www.samajalive.in
Wednesday, December 10, 2025
14.1 C
Bhubaneswar

‘କାଳିଆ’ ଟଙ୍କା ଚାଷୀଙ୍କଠାରୁ ନୁହେଁ ଚିହ୍ନଟ କରିଥିବା ଅଧିକାରୀ ଫେରାନ୍ତୁ : ନିରଞ୍ଜନ

ଭୁବନେଶ୍ୱର : ବିଜେଡି ସରକାର ଠିକ୍‍ ୧୯ ନିର୍ବାଚନ ପୂର୍ବରୁ ଚାଷୀଙ୍କଠାରୁ ଭୋଟ ହାତେଇବାକୁ ‘କାଳିଆ’ ଯୋଜନା ପ୍ରଣୟନ କରିଥିଲେ। ଏବେ ନୋଟିସ ପଠାଇ ଟଙ୍କା ଆଦାୟ କରିବା ଆଭିମୁଖ୍ୟ ଚାଷୀଙ୍କ ପ୍ରତି ପ୍ରତାରଣା ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଏଥିରେ ୭୫ଲକ୍ଷ ଚାଷୀ ପରିବାରଙ୍କୁ ବର୍ଷକୁ ୧୦ ହଜାର ଟଙ୍କା ସାହାଯ୍ୟ ଦେବାପାଇଁ ଘୋଷଣା କରିଥିଲେ। ଅଦ୍ୟାବଧି ସରକାର ଏହି ଯୋଜନାରେ ୪୨ଲକ୍ଷ ଚାଷୀ ପରିବାରଙ୍କୁ ଅନ୍ତର୍ଭୁକ୍ତ କରିଛନ୍ତି। ଏହି ତାଲିକାରେ ଅଯୋଗ୍ୟ ହିତାଧିକାରୀ ଥିବାର ପ୍ରମାଣ ମିଳିବାପରେ ସରକାର ଏବେ ସେମାନଙ୍କଠାରୁ ୧୭୦ କୋଟି ଟଙ୍କା ଫେରାଇବା ପାଇଁ ନୋଟିସ ଜାରି କରିଛନ୍ତି। ସେତେବେଳେ ତରବରିଆ ଭାବେ ଯେଉଁ ଅଧିକାରୀ ସଠିକ ଭାବେ ଚିହ୍ନଟ ନକରି କାଳିଆ ଯୋଜନାରେ ଟଙ୍କା ଦେଇଥିଲେ, ଏହି ଟଙ୍କା ଚାଷୀଙ୍କ ପରିବର୍ତ୍ତେ ସେହି ଅଧିକାରୀଙ୍କଠାରୁ ଆଦାୟ କରାଯାଉ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସେତେବେଳେ କଂଗ୍ରେସ ଏହି ଯୋଜନାର ବିଶ୍ୱାସନୀୟତା ନେଇ ପ୍ରଶ୍ନ କରିଥିଲା। ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ କଥା ଉଠିବାରୁ ମୁଖ୍ୟମନ୍ତ୍ରୀ ନିଜେ ଭାରତର ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇ ଚାଷୀଙ୍କ ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ କହି ‘କାଳିଆ’ ଟଙ୍କା ଦେବାକୁ ଦାବି କରିଥିଲେ। ସେତେବେଳେ ଏହି ତାଲିକାରେ ସରକାରୀ କର୍ମଚାରୀ, ଆୟକର ଦେଉଥିବା ବ୍ୟକ୍ତିବିଶେଷ, ଗୋଟିଏ ପରିବାରରୁ ଅନେକ ବ୍ୟକ୍ତିଙ୍କ ଅନ୍ତର୍ଭୁକ୍ତ, ଅନେକ ନାବାଳକଙ୍କ ନାମ ମଧ୍ୟ ରହିଥିବା ପ୍ରମାଣ ମିଳିଥିଲା। ଏହି ସମୟ ଭିତରେ କେନ୍ଦ୍ର ସରକାର ମଧ୍ୟ ପ୍ରଧାନମନ୍ତ୍ରୀ କିଷାନନିଧି ଯୋଜନା ପ୍ରଣୟନ କରି ବର୍ଷକୁ ପାଖାପାଖି ୩୭ଲକ୍ଷ ଚାଷୀ ପରିବାରକୁ ୬ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି। ବର୍ତ୍ତମାନ ଓଡ଼ିଶା ସରକାର କାଳିଆ ଯୋଜନାକୁ ପ୍ରଧାନମନ୍ତ୍ରୀ ଯୋଜନା ସାଥିରେ ମିଶାଇ ଯୋଗ୍ୟ ହିତାଧିକାରୀଙ୍କୁ ମାତ୍ର ୪ ହଜାର ଟଙ୍କା ରାଜ୍ୟ ସରକାର ପ୍ରଦାନ କରିବେ ବୋଲି କହିଛନ୍ତି। ନିର୍ବାଚନୀ ବୈତରଣୀ ପାର ହେବା ପରେ ଏବେ କାଳିଆ ଟଙ୍କା ଫେରାଇବା ନୋଟିସ ଚାଷୀଙ୍କ ଗଳାରେ କଣ୍ଟା ହୋଇ ଲାଗିଛି। ସରକାର ଯଦି କୃଷି ଓ କୃଷକର ଉନ୍ନତି ଚାହୁଁଛନ୍ତି, ତେବେ କରୋନା ସମୟରେ ଚାଷୀଙ୍କ ପ୍ରତି ପ୍ରତାରଣା ମନୋଭାବ ପ୍ରତ୍ୟାହାର କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories