ବାଲେଶ୍ୱର କରୋନା ରୋଗୀଙ୍କ ନୀଳଗିରି ଲିଙ୍କ!

ନୀଳଗିରି: ବାଲେଶ୍ୱର ଜିଲାରେ ପ୍ରଥମ କରୋନା ପଜିଟିଭ ରୋଗୀଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଚିହ୍ନଟ କରିବା ପରେ ଏଥିରେ ନୀଳଗିରି ଲିଙ୍କକୁ ନେଇ ଚର୍ଚ୍ଚା ଜୋର ଧରିଛି। ବାଲେଶ୍ୱର ଅଞ୍ଚଳର ସମ୍ପୃକ୍ତ ରୋଗୀଙ୍କୁ ମେଡିକାଲ କାର୍ଯ୍ୟରେ ସହାୟତା କରିଥିବା ତାଙ୍କର ଜଣେ ସମ୍ପର୍କୀୟ ନୀଳଗିରି ଉପଖଣ୍ଡ ଅଧୀନ ସନ୍ତରାଗଡ଼ିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ମହିଳା ସ୍ୱାସ୍ଥ୍ୟକର୍ମୀ ବୋଲି ଜଣାପଡ଼ିବା ପରେ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଏନେଇ ସ୍ଥାନୀୟ ପୁଲିସ ଓ ପ୍ରଶାସନ ତତ୍ପର ହୋଇ ଉଠିଥିବା ଦେଖିବାକୁ ମିଳିଛି। ରୋଗୀଙ୍କ ସମ୍ପୃକ୍ତା ସମ୍ପର୍କୀୟ ଜଣକ କିଛିଦିନ ପୂର୍ବରୁ ଛୋଟ ଛୋଟ ପିଲାମାନଙ୍କୁ ଟୀକାକରଣ କରିଥିବା ଏବଂ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରକୁ ଡ୍ୟୁଟିରେ ଆସୁଥିବା ଯୋଗୁ ନୀଳଗିରି ଉପଜିଲାପାଳ ହରିଶ ଚନ୍ଦ୍ର ଜେନାଙ୍କ ନିର୍ଦେଶକ୍ରମେ ସ୍ଥାନୀୟ ଅଗ୍ନିଶମ ବିଭାଗ ଦ୍ୱାରା ସନ୍ତରାଗଡ଼ିଆ ସ୍ୱାସ୍ଥ୍ୟକେନ୍ଦ୍ରକୁ ସାନିଟାଇଜିଂ ବା ବିଶୋଧନ କରାଯାଇଥିବା ଦେଖିବାକୁ ମିଳିଛି। ସେହିପରି ସ୍ଥାନୀୟ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଫିସ ଓ କ୍ୱାରେଣ୍ଟାଇନ କେନ୍ଦ୍ରକୁ ମଧ୍ୟ ବିଶୋଧନ କରାଯାଇଛି। ସମ୍ପୃକ୍ତା ସ୍ୱାସ୍ଥ୍ୟକର୍ମୀଙ୍କୁ କ୍ୱାରେଣ୍ଟାଇନରେ ରଖା ଯାଇ ତାଙ୍କ ସ୍ୱାବ ଟେଷ୍ଟ ପାଇଁ ପଠାଇ ଯାଇଥିବା ସୂଚନା ମିଳିଛି।

ନୀଳଗିରି ବ୍ଲକ ଅଧୀନ ଜଡ଼ିବାଲି ଅଞ୍ଚଳର ଜଣେ ବ୍ୟକ୍ତି ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଇ ତାଙ୍କୁ ମଧ୍ୟ କ୍ୱାରେଣ୍ଟାଇନରେ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ତେବେ ଏଠାରେ ପ୍ରଶ୍ନ ଉଠେ ଯେ, ଯଦି ସମ୍ପୃକ୍ତା ସ୍ୱାସ୍ଥ୍ୟକର୍ମୀ ଜଣକ କରୋନା ପଜିଟିଭ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବେ, ତାହେଲେ ଟୀକାକରଣ ବେଳେ ତାଙ୍କଠାରୁ ଟୀକା ନେଇଥିବା ଶହ ଶହ ଶିଶୁ ଓ ସେମାନଙ୍କ ଅଭିଭାବକ ଓ ସମ୍ପର୍କୀୟଙ୍କ ଅବସ୍ଥା କ’ଣ ହେବ? ଏନେଇ ପ୍ରଶାସନ ପକ୍ଷରୁ ବିଶେଷଭାବେ ଦୃଷ୍ଟି ଦିଆଯାଇଛି। ସେହିପରି ପୁଲିସ ପକ୍ଷରୁ ଆଇଆଇସି ମିନତି ବିଶ୍ୱାଳଙ୍କ ନିର୍ଦେଶରେ ନୀଳଗିରି ସହରର ଚାରିପାଖରେ ଥିବା ସଂଯୋଗ ରାସ୍ତାରେ ପୁଲିସ ପକ୍ଷରୁ ବାଇକ ଆରୋହୀଙ୍କୁ ତନଖି କରାଯାଉଛି। କଡ଼ାକଡ଼ି ପାଟ୍ରୋଲିଂ ମଧ୍ୟ କରାଯାଇଛି। ଆବଶ୍ୟକସ୍ଥଳେ ଅମାନିଆ ମାନଙ୍କୁ ପୁଲିସ ପକ୍ଷରୁ ଲାଠିଚାର୍ଜ କରାଯାଉଥିବା ଦେଖିବାକୁ ମିଳିଛି।

ଅପରପକ୍ଷରେ ବାଲେଶ୍ୱରରେ ବାହାରିଥିବା କରୋନା ପଜିଟିଭ ରୋଗୀଙ୍କ ଘର ନୀଳଗିରି ସହର ଅଧୀନ ବାଲିଗୋହିରୀ ଅଞ୍ଚଳର ବୋଲି ଗତକାଲିଠାରୁ ଚର୍ଚ୍ଚା ଜୋର ଧରିଥିଲା। ନୀଳଗିରି କଚେରୀ ବଜାରରେ ଥିବା ଚକାଡ଼ୋଳା ସୁଇଟସ୍ ର ମାଲିକ ପାଗା ଓରଫ ପ୍ରଫୁଲ ରାଉତଙ୍କର ସେ ବଡ଼ଭାଇ ବୋଲି ନୀଳଗିରିରେ ହୁଲୁସ୍ତୁଲ ହୋଇଥିଲା। ଏ ସମ୍ପର୍କରେ ଆମ ପ୍ରତିନିଧି ଶ୍ରୀ ରାଉତଙ୍କ ସହ ଆଲୋଚନା କରିବା ପରେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଫଟୋଟି ତାଙ୍କ ବଡ଼ଭାଇ ଶ୍ୟାମସୁନ୍ଦର ରାଉତଙ୍କ ଜେରକ୍ସ କପି ଭଳି କହିଥିଲେ। କିନ୍ତୁ ତାଙ୍କ ବଡ଼ଭାଇ ନୀଳଗିରି ଜନସ୍ୱାସ୍ଥ୍ୟ ବିଭାଗରେ ଚାକିରି କରିଥିଲେ ଏବଂ ୩ବର୍ଷ ପୂର୍ବରୁ ତାଙ୍କର ଦେହାନ୍ତ ହୋଇ ଯାଇଛି ବୋଲି ଜଣାଇଛନ୍ତି। ତେବେ ଏହି ଗୁଜବକୁ ନେଇ ସେ, ତାଙ୍କ ପରିବାର ସମେତ ନୀଳଗିରି ଅଞ୍ଚଳବାସୀ ଆତଙ୍କିତ ହୋଇ ଉଠିଥିବା ଦେଖିବାକୁ ମିଳିଛି। ବାସ୍ତବରେ ସମ୍ପୃକ୍ତ କରୋନା ରୋଗୀଙ୍କ ସହ ଶ୍ରୀ ରାଉତଙ୍କର କୌଣସି ସମ୍ପର୍କ ନାହିଁ ବୋଲି ଜଣାଇଛନ୍ତି।

Comments are closed.