ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ସରାସକୋଲା ପଞ୍ଚାୟତର ଖମୁଆ ନିକଟସ୍ଥ ଜାମୁପଶି ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ପରିସ୍ଥିତି। ଜେଜେ ବାପାଙ୍କ ନିକଟରେ ରହୁଥିବା ଦୁଇ ଅନାଥ ଭାଇ ଭଉଣୀ ଜେଜେଙ୍କ ମୃତ୍ୟୁ ପରେ ଅସହାୟ ହୋଇପଡ଼ିଛନ୍ତି। ଖବରରୁ ପ୍ରକାଶ ଯେ ଖମୁଆ ବଡ଼ଜାମୁପଶି ଗ୍ରାମର ସନୁ ମୁଣ୍ଡାଙ୍କର ଦୁଇ ପୁଅ ସ୍ଵର୍ଗତ କୁନା ମୁଣ୍ଡା ଓ ସ୍ଵର୍ଗତ ମୁନା ମୁଣ୍ଡା ବିବାହ ପରେ ସୁଖ ଦୁଃଖରେ ସଂସାର ଚଳାଉଥିବା ସମୟରେ କୌଣସି କାରଣ ବଶତଃ ବର୍ଷେ ବ୍ୟବଧାନରେ ଦୁଇ ବର୍ଷ ପୁର୍ବରୁ ଦୁଇ ଭାଇଙ୍କର ମୃତ୍ୟୁ ହୋଇଥିଲା। ଏହି କାରଣରୁ ଆଗ ପଛ ହୋଇ ମୁନା ମୁଣ୍ଡା ଙ୍କ ପୁଅ ରୋହିତ ମୁଣ୍ଡା ( ୩ ବର୍ଷ ),କୁନା ମୁଣ୍ଡା ଙ୍କ ରଶ୍ମି ମୁଣ୍ଡା ( ୬ବର୍ଷ )କୁ ଛାଡ଼ି ଅନ୍ୟତ୍ର ପଳାଇଥିଲେ ସେମାନଙ୍କ ଦୁଇ ମାଆ ।
ବାପା ମରିଯିବା ଓ ମାଆ ଘର ଛାଡ଼ିଦେବାରୁ ଦୁଇ ଶିଶୁ ଅନାଥ ହେବା ସହ ସାହାରା ସାଜିଥିଲେ ଜେଜେ ବାପା ସନୁ ମୁଣ୍ଡା । ସେ ମଧ୍ୟ ଗତ ୨୦ ତାରିଖ ରବିବାର ଦିନ ମୃତ୍ୟୁବରଣ କରିଛନ୍ତି। ସନୁଙ୍କ ମୃତ୍ୟୁର ମାତ୍ର ଏକ ଘଣ୍ଟା ପରେ ସାନ ଜେଜେ ମାଆ ଜେମାମଣି ମୁଣ୍ଡାଙ୍କର ମଧ୍ୟ ରବିବାର ଅକାଳ ବିୟୋଗ ହୋଇଥିଲା । ପ୍ରଥମେ ପିତାଙ୍କ ମୃତ୍ୟୁ ପରେ ମାଆ ଘର ଛାଡ଼ିବା ଓ ଶେଷରେ ବୃଦ୍ଧ ଜେଜେ ବାପା ଓ ସାନ ଜେଜେ ମାଆ ଙ୍କ ପରଲୋକ ଘଟଣା ଏହି ଦୁଇ ଶିଶୁଙ୍କୁ ସମ୍ପୂର୍ଣ୍ଣ ଅନାଥ ଓ ଅସହାୟ କରିଦେଇଛି। ଖବର ପାଇ ଭରସା ପରିବାର ଓଡ଼ିଶା ପକ୍ଷରୁ ସହଯୋଗର ହାତ ବଢ଼ାଇବା ପାଇଁ ଆଜି ସଂଗଠନର ସଭାନେତ୍ରୀ ମାଳତୀ ମହାନ୍ତ , ବଳରାମ ମୁର୍ମୁ , ପାଟଣା ବ୍ଲକ ସଭାନେତ୍ରୀ ସ୍ନେହଲତା ନାଏକ, କାର୍ଯ୍ୟକାରୀ ସଭାପତି ଭରତ ଚ଼ନ୍ଦ୍ର ମହାନ୍ତ ଉପସ୍ଥିତ ହୋଇ ଦୁଇ ଅନାଥ ଶିଶୁଙ୍କୁ ଭେଟି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଓ ବସ୍ତ୍ର ପ୍ରଦାନ କରିବା ସହ ଥଇଥାନ ହେବା ପର୍ଯ୍ୟନ୍ତ ସହଯୋଗର ହାତ ବଢ଼ାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଦୟନୀୟ ଅବସ୍ଥାରେ ଥିବା ଦୁଇ ଅନାଥ ଶିଶୁଙ୍କୁ ତୁରନ୍ତ ଉଦ୍ଧାର କରି ଥଇଥାନ ବ୍ୟବସ୍ଥା ପାଇଁ ଭରସା ପରିବାର ପକ୍ଷରୁ ଜିଲା ପ୍ରଶାସନକୁ ନିବେଦନ କରିବା ସହ ସହଯୋଗ ପାଇଁ ଅନୁରୋଧ କରିଛନ୍ତି ଆଞ୍ଚଳିକ ବୁଦ୍ଧିଜୀବି , ଗ୍ରାମବାସୀ ଓ ଭରସା ପରିବାରର କର୍ମକର୍ତ୍ତା ।



