ରେଙ୍ଗାଲିକ୍ୟାମ୍ପ : ଚାଷ କାମ ଯାହାର , କେତେ ସୁଖ ତାହାର” ଏହି ଉକ୍ତିର ଯଥାର୍ଥତା ଆଜି ସ୍ବପ୍ନ ପାଲଟିଛି। ଆଜି ଚାଷର ଅବସ୍ଥା ଯାହା ହୋଇଛି ,ସେଥିରେ ଚାଷୀକୁଳ ମର୍ମାହତ ହୋଇଯାଇଛନ୍ତି। ହାଡ଼ଭଙ୍ଗା ପରିଶ୍ରମ କରି ଯେତେବେଳେ ଚାଷୀ ତାର ସୁନାର ଧାନ ଫସଲକୁ ଦେଖୁଥିଲା,ତାର ମନ ଆନନ୍ଦରେ ନାଚି ଉଠୁଥିଲା,ମନରେ ଅସୁମାରୀ ଆଶା ଓ ପରିବାର ପାଇଁ କିଛି କରିବାର ଆକାଂକ୍ଷା ଜାଗି ଉଠିଥିଲା। ଉତ୍ପାଦିତ ଧାନକୁ ବିକ୍ରି କରି ସେଥିରେ କିଏ ଝିଅର ବାହାଘର କରିବାର ସପ୍ନ ଦେଖୁଥିଲେ ତ’ ଆଉ କିଏ ଘର ଖଣ୍ଡେ କରିବାର, ଆଉ ପୁଣି କିଏ ନିଜର ସନ୍ତାନକୁ ଉଚ୍ଚ ଶିକ୍ଷା ଦେବାର ଆଶା ପୋଷଣ କରିଥିଲେ। ହେଲେ ଫସଲ ଅମଳ ଆଉ ଧାନ ବିକ୍ରିରେ ପ୍ରାକୃତିକ ସହ କୃତ୍ରିମ ପ୍ରତିରୋଧ ଚାଷୀଙ୍କର ସେଇ ସବୁ ସପ୍ନକୁ ଭାଙ୍ଗି ଚୁରମାର୍ କରିଦେଲା। ଧାନ ବିକିବା ତ ଦୂରେ ଥାଉ ଆଜି ତାହା ରାସ୍ତା ଘାଟରେ ପଡ଼ି ଖତ ପାଲଟିଛି। ତାର ସେଇ ପରିଶ୍ରମର ଫଳ ଆଜି ରାସ୍ତାରେ ସଢୁଥିବା ଦେଖି ଚାଷୀ ମନରେ ଯେଉଁ ଭାବନା ଆସୁଥିବ ,ତାହା ମାନବିକ ଗୁଣଧାରି ମଣିଷ ବେଶ୍ ହୃଦୟଙ୍ଗମ କରିପାରୁ ଥିବ। ନିଜର ଧାନ କୁ ଅମଳ କରିବା ଆଉ ବିକିବା ପାଇଁ ଚାଷୀ କେବେ ଶ୍ରୀମିକଙ୍କ ଦ୍ବାରସ୍ଥ ତ ଆଉ କେତେବେଳେ ପ୍ରଶାସନର ଦ୍ବାରସ୍ଥ ହେଇ କେତେ ନେହୁରା ହୋଇଛି। କିନ୍ତୁ ପ୍ରଶାସନ ଯେପରି ନୀରବ ଓ ନିଶ୍ଚଳ ଏଇ ଚାଷୀଙ୍କ ପାଇଁ। ସବୁ କିଛି ବୃଥା ହେଲା। ପ୍ରଶାସନିକ ପଦାଧିକାରୀଙ୍କ ପ୍ରତିଶ୍ରୁତି ଛଡ଼ା ଆଉ କିଛି ହୋଇ ପାରିଲା ନାହିଁ। ପ୍ରକୃତିର ପ୍ରହାର ସାଙ୍ଗକୁ ସରକାରୀ ନିୟମ ଓ ବେପାରୀ, ମିଲର୍ସମାନଙ୍କର ମଧୂଚନ୍ଦ୍ରିକାରେ ପଡ଼ି ଚାଷୀ ସର୍ବସ୍ବାନ୍ତ ହୋଇଗଲା। ଆଜି ଚାଷୀଙ୍କ ଆଖିରୁ ଲୁହ ନୁହେଁ ଲହୁ ଝରୁଛି।

ସରକାର,ସରକାରୀ ନୀତି,ବେପାରୀ ନା କରୋନା ଜନିତ ଲକଡାଉନ କଟକଣା। ଯେଉଁ ଧାନ ମୁଠାଏ ପାଇଁ ଲୋକ ହା- ହା କାର ହେଉଥିଲେ, କିଏ ଧାନ ଚୋରି କରି ନେଉଥିଲା, ଧାନ ବଦଳରେ ଅନ୍ୟ ଜିନିଷ ପତ୍ରର ବିନିମୟ ହେଉଥିଲା, ସେଇ ଧାନ ଆଜି ମୂଲ୍ୟହୀନ ହୋଇଯାଇଛି। ଚୋର ଧାନ ଚୋରୀକରିବା ପାଇଁ ଆଜି ଘୃଣା କରୁଛି।ମଣିଷ ପାଇଁ ଯାହା ଅମୂଲ୍ୟ ଖାଦ୍ୟ ହେଉଥିଲା ତାହା ଆଜି ଗୋରୁ ଗାଈଙ୍କ ପାଇଁ ମଧ୍ୟ ଅଖାଦ୍ୟ ହୋଇଗଲା ରାସ୍ତାରେ ଆଜି ପଚି ସଢି ଖତ ପାଲଟିଛି। ଚାଷୀ କୂଳ କେତେ ନେହୁରା ହେଲେ, ଦାବି ଜଣାଇଲେ ନିଜର ହକ ପାଇଁ, ହେଲେ ଚାଷୀଙ୍କ କଥା କେହି ଶୁଣିଲେନି। କରୋନା ସମୟରେ ସରକାର ସମସ୍ତଙ୍କ ପାଇଁ କିଛି ନା କିଛି ସହାୟତା କରିଛନ୍ତି। କିନ୍ତୁ ଚାଷୀ ଆଜି ସର୍ବସ୍ବାନ୍ତ ହେଲା ପରେ ମଧ୍ୟ ପ୍ରଶାସନିକ ଅଧିକାରୀ ମାନେ ଚୁପ୍ ହୋଇ ବସି ରହିବା ପଛରେ କି ଉଦ୍ଦେଶ୍ୟ ରହିଛି ? ସରକାରଙ୍କ ଏହି ବୈମାତୃକ ମନୋଭାବ ଦେଖି ଆଜି ଚାଷୀକୂଳ କ୍ଷୋଭ ପ୍ରକାଶ କରିଛନ୍ତି। ଚାଷୀ କୂଳ ଚାଷ କାମ ଛାଡ଼ିଲେ ସାରା ସଂସାର ଭୋକରେ ମରିଯିବ। ତେଣୁ ଚାଷୀଙ୍କ ଦରଦୀ ବନ୍ଧୁ ହୋଇ ସରକାର ତାଙ୍କ ପ୍ରତି ସହାୟତାର ହାତ ବଢାନ୍ତୁ ବୋଲି ଦାବି ହେଉଛି।



