ରାଜସ୍ୱ ଆୟୁକ୍ତଙ୍କ ବୌଦ୍ଧ ଗସ୍ତ, ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା

ବୌଦ୍ଧ  : ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳେଇ ଦିନିକିଆ ବୌଦ୍ଧ ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଶ୍ରୀ ଦଳେଇ ମହାନଦୀ ବ୍ରିଜଛକଠାରେ ପହଞ୍ଚିବାପରେ ସେଠାରେ ଜିଲାପାଳ ସତ୍ୟରଂଜନ ସାହୁ ଓ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ। ରାଜସ୍ୱ କମିଶନର ଶ୍ରୀ ଦଳେଇ ବ୍ରିଜଛକଠାରେ ମହାନଦୀ କୂଳରେ ବୌଦ୍ଧଗଡ ଏନଏସି ପକ୍ଷରୁ ଚାଲିଥିବା ପଶ୍ଚିମା ଭବନ କାର୍ଯ୍ୟ ବୁଲି ଦେଖିବା ସହିତ ପ୍ରକଳ୍ପର ଅଗ୍ରଗତି ଓ ପ୍ରକଳ୍ପ ସଂପୁର୍ଣ୍ଣ ନେଇ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ରଙ୍କ ସହିତ ଆଲୋଚନା କରିଥିଲେ। ଆଗାମୀ ଡିସେମ୍ବର ମାସ ମଧ୍ୟରେ ପଶ୍ଚିମା ଭବନ କାର୍ଯ୍ୟ ସଂପୁର୍ଣ୍ଣ କରିବାକୁ ଶ୍ରୀଯୁକ୍ତ ଦଳେଇ ଏନଏସି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବା ସହିତ ପ୍ରକଳ୍ପ ମଧ୍ୟରେ ହେବାକୁ ଥିବା ସୁବିଧା ସୁଯୋଗ ନେଇ ପଚାରି ବୁଝିଥିଲେ। ପଶ୍ଚିମା ଭବନ ପ୍ରକଳ୍ପକୁ ରାଜସ୍ୱ କମିଶନର ପ୍ରଶଂସା କରିବା ସହିତ ଉପଯୁକ୍ତ ସ୍ଥାନରେ ଏହାକୁ ନିର୍ମାଣ କରାଯାଉଥିବା ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ। ସେଠାରୁ ଗାଈଗୋଠ ପଡିଆଠାରେ ନିର୍ମିତ ବିଜୁ ଆଦର୍ଶ କଲୋନୀରେ ପହଞ୍ଚି ପୁର୍ନଥଇଥାନ ଯୋଜନାର ଅନୁଧ୍ୟାନ କରିବା ସହିତ ସେଠାରେ କମ୍ୟୁନିଟି ସେଣ୍ଟର ଠାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କ ସହିତ ଆଲୋଚନା କରିଥିଲେ। ପରେ ମହାନଦୀର ଚନ୍ଦ୍ରଚୂଡ ମନ୍ଦିର ନିକଟରେ ନିର୍ମାଣାଧିନ ବହୁ ପ୍ରତୀକ୍ଷିତ ମହାନଦୀ ଆଳତୀ ଘାଟ ପ୍ରକଳ୍ପ ବୁଲିଦେଖିବା ସହିତ ଉଦ୍ୟମକୁ ପ୍ରଶଂସା କରିଥିଲେ।

ପ୍ରକାଶଥାଉକି, ଜିଲାପାଳ ସତ୍ୟରଂଜନ ସାହୁଙ୍କ ଏକ ସ୍ବପ୍ନର ପ୍ରକଳ୍ପ ଭାବେ ମହାନଦୀ ଆଳତୀ ଘାଟ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବାବେଳେ ନିକଟ ଭବିଷ୍ୟତରେ ଏହାର ଉଦଘାଟନ କରାଯିବାକୁ ଯୋଜନା ରହିଛି । ସେଠାରୁ ଶ୍ରୀ ଦଳେଇ କୋଭିଡ ଚିକିତ୍ସାଳୟଠାରେ ପହଞ୍ଚି ଡାକ୍ତରମାନଙ୍କ ସହିତ ଆଲୋଚନା କରିବା ସହିତ ନିର୍ମାଣାଧିନ କିଡନୀ ରୋଗ ଚିକିତ୍ସା କେନ୍ଦ୍ର ଓ ମାନସିକ ରୋଗୀଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥାର ତଦାରଖ କରିଥିଲେ। ସେଠାରୁ ଜିଲା ପାଠାଗାରଠାରେ ମୁକ୍ତା ଯୋଜନାରେ ନିର୍ମାଣ ହେବାକୁ ଥିବା ଚଲାପଥ, ମୁକ୍ତ ବ୍ୟୟାମଶାଳା ଓ ମୁକ୍ତ ପାଠାଗାର ପ୍ରକଳ୍ପର କ୍ଷେତ୍ର ପରିଦର୍ଶନ କରିବା ସହିତ ତୁରନ୍ତ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ରାଜସ୍ୱ ଆୟୁକ୍ତ  ଶ୍ରୀ ଦଳେଇ ପାଠାଗାର ମଧ୍ୟରେ ବରିଷ୍ଠ ନାଗରିକ ଓ ଶିଶୁମାନଙ୍କ ପଢିବା ପାଇଁ ରହିଥିବା ସ୍ୱତନ୍ତ୍ର ବ୍ୟବସ୍ଥା ଦେଖି ପ୍ରଶଂସା କରିବା ସହିତ କର୍ମଚାରୀମାନେ ଠିକ୍ ଭାବରେ ଏହାକୁ ପରିଚାଳନା କରିବା ପାଇଁ ତାଗିଦ୍ କରିଥିଲେ। ସେଠାରୁ ଗୁଣ୍ଡିଚା ମନ୍ଦିର ଉନ୍ନତିକରଣ ପ୍ରକଳ୍ପ ବୁଲି ଦେଖିବା ସହିତ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଶୀରାମ ବଳରାମ ଅବତାର ବେଶ ଦର୍ଶନ କରିଥିଲେ। ପରେ ଆଦର୍ଶ କୃଷକ ବଜାର ପରିଦର୍ଶନ କରିବା ସହିତ ନିର୍ମାଣାଧିନ ଆଦର୍ଶ ମାଛ ବଜାର, ବୁଣାକାର ହାଟ, ଦୈନିକ ପରିବା ବଜାର ଏବଂ ମିଲେଟ ଓ ମିଶନ ଶକ୍ତି କାଫେ ଦେଖିଥିଲେ। ପରେ ଶ୍ରୀ ଦଳେଇ ଜିଲାର ସର୍ବପୂରାତନ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ପ୍ରଥମ ପର୍ଯ୍ୟାୟ ୫-ଟିରେ ରୂପାନ୍ତରିତ ହେବା ସତ୍ୱେ ଛାତ୍ରମାନଙ୍କ ପରୀକ୍ଷା ଫଳ ଆଶାଜନକ ହେଉନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ସହିତ ସେ ଆଲୋଚନା କରି ବିଦ୍ୟାଳୟରେ ଶିକ୍ଷାର ଉପଯୁକ୍ତ ବାତାବରଣ ସୃଷ୍ଟି ପାଇଁ ଛାତ୍ରମାନଙ୍କୁ ନିଜର ସନ୍ତାନ ଭଳି ଶିକ୍ଷାଦାନ କରିବାକୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟରେ ରହିଥିବା କିଛି ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରାଯିବାକୁ ନିର୍ଦ୍ଦେଶ ଦେଇଥିଲେ। ଅତିଥି ଭବନରେ ପହଞ୍ଚି ରାଜସ୍ୱ ଆୟୁକ୍ତ ଶ୍ରୀ ଦଳେଇ ଜିଲାସ୍ତରୀୟ ଅଧିକାରୀମାନଙ୍କ ସହିତ ବିଭାଗୀୟ କାର୍ଯ୍ୟକ୍ରମ ନେଇ ସମୀକ୍ଷା କରିଥିଲେ। ବିଶେଷ ଭାବରେ ରାଜସ୍ୱ ଆଦାୟ, ମୋ ସରକାର ଯୋଜନା, ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଗୁଡିକର ସଠିକ୍ ପରିଚାଳନା,ସାଧାରଣଲୋକଙ୍କୁ ସଠିକ୍ ସମୟରେ ପ୍ରମାଣପତ୍ର ଯୋଗାଇ ଦେବା, ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଗୁଡିକର ଆଧୁନିକିକରଣ, କ୍ୟାମ୍ପ କୋର୍ଟ, ନିୟମିତ ଆଭାସି ବୈଠକ, ଇ- ପାଉତି ଉପରେ ଗୁରୁତ୍ୱାରୋପ କରିବା ସହିତ ବିଦ୍ୟୁତ ବିଭାଗ ପକ୍ଷରୁ ଭିତିଭୁମି ଅନୁଧ୍ୟାନ କରି ଲୋକଙ୍କୁ ନିରବିଛିନ୍ନ ବିଦ୍ୟୁତ ସେବା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ପରେ ରାଜସ୍ୱ ଆୟୁକ୍ତ ଶ୍ରୀ ଦଳେଇ ହରଭଙ୍ଗା ବ୍ଲକର ବଡବନ୍ଧ କନ୍ୟାଶ୍ରମଠାରେ ପହଞ୍ଚି ଛାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ । ରାଜସ୍ୱ କମିଶନରଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ସମୟରେ ଜିଲାପାଳ ଶ୍ରୀ ସାହୁଙ୍କ ସମେତ ଅତିରିକ୍ତ ଜିଲାପାଳ ଦାରିଦ୍ର୍ୟ ଭଞ୍ଜନ ମଦନ ମୋହନ ପାତ୍ର, ଉପଜିଲାପାଳ ରବିନ୍ଦ୍ର ନାଥ କହଁର,ଏନଏସି ନିର୍ବାହୀ ଅଧିକାରୀ ଇଂ. ମନୋରଂଜନ ପଣ୍ଡା ଏବଂ ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.