ଭୁବନେଶ୍ବର: ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ବଙ୍ଗୋପ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ମଙ୍ଗଳବାର ଘନୀଭୂତ ହୋଇ ଲଘୁଚାପ ରୂପ ନେଇଛି। ଏହାର ପ୍ରଭାବରେ ମଙ୍ଗଳବାର ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ମଙ୍ଗଳବାର ଏବଂ ବୁଧବାର ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତା ୩୦ ତାରିଖ ଯାଏ ବର୍ଷା ଜାରି ରହିପାରେ।
୨୮ ତାରିଖରୁ ଉପକୂଳ ଓଡ଼ିଶା ବିଶେଷକରି ଦକ୍ଷିଣ ଓଡ଼ିଶାରେ ବର୍ଷା ପରିମାଣ ବୃଦ୍ଧି ପାଇବ। ଏହି ସମୟରେ ପବନର ବେଗ ୪୫ କି.ମି ମଧ୍ୟରେ ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସୂଚନା ଅନୁସାରେ, ମଙ୍ଗଳବାର ରାଜ୍ୟର କିଛି ଜିଲାରେ ଘଡ଼ଘଡ଼ି ଓ ପବନ ସହିତ ବର୍ଷା ହୋଇପାରେ। ବୁଧବାର ଦିନ ବର୍ଷା ଓ ପବନର ବେଗ ବୃଦ୍ଧି ପାଇବ। କୋରାପୁଟ ଓ ରାୟଗଡ଼ା ସମେତ ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି, ନୂଆପଡ଼ା ଜିଲା ପ୍ରଭାବିତ ହୋଇପାରେ। ଏହି ଦିନ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା ଅଛି। ଆଗାମୀ ୩୦ ତାରିଖ ଯାଏ ବର୍ଷା ଓ ଘଡ଼ଘଡ଼ି ସମ୍ଭାବନା ରହିଛି।



