରୀ ଉକ୍ତ ସମାଧୀ ସ୍ଥଳରେ ପୋତା ଯାଉଥିଲା। ପ୍ରତି ସକାଳେ ଓ ସଂଧ୍ୟାରେ ଭକ୍ତ ମାନେ ବାହାର ପ୍ରଦକ୍ଷଣ ମାର୍ଗରେ ପ୍ରାର୍ଥନା ଓ ଭଜନ କରି ସମାଧି ପରିକ୍ରମା କରୁଥିବାବେଳେ ବୌଦ୍ଧ ଭିକ୍ଷୁ, ଧର୍ମ ପ୍ରଚାରକ ଓ ବିଶିଷ୍ଟ ବ୍ୟକ୍ତି ମାନେ ଭିତର ପ୍ରଦକ୍ଷଣ ମାର୍ଗରେ ସମାଧୀ ପଦକ୍ଷଣ କରିବା ସହିତ ପୂଜା କରିଥାନ୍ତି। ସମ୍ଭବତ ଏଥି ପାଇଁ ବଧୀ କୁଦରେ ଦୁଇଟି ପ୍ରଦକ୍ଷଣ ମାର୍ଗ ଥିବା ଦେଖିବାକୁ ମିଳେ। ସର୍ବେକ୍ଷଣ ସଂସ୍ଥାଦ୍ୱାରା ମୁଖ୍ୟ କୁଦ ଖନନ କରାଯାଇଥିବା ବେଳେ ମୁଖ୍ୟକୁଦର କିଛି ଦୂରରେ କୁଦ ଚୌହର୍ଦ୍ଦି ଭିତରେ ଚାରି କଣରେ ୪ଟି ଛୋଟକୁଦ ଓ ଏବଂ ମଧ୍ୟସ୍ଥଳରେ ୨ଟି କୁଦ ଖନନ ନହୋଇ ରହିଛି। ଏହି କୁଦ ଗୁଡ଼ିକ ବିଭିନ୍ନ ବୌଦ୍ଧଭିକ୍ଷୁଙ୍କ ପ୍ରବଚନ କେନ୍ଦ୍ର ବୋଲି ସର୍ଭେକ୍ଷଣ ସଂସ୍ଥାର ଅଧିକାରୀ ମାନେ ସେତେବେଳେ ସୂଚନା ଦେଇଥିଲେ। ବୌଦ୍ଧଧର୍ମ ପର୍ଯ୍ୟୟକ୍ରମେ ବିଭିନ୍ନ ଭାଗରେ ବିଭକ୍ତ ହେବା ପରେ ଏହାର ଏକ ଅଂଶ ଭାବେ ମହାଚକ୍ର ଯାନ ନିଜର ସ୍ଥିତି ବଜାୟ ରଖିଥିଲା। ଏହି ମହାଚକ୍ରଯାନର ଏକ କେନ୍ଦ୍ରସ୍ଥଳି ଭାବେ ବଧୀ କୁଦ ସେତେବେଳେ ପ୍ରତିଷ୍ଠା ଅର୍ଜନ କରିଥିବା ଐତିହାସିକ ମାନେ ମତ ଦିଅନ୍ତି।
ଏବେବି ବୁଦ୍ଧ ପୂର୍ଣ୍ଣିମାରେ ଅଞ୍ଚଳର ବହୁ ଲୋକ ଉକ୍ତ କୁଦକୁ ଯାଇ ଧୂପ ଜାଳି ବୁଦ୍ଧଦେବଙ୍କୁ ପ୍ରାଥନା କରୁଥିବା ଦେଖିବାକୁ ମିଳେ। ଏଭଳି ବହୁ ବିଶେଷତାର ସ୍ୱାକ୍ଷର ବହନ କରୁଥିବା ଏହି ସୁଦୃଶ୍ୟ ସ୍ଥଳଟି ନଷ୍ଟ ହୋଇ ଯିବାକୁ ବସିଥିବାବେଳେ ଭାରତ ପ୍ରତ୍ନତାତ୍ତ୍ୱିକ ସର୍ଭେକ୍ଷଣ ସଂସ୍ଥା, ସରକାର ତଥା ପ୍ରଶାସନ ଏଦିଗରେ ବିହିତ ପଦକ୍ଷେପ ନେଲେ ବଧୀକୁଦ ପରି ଏକ ପ୍ରସିଦ୍ଧ ଐତିହାସିକ ପର୍ଯ୍ୟଟନସ୍ଥଳି ବହୁ ଜନାଦୃତ ହୋଇ ପାରନ୍ତା।
Comments are closed.