www.samajalive.in
Saturday, December 13, 2025
14.1 C
Bhubaneswar

ଓଡ଼ିଶା-ମୁମ୍ବଇ ରଣଜୀ ମୁକାବିଲା ଆଜିଠାରୁ

କଟକ : ଗୋଟିଏ ବର୍ଷର ବ୍ୟବଧାନ ପରେ ଦେଶର ପ୍ରମୁଖ ଘରୋଇ ପ୍ରଥମଶ୍ରେଣୀ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫି ଆରମ୍ଭ ହୋଇଥିଲା । ଏଥର କମ୍ ସମୟରେ‌େ‌ ଟୁର୍ଣ୍ଣାମେଣ୍ଟର ଲିଗ୍ ପର୍ଯ୍ୟାୟ ସମାପ୍ତ କରିବାକୁ ଏହାର ଢାଞ୍ଚା ବା ଫର୍ମାଟରେ ପରିବର୍ତ୍ତନ କରା ଯାଇଥିଲା। ପ୍ରତି ଦଳଙ୍କୁ ୩ଟି ଲେଖାଏଁ ଲିଗ୍ ମ୍ୟାଚ୍‌ ଖେଳିବାକୁ ଥିବା ବେଳେ ପ୍ରତି ମ୍ୟାଚ୍‌ ଗୁରୁତ୍ବପୂର୍ଣ୍ଣ ହୋଇ ଯାଇଥିଲା। ଏପରି ସ୍ଥିତିରେ ଚଳିତ ଋତୁର ଅନ୍ତିମ ରଣଜୀ ଟ୍ରଫି ମ୍ୟାଚ୍‌ ଓଡ଼ିଶା ଅହମ୍ମଦାବାଦରେ ଗୁରୁବାରଠାରୁ ଖେଳିବାକୁ ଯାଉଛି। ଏଲିଟ୍‌ ଗ୍ରୁପ୍‌ ‘ଡି’ର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ସର୍ବାଧିକ ୪୧ ଥର ରଣଜୀ ଚମ୍ପିଆନ୍ ହୋଇଥିବା ମୁମ୍ବଇ ଦଳ ବିପକ୍ଷରେ ଓଡ଼ିଶା ଖେଳିବାକୁ ଯାଉଛି। ଏହି ଗ୍ରୁପ୍‌ରେ ଥିବା ୪ଟି ଦଳଙ୍କ ମଧ୍ୟରୁ ଗୋଆ ନକ୍‌ଆଉଟ୍‌ ଦୌଡ଼ରୁ ବାଦ୍‌ପଡ଼ିଛି। ଓଡ଼ିଶା ଦଳ ୨ଟି ମ୍ୟାଚ୍‌ରୁ ମାତ୍ର ୩ ପଏଣ୍ଟ ପାଇଥିବା ବେଳେ ଏହା ବିଦାୟନେବା ଦ୍ବାରରେ ପହଞ୍ଚିଛି। ତଥାପି ଗାଣିତିକ ହିସାବରେ ଓଡ଼ିଶା ନକ୍‌ଆଉଟ ଦୌଡ଼ରେ ରହିଛି। ଗୁରୁବାରଠାରୁ ଏହି ଗ୍ରୁପ୍‌ରେ ଗୋଆ ବିପକ୍ଷରେ ସୌରାଷ୍ଟ୍ର ଅନ୍ତିମ ମ୍ୟାଚ୍‌ ଖେଳିବାକୁ ଯାଉଛି। ଯଦି ଗୋଆଠାରୁ ସୌରାଷ୍ଟ୍ର ପରାସ୍ତ ହୋଇଯାଏ ଏବଂ ମୁମ୍ବଇ ବିପକ୍ଷରେ ଓଡ଼ିଶା ବୋନସ୍ ପଏଣ୍ଟ ପାଇ ବିଜୟୀହୁଏ; ତେବେ ଓଡ଼ିଶା ନକ୍‌ଆଉଟରେ‌ ପହଞ୍ଚିବ। ବାସ୍ତବ କ୍ଷେତ୍ରରେ ଏହା ଅସମ୍ଭବ ଲାଗୁଛି। ତଥାପି କ୍ରିକେଟ୍‌ରେ ସବୁ ସମ୍ଭବ।
ମୁମ୍ବଇ କିମ୍ବା ସୌରାଷ୍ଟ୍ର ଏହି ଗ୍ରୁପ୍‌ରୁ ନକ୍‌ଆଉଟ୍‌କୁ ଯିବାର ସମ୍ଭାବନା ଅଧିକ। ୯ ପଏଣ୍ଟ ପାଇଥିବା ମୁମ୍ବଇ ଯଦି ଓଡ଼ିଶାକୁ ପରାସ୍ତକରି ୬ ପଏଣ୍ଟ ପାଏ ଏବଂ ଯଦି ୮ ପଏଣ୍ଟରେ ଥିବା ସୌରାଷ୍ଟ୍ର ଗୋଆକୁ ପରାସ୍ତକରି ୬ ପଏଣ୍ଟ ପାଏ; ତେବେ ୧୫ ପଏଣ୍ଟ ପାଇ ମୁମ୍ବଇ ନକ୍‌ଆଉଟ୍‌ରେ ପହଞ୍ଚିବ। ତେବେ ମୁମ୍ବଇ ୬ ପଏଣ୍ଟ ଓ ସୌରାଷ୍ଟ୍ର ୭ ପଏଣ୍ଟ ପାଇଲେ; ଉଭୟଙ୍କ ପଏଣ୍ଟ ସଂଖ୍ୟା ସମାନ ହୋଇଯିବ। ତେଣୁ ନେଟ୍‌ ରନ୍‌ରେଟ୍‌ ଭିତ୍ତିରେ ଗୋଟିଏ ଦଳ ନକ୍‌ଆଉଟ୍‌ରେ ପହଞ୍ଚିବ। ଉଭୟ ସୌରାଷ୍ଟ୍ର ଓ ମୁମ୍ବଇ ଯଦି ବୋନସ୍ ପଏଣ୍ଟ ପାଆନ୍ତି; ତେବେ ମୁମ୍ବଇ ହିଁ ଯୋଗ୍ୟତା ଅର୍ଜନ କରିବ। ମ୍ୟାଚ୍‌ ଡ୍ର ରଖି ମୁମ୍ବଇ ୩ ପଏଣ୍ଟ ପାଇଲେ ଏବଂ ସୌରାଷ୍ଟ୍ର ବିଜୟୀହେଲେ ସୌରାଷ୍ଟ୍ର ଯୋଗ୍ୟତା ଅର୍ଜନ କରିବ। ତେଣୁ ଓଡ଼ିଶାକୁ ପରାସ୍ତ କରିବା ଲକ୍ଷ୍ୟରେ ମୁମ୍ବଇ ଦଳ ପଡ଼ିଆକୁ ଓହ୍ଲାଇବ। ଏପରିକି ଗାଣିତିକ ହିସାବକୁ ଏଡ଼ାଇବା ପାଇଁ ମୁମ୍ବଇ ବୋନସ୍ ପଏଣ୍ଟ ପାଇବାକୁ ମଧ୍ୟ ପ୍ରୟାସ କରିବ। ଅଦ୍ୟାବଧି ମୁମ୍ବଇ ମିଶ୍ରିତ ପ୍ରଦର୍ଶନ କରିଛି। ପ୍ରଥମ ମ୍ୟାଚ୍‌ରେ ସୌରାଷ୍ଟ୍ର ବିପକ୍ଷରେ ପ୍ରଥମ ଇନିଂସରେ ୫୨୪ ରନ୍‌ ଆଗରେ ଥିବା ସତ୍ତ୍ବେ ମୁମ୍ବଇ ମ୍ୟାଚ୍‌ ଜିତି ପାରିନଥିଲା। ୨ୟ ମ୍ୟାଚ୍‌ରେ ଗୋଆ ବିପକ୍ଷରେ ପ୍ରଥମ ଇନିଂସରେ ୧୬୪ ରନ୍‌ ପଛୁଆ ରହିବା ସତ୍ତ୍ବେ ମୁମ୍ବଇ ମ୍ୟାଚ୍‌ ଜିତି ପାରିଥିଲା। ପୃଥ୍ବୀ ସ’ ନେତୃତ୍ବାଧୀନ ମୁମ୍ବଇ ଦଳରେ ଅଜିଙ୍କ୍ୟ ରାହାଣେ ରହିଛନ୍ତି; ଯିଏ ରଣଜୀରେ ବଡ଼ ସ୍କୋର୍‌କରି ଜାତୀୟ ଦଳକୁ ଫେରିବା ପାଇଁ ବ୍ୟଗ୍ର ଅଛନ୍ତି। ରାହାଣେ ସୌରାଷ୍ଟ୍ର ବିପକ୍ଷରେ ଶତକ ଓ ଗୋଆ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଯୁବ ବ୍ୟାଟ୍‌ସମ୍ୟାନ ସର୍ଫରାଜ ଖାଁ ଚମତ୍କାର ଫର୍ମରେ ଅଛନ୍ତି ଏବଂ ୩ଟି ଇନିଂସରେ ୨୭୫, ୬୩ ଓ ୪୮ ରନ୍‌ କରିଛନ୍ତି। ତନୁଷ କୋଟିଆନ୍ ଅପରାଜିତ ୫୦, ୩୦ ଓ ୯୮ ରନ୍‌ କରିଛନ୍ତି। ହେଲେ ପୃଥ୍ବୀ ସ’ ବିଫଳ ହୋଇଛନ୍ତି। ବାମହାତି ସ୍ପିନର ସାମ୍‌ସ ମୁଲାନି ଚମତ୍କାର ବୋଲିଂକରି ୨ଟି ମ୍ୟାଚ୍‌ରୁ ୨୨ଟି ୱିକେଟ ନେଇଛନ୍ତି। କୋଟିଆନ୍ ୬ଟି ଏବଂ ଆନ୍ତର୍ଜାତିକ ବୋଲର ଧବଳ କୁଲକର୍ଣ୍ଣୀ ଓ ମୋହିତ ଅବସ୍ଥି ୫ଟି ଲେଖାଏଁ ୱିକେଟ ନେଇଛନ୍ତି। ଓଡ଼ିଶା ପାଇଁ ରାଜେଶ ଧୁପର, ଶାନ୍ତନୁ ମିଶ୍ର ଓ ଅଭିଷେକ ରାଉତଙ୍କୁ ଛାଡ଼ି କେହି ଶହେ ରନ୍‌ରେ ମଧ୍ୟ ପହଞ୍ଚି ପାରିନାହାନ୍ତି। ବୋଲିଂରେ ବସନ୍ତ ମହାନ୍ତି ଓ ଅଭିଷେକ ରାଉତ ୬ଟି ଲେଖାଏଁ ଏବଂ ଜୟନ୍ତ ବେହେରା ୪ଟି ୱିକେଟ ନେଇଛନ୍ତି। ଆନ୍ତର୍ଜାତିକ ପେସ୍ ବୋଲର ରାଜେଶ ମହାନ୍ତି ଦଳକୁ ନିରାଶ କରି ୨ଟି ମ୍ୟାଚ୍‌ରୁ ମାତ୍ର ୨ଟି ୱିକେଟ ନେଇଛନ୍ତି। ଓଡ଼ିଶା ଏହି ମ୍ୟାଚ୍‌ରେ କିଛି ପରିବର୍ତ୍ତନ କରିବା ସମ୍ଭାବନାକୁ ଏଡ଼ାଇ ଦିଆ ଯାଇନପାରେ। ଦଳର ଅଭିଜ୍ଞ ବ୍ୟାଟ୍‌ସମ୍ୟାନ୍ ଉଭୟ ମ୍ୟାଚ୍‌ରେ ବିଫଳ ହେବା ପ୍ରଶିକ୍ଷକ ୱାସିମ୍ ଜାଫରଙ୍କୁ ଚିନ୍ତାରେ ପକାଇଛି। ଅଧିନାୟକ ଶୁଭ୍ରାଂଶୁ ସେନାପତି ଚେନ୍ନଇ ସୁପର କିଙ୍ଗ୍‌ସ ଶିବିରରେ ଯୋଗଦେବା ପୂର୍ବରୁ କିଛି ରନ୍‌ କରିବାକୁ ଚାହିଁବେ। ଅନୁରାଗ ଷଡ଼ଙ୍ଗୀ ଓ ସନ୍ଦୀପ ପଟ୍ଟନାୟକ ମଧ୍ୟ ବିଫଳ ହୋଇଛନ୍ତି। ଓଡ଼ିଶା ଏହି ମ୍ୟାଚ୍‌ରେ ଗୋବିନ୍ଦ ପୋଦ୍ଦାରଙ୍କୁ ଚୂଡ଼ାନ୍ତ ଏକାଦଶକୁ ଆଣିପାରେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories