ଭୁବନେଶ୍ୱର : ପ୍ରଥମ ଥର ପାଇଁ ସାମାଜିକ କାର୍ଯ୍ୟ, କ୍ରୀଡ଼ା, ସ୍ଥାପତ୍ୟ, ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ, ଏକାଡେମୀ, ଉଦ୍ୟୋଗ ଓ ପ୍ରଯୁକ୍ତିବିଦ୍ୟାଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତିମାନେ ଓଡ଼ିଶାକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ଫାଷ୍ଟ ଫୋରମର ଶୁଭାରମ୍ଭ ହୋଇଛି। ଏହି ଫୋରମର ଅଧ୍ୟକ୍ଷ ବିଶ୍ୱର ଖ୍ୟାତନାମା କଳାକାର ତଥା ପଦ୍ମବିଭୂଷଣ ପଣ୍ଡିତ ହରିପ୍ରସାଦ ଚୌରାଶିଆ କହିଛନ୍ତି ଓଡ଼ିଶା ବର୍ତ୍ତମାନ ସୁଯୋଗର ରାଜ୍ୟ ପାଲଟିଛି। ଏବେ ସମୟ ଆସିଛି ଆମେ ମିଳିମିଶି ଓଡ଼ିଶାର ବିକାଶକୁ ଆଗେଇ ନେବା।
ଓଡ଼ିଶା ଫାଷ୍ଟ ଫୋରମ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଏମାନଙ୍କ ମଧ୍ୟରେ ଖ୍ୟାତନାମା କଳାକାର ତଥା ପଦ୍ମ ବିଭୂଷଣ ପଣ୍ଡିତ ହରିପ୍ରସାଦ ଚୌରାଶିଆ, ବାଲୁକା ଶିଳ୍ପୀ ସୁଦର୍ଶନ ସାହୁ, ଲୋକପ୍ରିୟ ସଙ୍ଗୀତ ନିର୍ଦେଶକ ପ୍ରଫୁଲ୍ଲ କର, ବିଶିଷ୍ଟ ଲେଖିକା ପ୍ରତିଭା ରାୟ, ହକି ଖେଳାଳି ଦିଲ୍ଲୀପ ତିର୍କି, ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟ ଗୁରୁ ଅରୁଣା ମହାନ୍ତି ଓ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଇଲିଆନା ସିତାରିଷ୍ଟ ଓ ଅନ୍ୟାନ୍ୟ ପ୍ରମୁଖ ବ୍ୟକ୍ତି ଯଥା ପିଲ୍ମ ଅଭିନେତ୍ରୀ ନନ୍ଦିତା ଦାସ, ପାରା ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ, ପ୍ର. ଦାମୋଦର ଆଚାର୍ଯ୍ୟ ଟେକନୋକାର୍ଟ ଅଫ ନ୍ୟାସନାଲ ରେପ୍ୟୁଟ ଓ ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦେଶକ, ପ୍ର. ସୁଧାକର ପଣ୍ଡା ରାଜ୍ୟ ଯୋଜନା ବୋର୍ଡ ଓ ରାଜ୍ୟ କୃଷି ଆୟୋଗର ବରିଷ୍ଠ ସଦସ୍ୟ, ପ୍ର.ଜୟନ୍ତ ପଣ୍ଡା ନିର୍ଦେଶକ କିଟ୍ ବିଶ୍ୱ ବିଦ୍ୟାଳୟ, ଡ. ଅଶୋକ ମହାପାତ୍ର ପୂର୍ବତନ ନିର୍ଦେଶକ ଏଆଇଏମଏମଏସ ଓ କୁଳପତି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ, ସବ୍ୟସାଚୀ ମିଶ୍ର ଅଭିନେତା, ପ୍ରଖ୍ୟାତ ସମାଜସେବୀ ଆରତି ଦେବୀ, ଭାରତୀୟ ବିଦ୍ୟାଭବନ, ଓଡ଼ିଶାର ଚେୟାରମ୍ୟାନ, ଧାର୍ମିକ ବ୍ୟକ୍ତି ସ୍ୱାମୀ ଜଗଦାନନ୍ଦ ଶିବାନନ୍ଦ, ପ୍ର. ଏ.କେ.ଦାସ ପୂର୍ବତନ କୁଳପତି ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରମୁଖ ଯୋଗ ଦେଇଥିଲେ।
ଆଭାସି ମାଧ୍ୟମରେ ସେମାନଙ୍କ ସହ ଯୋଗ ଦେଇଥିଲେ ବେଦାନ୍ତ ଗ୍ରୁପର ଚେୟାରମ୍ୟାନ ଅନିଲ ଅଗ୍ରୱାଲ ଓ ବେଦାନ୍ତ ଲମିଟେଡ ଆଲୁମିନା ବିଜିନେସର ସିଇଓ ରାହୁଲ ଶର୍ମା। ଏହାର ପ୍ରଥମ ବୈଠକରେ ଫୋରମର ସମସ୍ତ ସଦସ୍ୟ ଖ୍ୟାତନାମା କଳାକାର ତଥା ପଦ୍ମବିଭୂଷଣ ବିଜେତା ପଣ୍ଡିତ ହରି ପ୍ରସାଦ ଚୌରାଶିଆଙ୍କୁ ଚେୟାରମ୍ୟାନ ରହିବାକୁ ଅନୁରୋଧ କରିଥିଲେ। ସେମାନେ ମଧ୍ୟ ଶିଳ୍ପ ଜଗତର ଖ୍ୟାତନାମା ପ୍ରବନ୍ଧକ ତଥା ନାଲକୋର ପୁର୍ବତନ ଅଧ୍ୟକ୍ଷ ଓ ବେଦାନ୍ତ ଓଡ଼ିଶାର ସଭାପତି ତଥା ନିର୍ଦେଶକ ତପନ ଚାନ୍ଦଙ୍କୁ ଫୋରମର ସଂଯୋଜକ ହେବା ପାଇଁ ଅନୁରୋଧ କରିଥିଲେ। ଏହି ଫୋରମ ଦ୍ୱାରା ପ୍ରଣିତ କାର୍ଯ୍ୟକ୍ରମଗୁଡ଼ିକୁ ସରକାର, କର୍ପୋରେଟ ସଂସ୍ଥା ଓ ସ୍ୱୟଂଶାସିତ ସଂସ୍ଥାଗୁଡ଼ିକରେ କାର୍ଯ୍ୟକାରୀ କରାଯିବା ପାଇଁ ଉପସ୍ଥାପିତ ହେବ। ଫୋରମ ପର୍ଯ୍ୟାୟକ୍ରମେ ଦେଶର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଭେଟିବ ଓ ଆଲୋଚନାରେ ଭାଗ ନେବାକୁ ଆମନ୍ତ୍ରଣ କରି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ ସମର୍ଥନ ବୃଦ୍ଧି କରିବ। ଫୋରମର ପ୍ରଥମ ବୈଠକ ଗତକାଲି ମେ ଫେୟାର ବୈଠକ ଗୃହରେ ଆୟୋଜିତ ହୋଇଯାଇଛି। ଗ୍ଲୋବାଲ ଲିଡର ଅନିଲ ଅଗ୍ରୱାଲଙ୍କ ଦ୍ୱାରା ବୈଠକର ଶୁଭାରମ୍ଭ ହୋଇଥିଲା ଓ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଚ୍ଚମାନର ଶାସନ ସହିତ ଏକ ସ୍ଥିର ସରକାର ପ୍ରଦାନ କରିଥିବାରୁ ତାଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ରାଜ୍ୟର ଅଭିବୃଦ୍ଧି ତଥା ବିକାଶରେ ସଫଳ ବ୍ୟକ୍ତିଙ୍କ ସ୍ୱେଚ୍ଛାକୃତ ଅଂଶଗ୍ରହଣ ପ୍ରକ୍ରିୟା ରାଜ୍ୟର ଅଗ୍ରଗତିକୁ ତ୍ୱରାନ୍ୱିତ କରିବ। ରାଜ୍ୟର ସର୍ବାଙ୍ଗୀଣ ଉନ୍ନତିରେ ବେଦାନ୍ତ ନିଜର ସହଯୋଗ ଜାରି ରଖିବ ବୋଲି ସେ କହିଥିଲେ। ଏହି ବୈଠକରେ ହରିପ୍ରସାଦ ସଭାପତିତ୍ୱ କରିଥିବାବେଳେ ଜୟଶ୍ରୀ ମହାନ୍ତି ରୋଟାରୀ ଗଭର୍ନର ଉପସ୍ଥାପକ ଥିଲେ। ତପନ ଚାନ୍ଦ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ବେଦାନ୍ତର ସିଇଓ ରାହୁଲ ଶର୍ମା ବେଦାନ୍ତର କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।
ଓଡ଼ିଶା ଫାଷ୍ଟ ଫୋରମର ଶୁଭାରମ୍ଭ
Popular Categories



