www.samajalive.in
Wednesday, December 10, 2025
26.1 C
Bhubaneswar

କରୋନା ଚକ୍ରବ୍ୟୂହରେ ଓଡ଼ିଶା – ଚିନ୍ତା ବଢ଼ାଇଛି ଚତୁର୍ଥ ପର୍ୟ୍ୟାୟ

ଗଞ୍ଜାମରେ ପୁଣି ୧୮ – ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୨୯୪
ଦୁଇମାସ ଧରି ଓଡ଼ିଶାରେ କଚ୍ଛପ ଗତିରେ ଚାଲୁ ଥିବା କରୋନା ଭୂତାଣୁ ଏବେ ସୁରତ ଫେରନ୍ତାଙ୍କ ପାଇଁ ତା’ର ବେଗକୁ କ୍ଷୀପ୍ର କରିଛି। ମାତ୍ର ଦିନ ୩ଟାରେ ପରୀକ୍ଷା ହୋଇଥିବା ପ୍ରାୟ ୯ହଜାର ନମୁନାରୁ ୧୦୮ ଆକ୍ରାନ୍ତ ଚିହ୍ନଟ ହେବା ସରକାରଙ୍କୁ ବିବ୍ରତ କରିଛି। ଶନିବାର ୨୪ ନୂତନ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ସଂଖ୍ୟା ୨୯୪ରେ ପହଞ୍ଚିଛି। ଏଥିମଧ୍ୟରେ କେବଳ ଗଞ୍ଜାମରେ ସର୍ବାଧିକ ୧୮ ଆକ୍ରାନ୍ତ ରହିଛନ୍ତି। ଏହାକୁ ମିଶାଇ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୮୯ରେ ଛୁଇଁଛି। ତେବେ ଆଜି କରୋନା ଭୂତାଣୁର ଗାଡି ନୟାଗଡ ଜିଲାକୁ ଗଡିଛି। ଏହି ଜିଲାରୁ ଜଣେ ୪୦ ବର୍ଷର ପୁରୁଷ ଆଜି ଚିହ୍ନଟ ହୋଇଛନ୍ତି। ସେ ସୁରତରୁ ଫେରି ସଂଗରୋଧରେ ରହିଥିଲେ। ଏହି ନୂତନ ଆକ୍ରାନ୍ତଙ୍କ ଚିହ୍ନଟ ପରେ ରାଜ୍ୟରେ କରୋନା ୧୯ଟି ଜିଲାରେ ତା’ର ସ୍ଥିତି ଜାହିର କରିଛି। ଦିନକୁ ଦିନ ପ୍ରବାସୀ ସୁରତ ଫେରନ୍ତାଙ୍କ ପାଇଁ ଗଞ୍ଜାମ ସହିତ ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ପ୍ରଭୃତି ଜିଲାରେ ନୂତନ ଆକ୍ରାନ୍ତ ବଢ଼ୁଥିବାରୁ ସାଧାରଣରେ ଏହି ପ୍ରବାସୀଙ୍କୁ ନେଇ ଏକ ଜନଅସନ୍ତୋଷ ବଢ଼ୁଥିବା ପରିଲକ୍ଷିତ ହୋଇଛି।

ସୂଚନା ଅନୁଯାୟୀ ଶନିବାର ଗଞ୍ଜାମରେ ୧୮ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ବୟସ ୧୬ରୁ ୪୯ବର୍ଷ ଭିତରେ ରହିଥିବାବେଳେ ସମସ୍ତେ ପୁରୁଷ ବର୍ଗର। ସମସ୍ତଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇ ଚିକିତ୍ସା କରାଯାଉଛି। ଏହାସହିତ ସେମାନେ କାହା ସହିତ କଣ୍ଟାକ୍ଟରେ ଆସିଛନ୍ତି ତାହା ମଧ୍ୟ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଟ୍ରେସିଂ କରାଯାଉଛି।

- Advertisement -

ସେହିପରି ମୟୂରଭଞ୍ଜ ଜିଲାରୁ ଶନିବାର ୩ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ବୟସ ଯଥାକ୍ରମେ ୨୦, ୨୬ ଓ ୩୦ ବର୍ଷ ରହିଛି। ସେମାନଙ୍କୁ ସଙ୍ଗରୋଧରେ ରଖାଯାଇ ଚିକିତ୍ସା କରାଯାଉଛି। ଏହାବାଦ୍ ନୟାଗଡ, ସୁନ୍ଦରଗଡ଼ ଓ ଭଦ୍ରକରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶର ହଟସ୍ପଟ ଜିଲା ଭିତରେ ଓଡ଼ିଶାରୁ ଆଜି ସୁଦ୍ଧା ୫ଟି ଜିଲା ରହିଛନ୍ତି। ସେଥିମଧ୍ୟରେ ଗଞ୍ଜାମରେ ସର୍ବାଧିକ ୮୯ ଆକ୍ରାନ୍ତ ରହିଥିବାବେଳେ ଯାଜପୁରରେ ୫୫ଜଣ ରହିଛନ୍ତି। ସେହିପରି ଖୋର୍ଦ୍ଧାରେ ୫୦ ଚିହ୍ନଟ ହୋଇଥିବାବେଳେ ବାଲେଶ୍ବରରେ ୨୭ ଏବଂ ଭଦ୍ରକରେ ୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଆଜି ରାଜ୍ୟରେ ୫ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି। ଏଥିମଧ୍ୟରୁ ବାଲେଶ୍ବରର ୪ ଜଣ ଓ ଯାଜପୁରର ଜଣେ ରହିଛନ୍ତି। ଆଜି ସୁଦ୍ଧା ୬୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଜଣାଯାଇଛି।

କରୋନାର ପ୍ରଥମ ତିନୋଟି ପର୍ୟ୍ୟାୟକୁ ଓଡ଼ିଶା ସରକାର ଭଲ ଭାବେ ନିୟନ୍ତ୍ରଣ କରିଛନ୍ତି। ଏହି ସମୟ ମଧ୍ୟରେ ରାଜ୍ୟରେ ମାତ୍ର କରୋନା ଆକ୍ରାନ୍ତ ସଂଖ୍ୟା ୧୬୧ ଭିତରେ ରହିଥିଲା। ହେଲେ ଏବେ ସୁରତ ଫେରନ୍ତାଙ୍କ ପାଇଁ ଚତୁର୍ଥ ପର୍ୟ୍ୟାୟରେ ରାଜ୍ୟ କରୋନା ମହାମାରୀର ଚକ୍ରବ୍ୟୂହରେ ପଶିବାକୁ ଯାଉଛି। ଯାହାଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ହେଲେ ଏଥିପାଇଁ ଭୟଭୀତ ହେବାର ନାହିଁ ବରଂ ଆଗାମୀ ଆହ୍ବାନକୁ କିଭଳି ଏକଜୁଟ ହୋଇ ମୁକାବିଲା କରିବା ତାହା ହିଁ ପରୀକ୍ଷାର ସମୟ ବୋଲି ରାଜ୍ୟ କରୋନା ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି।

ଶନିବାର ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଛନ୍ତି ଯେ ପ୍ରଥମ ପର୍ୟ୍ୟାୟରେ ବିଦେଶ ଫେରନ୍ତାଙ୍କ ପାଇଁ ରାଜ୍ୟରେ ମାତ୍ର ୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେହିପରି ଦ୍ବିତୀୟ ପର୍ୟ୍ୟାୟରେ ନିଜାମୁଦ୍ଦିନ ଧାର୍ମିକ ସମ୍ମିଳନୀ ଲାଗି ୪୧ଜଣ ଚିହ୍ନଟ ହୋଇଥିବାବେଳେ ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ୧୧୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ହେଲେ ଏବେ ଓଡ଼ିଶା ପ୍ରବାସୀ ସୁରତ ଫେରନ୍ତାଙ୍କ ପାଇଁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଏହାର ଅର୍ଥ ନୁହେଁ ଯେ ସେମାନଙ୍କ ଆଇନଗତ ଅଧିକାରକୁ ଆମେ ଛଡାଇନେବା। ରାଜ୍ୟ ସରକାର ପ୍ରଥମରୁ କହି ଆସିଛନ୍ତି ଯେ ମାନବିକତା ଓ ନୈତିକତା ଦୃ​‌ଷ୍ଟିକୋଣରୁ ଯେଉଁମାନେ ଭିଟାମାଟି ଛାଡିଛନ୍ତି ସେମାନଙ୍କୁ ସ୍ବରାଜ୍ୟକୁ ଫେରାଇ ଅଣାଯିବା ଆବଶ୍ୟକ। ଏହାକୁ ନେଇ କେତେକ ପ୍ରତିକ୍ରିୟା ଦେଖାଦେଇଥିଲା। ତେବେ ଏବେ ପ୍ରବାସୀମାନଙ୍କ ଆଇନଗତା ଓ ବୈଜ୍ଞାନିକ କାରଣରୁ ସେମାନଙ୍କୁ ଫେରାଇ ଅଣାଯିବା ଆବଶ୍ୟକ। ସେମାନଙ୍କ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ୬୭୯୮ପଞ୍ଚାୟତରେ ୫ଲକ୍ଷରୁ ଅଧିକ ସଙ୍ଗରୋଧ କେନ୍ଦ୍ର ପ୍ରସ୍ତୁତ ରହିଛି। ସେହି ସଙ୍ଗରୋଧ କେନ୍ଦ୍ରରେ ସେମାନଙ୍କ ନମୁନା ପରୀକ୍ଷା କରାଯାଇ ଯଦି ଆକ୍ରାନ୍ତ ଚିହ୍ନଟ ହୋଇଗଲେ ତେବେ ଓଡ଼ିଶା ପାଇଁ କୌଣସି ବିପଦ ଆଗାମୀ ଦିନ ପାଇଁ ରହିବ ନାହିଁ।

ସେ କହିଥିଲେ ଯେ ଭାରତ ହେଉଛି ଏକ ପ୍ରବାସୀ ଶ୍ରମିକଙ୍କ ଦେଶ। ଏଠାରେ ପ୍ରାୟ ୨୦କୋଟି ପ୍ରବାସୀ ଶ୍ରମିକ ବିଭିନ୍ନ ରାଜ୍ୟର ରହିଛନ୍ତି। ସେଥିରୁ ଅଣସଙ୍ଗଠିତ ଶ୍ରମିକଙ୍କ ଭାଗ ୯୨ ପ୍ରତିଶତ। ଓଡ଼ିଶାରେ ପ୍ରତି ୧୦୦ପରିବାରରୁ ୧୬ ପରିବାର କାମ ଅନ୍ବେଷଣରେ ବାହାର ରାଜ୍ୟକୁ ଯାଇଥାନ୍ତି। ଏହାବାଦ୍ ୨୫ ପ୍ରତିଶତରୁ ଅଧିକ ଲୋକ ବିଭିନ୍ନ କାରଣରୁ ଭିଟାମାଟି ଛାଡିଥାନ୍ତି। ସେଥିମଧ୍ୟରେ ଶ୍ରମିକଙ୍କ ସହିତ ଛାତ୍ର, ଚିକିତ୍ସା ଲାଗି ଏବଂ ପରିଭ୍ରମଣକାରୀ ରହିଛନ୍ତି। ଏବେ କରୋନା ପରିପ୍ରେକ୍ଷୀରେ ସେମାନଙ୍କ ଅଧିକାରକୁ ଛଡାଇବା ଠିକ୍ ହେବନାହିଁ ବରଂ ସେମାନଙ୍କୁ ଫେରାଇ ଆଣି ତାଙ୍କ ଉତ୍ତମ ଯତ୍ନ ନେଇପାରିଲେ ତାହା ଆମ ରାଜ୍ୟ ପାଇଁ ଗୌରବର ବିଷୟ ହେବ।

ଆତଙ୍କିତ ନ ହେବାକୁ ସରକାରଙ୍କ ପରାମର୍ଶ
ବର୍ତ୍ତମାନ ସମୟରେ ବାହାରେ ଥିବା ଶ୍ରମିକଙ୍କୁ ରାଜ୍ୟକୁ ଫେରାଇ ଆଣିବାକୁ ଅନୁମତି ଦେବା ଉଚିତ ହୋଇନାହିଁ ବୋଲି କେତେକ ମହଲରେ ଚର୍ଚ୍ଚା ଚାଲିଥିବାବେଳେ ଆଇନଗତ, ନୈତିକ ଓ ମାନବିକତା ଦୃଷ୍ଟିକୋଣରୁ ସେମାନଙ୍କୁ ଫେରାଇ ଆଣିବାର ଆବଶ୍ୟକତା ଅଛି ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅଧିକାଂଶ ଲୋକ ପଶ୍ଚିମବଙ୍ଗ, ଗୁଜରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡ଼ୁ ଭଳି କରୋନା ସଂକ୍ରମିତ ରାଜ୍ୟରୁ ଫେରୁଥିବାରୁ ଓଡ଼ିଶାରେ କରୋନା ପଜିଟିଭ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି। ତେବେ ଏହାକୁ ନେଇ ଆତଙ୍କିତ ହେବାର କାରଣ ନାହିଁ, କାରଣ ସମସ୍ତେ କ୍ବାରେଣ୍ଟାଇନ କେନ୍ଦ୍ରରେ ରହୁଛନ୍ତି। ଓଡ଼ିଶାକୁ ଫେରୁଥିବା ସମସ୍ତ ଓଡ଼ିଆ କ୍ବାରେଣ୍ଟାଇନରେ ରହୁଥିବାବେଳେ ସରକାର ଓ ପଞ୍ଚାୟତିରାଜ ଲୋକପ୍ରତିନିଧିମାନେ ଗୋଷ୍ଠୀ ସହଯୋଗରେ ଏହା ଉପରେ ସତର୍କ ଦୃଷ୍ଟି ରଖିଛନ୍ତି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ପ୍ରବାସୀଙ୍କୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରାଜ୍ୟର ସମସ୍ତ ୬୭୦୦ ପଞ୍ଚାୟତ ଓ ୧୧୪ ପୌରାଞ୍ଚଳରେ କ୍ବାରେଣ୍ଟାଇନ କେନ୍ଦ୍ରରେ ସେମାନଙ୍କ ପାଇଁ ୨୮ଦିନିଆ ବାଧ୍ୟତାମୂଳକ କ୍ବାରେଣ୍ଟାଇନ ବ୍ୟବସ୍ଥା ହୋଇଛି। ଏହାର ଶୃଙ୍ଖଳିତ ପରିଚାଳନା ପାଇଁ ସରପଞ୍ଚମାନଙ୍କୁ ଜିଲାପାଳଙ୍କ କ୍ଷମତା ଦିଆଯିବା ସହିତ କ୍ବାରେଣ୍ଟାଇନ ଶେଷ ହେବା ପରେ ୨୦୦୦ ଟଙ୍କାର ପ୍ରୋତ୍ସାହନ ଅର୍ଥ ଦେବାର ବ୍ୟବସ୍ଥା ହୋଇଛି। କ୍ବାରେଣ୍ଟାଇନ ଅବଧି ୧୪ରୁ ୨୮ଦିନ ବଢ଼ାଯିବା ପରେ କେନ୍ଦ୍ରରେ ରହୁଥିବା ଲୋକଙ୍କୁ କାମ ପାଇଁ ପାରିଶ୍ରମିକ ଦେବାକୁ ସରକାର ଘୋଷଣା କରିଛନ୍ତି।

ସାରା ଦେଶରେ ମାର୍ଚ୍ଚ ୨୪ରେ ଲକଡାଉନ ଘୋଷଣା କରାଯାଇଥିଲା। ଆଜି ସୁଦ୍ଧା ଲକଡାଉନକୁ ୪୬ଦିନ ବିତିଛି। ଜୀବିକା ନିର୍ବାହ ପାଇଁ ଯାଇଥିବା ଓଡ଼ିଶାର ବହୁ ଲୋକ ବାହାର ରାଜ୍ୟରେ ଅଟକି ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଯେଉଁମାନେ ରୋଜଗାର ପାଇଁ ଯାଇ ଓଡ଼ିଶା ଫେରିବାକୁ ଚାହୁଁଛନ୍ତି ସେମାନଙ୍କ ସଂଖ୍ୟା ହେଉଛି ୨୫ରୁ ୩୦ପ୍ରତିଶତ। ଏବେ ଶିଳ୍ପ ଓ ବ୍ୟବସାୟିକ ପ୍ରତିଷ୍ଠାନ କିଛି ସ୍ଥାନରେ କାର୍ୟ୍ୟକ୍ଷମ ହୋଇଥିବାରୁ ସେମାନଙ୍କ ମଧ୍ୟରୁ ଅନେକ ସେଠାରେ ରହି ଜୀବିକା ନିର୍ବାହ ପାଇଁ ଚାହିଁଲେଣି।
ଏଣୁ ଏହି ପରିପ୍ରେକ୍ଷୀରେ ଅଯଥାରେ ଆଶଙ୍କିତ ନହୋଇ ଧୈର୍ୟ୍ୟ ଧରିବା ସହ ସହଯୋଗର ହାତ ବଢ଼ାଇବାକୁ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories