www.samajalive.in
Monday, December 8, 2025
14.1 C
Bhubaneswar

୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ – ଏମଏସଏମଇ କ୍ଷେତ୍ରକୁ ମିଳିଲା ପ୍ରୋତ୍ସାହନ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ମଧ୍ୟରୁ କେଉଁ କ୍ଷେତ୍ରକୁ କେତେ ପ୍ରୋତ୍ସାହନ ଦିଆଯିବ ସେନେଇ ଏବେ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରୁଛନ୍ତି। ଗତ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦ ଲକ୍ଷ କୋଟି ଟଙ୍କାର ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପ୍ରତି କ୍ଷେତ୍ର ପାଇଁ ଆର୍ଥିକ ପ୍ୟାକେଜରେ ଗୁରୁତ୍ଵପୂର୍ଣ୍ଣ ଘୋଷଣା କରାଯିବ। ଅର୍ଥ ମନ୍ତ୍ରଣାଳୟ ଏହାର ବିସ୍ତୃତ ସୂଚନା ଦେବ।

ପ୍ରଧାନମନ୍ତ୍ରୀ କହିଥିଲେ, ଏହି ଆର୍ଥିକ ପ୍ୟାକେଜ ଜରିଆରେ ଦେଶର ବିଭିନ୍ନ ବର୍ଗକୁ ୨୦ ଲକ୍ଷ କୋଟିର ସମ୍ବଳ ମିଳିବ। ଏହି ପ୍ୟାକେଜ ୨୦୨୦ରେ ଦେଶର ବିକାଶ ଯାତ୍ରାକୁ ନୂଆ ଗତି ଦେବ। ଆତ୍ମନିର୍ଭରଶୀଳ ଭାରତର ସଙ୍କଳ୍ପ ପୂରା କରିବା ପାଇଁ ଏହି ପ୍ୟାକେଜରେ ଜମି, ଶ୍ରମ, ଲିକ୍ବିଡିଟି ସମସ୍ତ କ୍ଷେତ୍ରକୁ ଗୁରୁତ୍ଵ ଦିଆଯାଇଛି।

- Advertisement -

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଏହି ପ୍ୟାକେଜ ସମ୍ପର୍କରେ ବିସ୍ତୃତ ବିବରଣୀ ଦେବା ଅବସରରେ ଅର୍ଥ ମନ୍ତ୍ରୀ ନିର୍ମଳ ସୀତାରମଣ କହିଛନ୍ତି ଯେ ‘ଆତ୍ମନିର୍ଭର ଭାରତ’ ସଂକଳ୍ପର ପୂର୍ଣ୍ଣ କାର୍ଯ୍ୟାନ୍ୱୟନ ଦୃଷ୍ଟିରୁ ଏହି ପ୍ୟାକେଜରେ ଜମି, ଶ୍ରମ ଓ ସହଜ ବଣ୍ଟନ ଉପରେ ଗୁରୁତ୍ୱ ଦିଆଯାଇଛି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଯେଉଁ ସଂକଳ୍ପ ଗ୍ରହଣ କରିଛନ୍ତି ତାହା ଦେଶବାସୀଙ୍କ ମଧ୍ୟରେ ନୂତନ ଆଶା ଓ ଶକ୍ତି ସଂଚାର କରିଛି। ସେ କହିଛନ୍ତି ଯେ ଭାରତର ଔଷଧ ନିର୍ମାତା କମ୍ପାନୀଗୁଡ଼ିକ ସାରା ବିଶ୍ୱରେ ଔଷଧ ପହଂଚାଇବା କାର୍ଯ୍ୟ କରିଛନ୍ତି ଯେଉଁଥି ପାଇଁ ସେମାନଙ୍କୁ ପ୍ରଶଂସା କରାଯାଉଛି। ଯେଉଁ ପର୍ଯ୍ୟନ୍ତ ଭାରତ ଆତ୍ମନିର୍ଭରଶୀଳ ହେବ ନାହିଁ, ସେ ପର୍ଯ୍ୟନ୍ତ ଏହି ଦିଗରେ ସମସ୍ତ ପଦକ୍ଷେପ ନିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ଅର୍ଥ ରାଜ୍ୟ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରତିଦିନ ଅଲଗା ଅଲଗା କ୍ଷେତ୍ର ପାଇଁ ସୂଚନା ଦିଆଯିବ। ଚାହିଦା ବୃଦ୍ଧି ଓ ଏହାର ପୁରାଣ ପାଇଁ କିଭଳି ଯୋଗାଣ ବ୍ୟବସ୍ଥାକୁ ସୁସଂହତ କରାଯାଇ ପାରିବ ସେ ନେଇ ପଦକ୍ଷେପ ନେବାର ସମୟ ଆସିଛି ବୋଲି ସେ କହିଛନ୍ତି। ଏବେ ଗରିବମାନଙ୍କୁ ଦିଆଯାଉଥିବା ସହାୟତା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ପଠାଇ ଦିଆଯାଉଛି ଏବଂ କେନ୍ଦ୍ର ସରକାର ସେ ଦିଗରେ ଦୃଢତାର ସହ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ଦେଶରେ ଲକ ଡାଉନ ଘୋଷଣା ହେବ ମାତ୍ରେ ସରକାର ୧.୭୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ। ଦେଶରେ ଯେପରି କେହି ଭୋକିଲା ରହିବେ ନାହିଁ ସେ ନେଇ ସରକାର ପଦକ୍ଷେପ ନେଇଥିଲେ ଓ ପ୍ରଥମ ଥର ପାଇଁ ୪୧ କୋଟି ଆକାଉଣ୍ଟକୁ ସିଧାସଳଖ ସହାୟତା ଅର୍ଥ ପଠାଯାଇଥିଲା।

ନିର୍ମଳା କ୍ଷୁଦ୍ର ଓ ଲଘୁ ଉଦ୍ୟୋଗ (ଏମଏସଏମଇ) କ୍ଷେତ୍ରକୁ ୩ ଲକ୍ଷ କୋଟି ଋଣ ପ୍ରଦାନ ପାଇଁ ଘୋଷଣା କରିଛନ୍ତି। ଏଥିରେ ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଲୋନ ସୁବିଧା ମିଳିବ। ବିନା ଗ୍ୟାରେଣ୍ଟିରେ ୩ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ ଯାହା ଫଳରେ ୪୫ ଲକ୍ଷ ଏମଏସଏମଇ କ୍ଷେତ୍ରକୁ ଲାଭ ମିଳିପାରିବ। ଏଥିରେ ଏକ ବର୍ଷ ପର୍ଯ୍ୟନ୍ତ ମୂଳ ଧନ ଦେବାକୁ ପଡିବ ନାହିଁ। ଏହା ବ୍ୟତୀତ ରୁଗଣ ହୋଇପଡିଥିବା ଏମଏସଏମଇ କ୍ଷେତ୍ରକୁ ୨୦ ହଜାର କୋଟି ଟଙ୍କା ଋଣ ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି।

ଯେଉଁ ଏମଏସଏମଇଗୁଡିକର ବାର୍ଷିକ ଟର୍ନ ଓଭର ୧୦୦ କୋଟି ସେ କ୍ଷେତ୍ରରେ ସେଗୁଡିକ ୨୫ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ। ଏଥିରେ ନେବାକୁ ଥିବା ଋଣ ଟଙ୍କା ଚାରି ବର୍ଷରେ ପରିଶୋଧ କରିବାକୁ ପଡିବ। ସେହିପରି ଉଦ୍ୟୋଗ ଆକାର ବୃଦ୍ଧି କରିବାକୁ ଚାହୁଁଥିଲେ ୫୦ ହଜାର କୋଟି ଟଙ୍କାର ଇକ୍ୟୁଇଟି ବ୍ୟବସ୍ଥା କରାଯାଇଛି।

ପୂର୍ବରୁ ପୁଞ୍ଜି ନିବେଶ ଆଧାରକୁ ନେଇ ଏମଏସଏମଇର ସଂଜ୍ଞା ନିରୂପଣ କରାଯାଉଥିବା ବେଳେ ଏବେଠାରୁ ଟର୍ଣ୍ଣଓଭର ଆଧାରରେ ଏହା ସ୍ଥିର ହେବ। ବିତ୍ତମନ୍ତ୍ରୀ ନିର୍ମଳା କହିଛନ୍ତି ଯେ, ଅଧିକ ପୁଞ୍ଜି ବିନିଯୋଗ କରୁଥିବା କମ୍ପାନୀକୁ ମଧ୍ୟ ଏମଏସଏମଇ ସୀମା ମଧ୍ୟରେ ରଖାଯିବ। ପୂର୍ବରୁ ମାଇକ୍ରୋ ୟୁନିଟରେ ୨୫ ହଜାର ଟଙ୍କା ବିନିଯୋଗ ବଦଳେ ତାହାକୁ ବୃଦ୍ଧି କରାଯାଇ ୧ କୋଟି ଟଙ୍କା କରାଯାଇଛି। ସେ କ୍ଷେତ୍ରରେ ଟର୍ଣ୍ଣଓଭର ୫ କୋଟି ହେଲେ ମଧ୍ୟ ତାହା ମାଇକ୍ରୋୟୁନିଟ ଭାବେ ଗ୍ରହଣ କରାଯିବ। ଏହା ଫଳରେ ଏମଏସଏମଇ କ୍ଷେତ୍ରରେ ବ୍ୟବସାୟ ସହଜ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ଅର୍ଥମନ୍ତ୍ରୀ ନିର୍ମଳା ଘୋଷଣା କରିଛନ୍ତି ଯେ ୧୫ ହଜାର ଟଙ୍କାରୁ କମ ଦରମା ପାଉଥିବା କର୍ମଚାରୀଙ୍କୁ ସରକାର ସହାୟତା କରିବେ। ଦରମାର ୨୪ ପ୍ରତିଶତ ସରକାର ଭବିଷ୍ୟନିଧି ପାଣ୍ଠିରେ ଜମା କରିବେ। ଏଥିପାଇଁ ଅଢେଇ ହଜାର କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯିବ। ବିତ୍ତମନ୍ତ୍ରୀ କହିଛନ୍ତି ଯେ ଆସନ୍ତା ୩ ମାସ ପାଇଁ ପିଏଫ ଭାଗିଦାରୀ ଦେୟ ହ୍ରାସ କରାଯାଇଛି। ଏହା ନିଯୁକ୍ତିଦାତାମାନଙ୍କୁ ଲାଭ ଦେବ।

ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ ଦ୍ୱାରା ଚାଲିଥିବା ୪୫ ହଜାର କୋଟି ଟଙ୍କାର ଯୋଜନାକୁ ଅଧିକ ବିସ୍ତାର କରାଯାଇ ଆଂଶିକ ଋଣ ଗ୍ୟାରେଣ୍ଟି ଯୋଜନା ପରିସୀମା ବୃଦ୍ଧି କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଏହି ଯୋଜନାରେ ସବୁଠାରୁ କ୍ଷୁଦ୍ର କମ୍ପାନୀକୁ ମଧ୍ୟ ଋଣ ଦିଆଯିବ। ଏଥିପାଇଁ ୩୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଏହି ୩୦ ହଜାର କୋଟି ବ୍ୟୟ ବରାଦରେ ହାଉସିଂ ଏବଂ ମାଇକ୍ରୋ ଫାଇନାନ୍ସ ମଧ୍ୟ ରହିଛି। ଏହାର ପୁରା ଗ୍ୟାରେଣ୍ଟି ସରକାର ବହନ କରିବେ ବୋଲି ସେ କହିଛନ୍ତି।

ସେହିପରି ଶକ୍ତି କ୍ଷେତ୍ର ବିକାଶ ପାଇଁ ୯୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ ବିଜୁଳି ଶକ୍ତି ବିତରଣ କମ୍ପାନୀଗୁଡିକର ଆୟ ହ୍ରାସ ପାଇଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଅର୍ଥ ସରକାରୀ କମ୍ପାନୀ ମାଧ୍ୟମରେ ବିଭିନ୍ନ କ୍ଷେତ୍ରକୁ ଦିଆଯିବ। ଏଥିରେ ହେବାକୁ ଥିବା ନିର୍ମାଣ କାର୍ଯ୍ୟର ଅବଧି ଆଉ ଛ ମାସ ବୃଦ୍ଧି କରାଯାଇଥିବା ସେ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ଯେ ଯେଉଁମାନେ ୨୦୨୦ ମାର୍ଚ୍ଚ ୬ ତାରିଖ ପରେ ନିର୍ମାଣ ପାଇଁ ପଞ୍ଜିକରଣ କରିଛନ୍ତି, ସେମାନେ ଏହି ସମୟ ସୀମା ବୃଦ୍ଧି ଫଂହଲରେ ଲାଭବାନ ହୋଇପାରିବେ। ବିଲଡର ମାନଙ୍କୁ ମଧ୍ୟ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଅଧିକ ସମୟ ଦିଆଯିବ।

ଆଜି ଅର୍ଥମନ୍ତ୍ରୀ ବିଭିନ୍ନ କ୍ଷେତ୍ର ପାଇଁ ଅର୍ଥ ଆବଣ୍ଟନ ଘୋଷଣା କରିବା ସହ ଆୟକର ରିଟର୍ନ ତାରିଖ ୨୦୨୦ ନଭେମ୍ବର ୨୦ ଯାଏଁ ବୃଦ୍ଧି ବିଷୟ କହିଛନ୍ତି। ଆୟକର କ୍ଷେତ୍ରରେ ଟ୍ରଷ୍ଟ ଏବଂ ଅନ୍ୟାନ୍ୟ ସଂସ୍ଥାର ସମସ୍ତ ବକେୟା ଅର୍ଥ ତୁରନ୍ତ ଦିଆଯିବ ବୋଲି ସେ କହିଛନ୍ତି। ସେହିପରି ଟିଡ଼ିଏସ କ୍ଷେତ୍ରରେ ଦିଆଯାଉଥିବା ୨୫ ପ୍ରତିଶତ ରିହାତି ୨୦୧୧ ମାର୍ଚ୍ଚ ୩୧ ଯାଏଁ ବଳବତ୍ତର ରହିବ। ଅନ୍ୟ ପକ୍ଷରେ ବିବାଦରୁ ବିଶ୍ୱାସ ସ୍କିମରେ କର ବିବାଦ ଥିବା କମ୍ପାନୀଗୁଡ଼ିକ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ବିନା ସୁଧାରେ ଟ୍ୟାକ୍ସ ଦେଇପାରିବେ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories