ପିପିଲି: ପିପିଲିର ଅତିରିକ୍ତ ତହସିଲଦାର ପ୍ରବୋଧ କୁମାର ମହାନ୍ତିଙ୍କ ବିରୋଧରେ ଜନୈକା ମହିଳା ରାଜସ୍ୱ ନିରୀକ୍ଷକ (ଆର୍ଆଇ) ଥାନାରେ ଅସଦାଚରଣ ଅଭିଯୋଗ କରିଛନ୍ତି। ଏ ନେଇ ବିଏନଏସର ଧାରା ୭୪ ଓ ୭୫ରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର କରି ଅନୁସନ୍ଧାନ ଜାରି ରଖିଛି। ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।
ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଗତ ୨୪ ତାରିଖରେ ମହିଳା ରାଜସ୍ୱ ନିରୀକ୍ଷକ ଜଣକ ପିପିଲି ତହସିଲ କାର୍ୟ୍ୟାଳୟରେ ହୋଇଥିବା ଏକ ଜରୁରୀ ବୈଠକରେ ଯୋଗଦେଇଥିଲେ। ବୈଠକ ଶେଷ ହେବା ବେଳକୁ ବାହାରେ ପ୍ରବଳ ବର୍ଷା ହେଉଥିଲା ଏବଂ ଅଧିକାଂଶ ସହକର୍ମୀ ନିଜ ଘରକୁ ଚାଲିଯାଇଥିଲେ। ସେ ତହସିଲଦାରଙ୍କ ପ୍ରକୋଷ୍ଠ ସାମ୍ନାରେ ଥିବା ଏକ କୋଠରୀରେ ବସି ରହି ବର୍ଷା କମିବାକୁ ଅପେକ୍ଷା କରିଥିଲେ। ଏହି ସମୟରେ ଅତିରିକ୍ତ ତହସିଲଦାର ମହାନ୍ତି ତାଙ୍କ ପାଖକୁ ଆସି କିଛି ସମୟ ପାଇଁ କଥା ହୋଇଥିଲେ। କଥା ହେବା ମଧ୍ୟରେ ମହାନ୍ତି ମହିଳା ଆର୍ଆଇଙ୍କ ପାଖକୁ ଲାଗିଯାଇ ତାଙ୍କ ଶରୀରକୁ ସ୍ପର୍ଶ କରିଥିବା ଅଭିଯୋଗ ହୋଇଛି। ମହିଳା ଆର୍ଆଇ ଜଣକ ଦୂରେଇ ଯାଇ ଉକ୍ତ କୋଠରୀ ଛାଡିବାକୁ ଚେଷ୍ଟା କରିବାରେ ମହାନ୍ତି ଜୋରଜବରଦସ୍ତ ତାଙ୍କ ହାତକୁ ଟାଣି ନେଇ ତାଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି। ଅତିରିକ୍ତ ତହସିଲଦାରଙ୍କ ଏଭଳି ଅଶାଳୀନ ଆଚରଣରେ ସେ ଗଭୀର ଭାବେ ମର୍ମାହତ ଓ ବିଚଳିତ ହେବା ସହ ତାଙ୍କ ବିରୋଧରେ ତୁରନ୍ତ ଆଇନଗତ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଘଟଣାର ତଦନ୍ତ ଚାଲିଛି ଏବଂ ଆଇନ ଅନୁଯାୟୀ କାର୍ୟ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ ସୂଚନା ଦେଇଛନ୍ତି। ତେବେ ଏସଂପର୍କରେ ମତାମତ ନେବାକୁ ଅତିରିକ୍ତ ତହସିଲଦାର ମହାନ୍ତିଙ୍କୁ ତାଙ୍କ ମୋବାଇଲ୍ ଫୋନ୍ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇ ନ ଥିଲେ। ମଙ୍ଗଳବାର ଦିନ ପିପିଲି ତହସିଲ କାର୍ୟ୍ୟାଳୟର ସିସିଟିଭି ଫୁଟେଜକୁ ପୁଲିସ ଯାଞ୍ଚ କରି ଆବଶ୍ୟକ ପ୍ରମାଣ ଯୋଗାଡ କରିବ ବୋଲି ସୂଚନା ମିଳିଛି।



