www.samajalive.in
Saturday, December 13, 2025
18.1 C
Bhubaneswar

ସମ୍ଭାବ୍ୟ ବାତ୍ୟା ନେଇ ଧାମନଗର ବ୍ଲକରେ ପ୍ରସ୍ତୁତି ସମୀକ୍ଷା

ଦୋବଲ: ସମ୍ଭାବ୍ୟ ବାତ୍ୟା ଦାନାକୁ ନଜରରେ ରଖି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପ୍ରଭାବିତ ଅଞ୍ଚଳରେ ରିଲିଫ୍, ଉଦ୍ଧାର କାର୍ଯ୍ୟକୁ ପ୍ରାଧାନ୍ୟ ଦେଇଛି ବ୍ଲକ ପ୍ରଶାସନ। ତଳିଆ ଅଞ୍ଚଳ ଓ କଚା ଘରେ ରହୁଥିବା ଲୋକଙ୍କୁ ନିକଟତମ ବାତ୍ୟା ଆଶ୍ରୟସ୍ଥଳରେ ରଖାଯିବ। ସେହିପରି ଲୋକଙ୍କୁ ଆବଶ୍ୟକସ୍ଥଳେ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ମଧ୍ୟ ପ୍ରଦାନ କରାଯିବାକୁ ଯୋଜନା ହୋଇଛି। ପ୍ରାକୃତିକ ବିପର୍ଯ୍ୟୟରେ ଶୂନ୍ୟ ମୃତ୍ୟୁ ନେଇ ରାଜ୍ୟ ସରକାରଙ୍କର ଥିବା ପ୍ରତିବଦ୍ଧତାକୁ ପାଳନ ଲାଗି ପ୍ରଶାସନ ଜୋର ଲଗାଇ ଦେଇଛି। ଏଥିଲାଗି ଧାମନଗର ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ।

ବାତ୍ୟା ସମୟରେ ଲୋକଙ୍କୁ ସ୍ଥାନାନ୍ତର କରିବା ଲାଗି ବ୍ଲକ ଅଞ୍ଚଳରେ ଥିବା ୬ଟି ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ କରାଯାଇଛି। ବ୍ଲକ ଅଞ୍ଚଳରେ ରିଲିଫ ଓ ଉଦ୍ଧାର କରିବା ପାଇଁ ପ୍ରତ୍ୟେକ ପଞ୍ଚାୟତରେ ୨ ଜଣ ଲେଖାଏଁ ନୋଡାଲ ଅଫିସର ଓ ସେମାନଙ୍କ ସହ ସଂଯୋଜନା ପାଇଁ ବ୍ଲକ ସ୍ତରରେ ୪ଜଣ ଜୋନାଲ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି। ଏମାନେ ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ସ୍ଥାନାନ୍ତର, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ତଦାରଖ କରିବେ। ସେପଟେ ଧାମନଗର ବ୍ଲକକୁ ଆସିବା ପାଇଁ ଏନଡିଆରଏଫ୍ ଓ ଓଡ୍ରାଫ ଟିମ୍ ଭଦ୍ରକ ଜିଲ୍ଲା ହେଡକ୍ବାର୍ଟରରେ ମହଜୁଦ୍ ଅଛନ୍ତି। ଆବଶ୍ୟକସ୍ଥଳେ ୨ରୁ ୩ଟି ଟିମ୍ ଧାମନଗର ଆସିପାରନ୍ତି।

- Advertisement -

ସେପଟେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଧୁଷୁରୀ ଏରିଆ ହସ୍ପିଟାଲ ଓ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସଜାଗ ରଖାଯାଇଛି। ଦୁଇ ଡାକ୍ତରଖାନା ଅଞ୍ଚଳରେ ପ୍ରାୟ ୪୫ ଜଣ ଆସନ୍ନ ପ୍ରସବାଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ଡାକ୍ତରଖାନାକୁ ଅଣାଯିବା ପାଇଁ ସ୍ଥାନୀୟ ଆଶା କର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କ ସହ ଯୋଗାଯୋଗ କରାଯାଇଛି। ସେମାନଙ୍କୁ ଆଗୁଆ ଦୁଇ ଡାକ୍ତରଖାନାରେ ଆଡମିସନ କରାଯିବ ବୋଲି ସୂଚନା ଦିଆଯାଇଛି। ସେହିପରି ବ୍ଲକରେ ୨୫ ହଜାର ପଲିଥିନ ମହଜୋଦ ରହିଛି। ଘର ଛପର ନଷ୍ଟ ହେଲେ ତତକ୍ଷଣାତ ଜିପିଓ, ସରପଞ୍ଚ ଓ ଜିଆରଏସ୍ ମାନଙ୍କ ଜରିଆରେ ପ୍ରଦାନ କରାଯିବ ବୋଲି କୁହାଯାଇଛି। ଏହାଛଡ଼ା ବାତ୍ୟା ପରେ ଯେତେଶୀଘ୍ର ସମ୍ଭବ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବା ଲାଗି ଜିପିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଭଦ୍ରକ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ।

ବାତ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ନିରନ୍ତର ଭାବେ ପିଇବା ପାଣି ଯୋଗାଇଦେବା ପାଇଁ ବ୍ଲକ ଅଞ୍ଚଳରେ ଥିବା ବସୁଧା ଯୋଜନାର ୪୫ଟି ଓଭରହେଡ୍ ପାଣିଟାଙ୍କିକୁ ପ୍ରସ୍ତୁତ କରାଯାଇଛି। ସେଠାରେ ଡିଜି ସେଟ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହେଲେ ଡିଜି ସେଟ୍ ଜରିଆରେ ବିଜୁଳି ଯୋଗାଇ ଦେଇ ପାଣିଟାଙ୍କିକୁ ପାଣି ଉଠାଯିବ ଓ ସେଠାରୁ ପ୍ରତି ଘରକୁ ପାଣି ଯୋଗାଇଦେବା ଲାଗି ଆରଡବଲ୍ୟୁଏସଏସର ଯନ୍ତ୍ରୀଙ୍କୁ କୁହାଯାଇଛି। ତାହାଛଡ଼ା କୌଣସି ପ୍ରକାର ଆଇନଶୃଙ୍ଖଳା ପରିସ୍ଥିତିର ମୁକାବିଲା ପାଇଁ ସଂପୂର୍ଣ୍ଣ ସଜାଗ ରହିବାକୁ ଦୁଇ ଥାନାର ପୋଲିସକୁ ଉପଜିଲ୍ଲାପାଳ କହିଛନ୍ତି।

ସେପଟେ ବାତ୍ୟା ଓ ପରବର୍ତ୍ତୀ ସମୟରେ ଖାଦ୍ୟ ସଂକଟର ମୁକାବିଲା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି। କେନ୍ଦ୍ରୀୟ ପଣ୍ୟାଗାରରେ ୩୬ ହଜାର ୧୦୪ କ୍ବିଣ୍ଟାଲ, ଧାମନଗର ଛକ ଗୋଦାମରେ ୧୨ ହଜାର ୪୭୪ କ୍ବିଣ୍ଟାଲ ସହ ମୋଟ୍ ୪୮ ହଜାର ୫୭୯ କ୍ବିଣ୍ଟାଲ ଚାଉଳ ମହଜୁଦ୍ ରଖାଯାଇଛି। ସେହିପରି ଶୁଖିଲା ଖାଦ୍ୟ ବଣ୍ଟନ ପାଇଁ ଦୋବଲର ମା ଦୁର୍ଗା ହୋଲସେଲ୍ ପଏଣ୍ଟରେ ୧୦ କ୍ବିଣ୍ଟାଲ, ଚିନି ଓ ଗୁଡ଼ ୨ କ୍ବିଣ୍ଟାଲ, ତାରିଣୀ ଟ୍ରେଡର୍ସ ପାଖରେ ୧୫ କ୍ବିଣ୍ଟାଲ ଚୁଡ଼ା ଓ ୩ କ୍ବିଣ୍ଟାଲ ଚିନି କିମ୍ବା ଗୁଡ଼ ରହିଛି। ସେହିପରି ଦୋବଲର ଅହମ୍ମଦ ଖାଁଙ୍କ ଗୋଦାମରେ ପାଖରେ ୩ କ୍ବିଣ୍ଟାଲ ଚୁଡ଼ା ଓ ଚିନି ଗୁଡ଼ ୧ କ୍ବିଣ୍ଟାଲ ରଖାଯାଇଛି। ଏହାସହ ଧାମନଗର ବ୍ଲକରେ ୧୦ ହଜାର ୬୧୮ ଲିଟର କିରାସିନି ମହଜୁଦ ଥିବା ସୂଚନା ଦିଆଯାଇଛି।

ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ ତତ୍ପରତା ସହ ପ୍ରସ୍ତୁତି ଚଳାଇଛି। ପନିପରିବା ଓ ଧାନ ଚାଷ ନଷ୍ଟ ହେଲେ ଯଥା ଶୀଘ୍ର ଆକଳନ ପାଇଁ ନିର୍ଦେଶ ଦିଆଯାଇଛି। ବାତ୍ୟା ପ୍ରଭାବରେ ବନ୍ୟା ଆସିଲେ ବ୍ଲକ୍ ଅଞ୍ଚଳରେ ୫ଟା ବୋଟ୍ ମହଜୁଦ ରହିଥିବା କହୁଛନ୍ତି। ବାତ୍ୟା ସମୟରେ ବିଦ୍ୟୁତ୍ ଓ ଅଗ୍ନିଶମ ବାହିନୀ ତତ୍ପର ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟର ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରଯାଇଛି। ଏହି ସମୀକ୍ଷା ବୈଠକରେ ଭଦ୍ରକ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀଙ୍କ ସହପଞ୍ଚାୟତ ସମିତି ଅଧ୍ୟକ୍ଷ ଶର୍ମିଷ୍ଠା ବେହେରା, ଧାମନଗର ତହସିଲଦା ଦୀପକ ଦାସ, ବିଡିଓ ବନବିହାରୀ ଦିନ୍ଦା, ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ ପୁହାଣଙ୍କ ସମେତ ବ୍ଲକର ସମସ୍ତ ଅଧିକାରୀ ଯୋଗଦେଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories