www.samajalive.in
Sunday, December 7, 2025
23.1 C
Bhubaneswar

ଗର୍ଭରେ ୯ ମାସର ପିଲା, ରୋଗୀ ସେବାରେ ଲାଗିଛନ୍ତି ସୁରେଖା

ନୀଳଗିରି: ବାଲେଶ୍ୱର ଜିଲା, ନୀଳଗିରି ଉପଖଣ୍ଡ ଚିକିତ୍ସାଳୟର ନର୍ସ ସୁରେଖା ପ୍ରଧାନ। ଗର୍ଭରେ ବଢ଼ୁଛି ୯ ମାସର ସନ୍ତାନ। ଆଉ ମାତ୍ର କେଇ ଦିନ ପରେ ସେ ମାତୃତ୍ୱ ଲାଭ କରିବେ। ପରିବାର ଭିତରେ ଏ ନେଇ ଲହଡ଼ି ମାରୁଛି ଖୁସି। ମାତ୍ର ସେ ଘରେ ବିଶ୍ରାମ ନେବା ପରିବର୍ତ୍ତେ ରୋଗୀ ସେବାରେ ଲାଗିଛନ୍ତି। ଛୁଟି ନେଇ ଘରେ ରହିବାକୁ ତାଙ୍କୁ କର୍ତ୍ତୃପକ୍ଷ କହୁଥିଲେ ବି ସେ କର୍ତ୍ତବ୍ୟରୁ ଦୂରେଇଯାଇ ନାହାନ୍ତି। ରୋଗୀସେବାର ମହାନ ଭାବନା ପାଇଁ ସେ ବିଶ୍ରାମ ନେବାକୁ ଚାହିଁ ନ ଥିବାବେଳେ ଷ୍ଟାଫଙ୍କ ଅଭାବଜନିତ ସମସ୍ୟାକୁ ସେ ଉପଲବଧି କରିଛନ୍ତି। ତେବେ ସବୁଠି କରୋନା ସଂକ୍ରମଣ ବଢୁଥିବାବେଳେ ସୁରେଖା ରୋଗୀଙ୍କ ପାଖକୁ ଗଲେ ସାମାଜିକ ଦୂରତା ରକ୍ଷା କରିବା ସହ ସମସ୍ତ ସତର୍କତା ଅବଲମ୍ବନ କରୁଛନ୍ତି। ଚିକିତ୍ସାଳୟର କର୍ତ୍ତୃପକ୍ଷ ଓ ଅନ୍ୟ କର୍ମଚାରୀମାନେ ମଧ୍ୟ ତାଙ୍କ ପ୍ରତି ସଂପୂର୍ଣ୍ଣ ଯତ୍ନବାନ ରହିବା ସହ ତାଙ୍କୁ ହାଲକା କାମ ଦେଉଥିବା ଜଣାଯାଇଛି। ସୁରେଖା ଓ ତାଙ୍କ ଗର୍ଭସ୍ଥ ଶିଶୁ ନିରାପଦ ରହିବା ନେଇ ସମସ୍ତ ସତର୍କତା ଅବଲମ୍ବନ କରାଯାଉଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି।

ନୀଳଗିରି ବ୍ଲକ, ଅଯୋଧ୍ୟା ଖସାପଡ଼ିଆ ଅଞ୍ଚଳର ସୁରେଖା ପ୍ରଧାନ (୨୮) ନିକଟସ୍ଥ ସଂଗ୍ରାମପୁର ଗାଁର ସତ୍ୟଜିତ ବାରିକଙ୍କୁ ୨୦୧୯ ମସିହା, ଫେବ୍ରୁୟାରୀ ୨୪ରେ ବିବାହ କରିଥିଲେ। ସେ ୨୦୧୪ ମସିହାରେ ନର୍ସିଂ ପାସ କରିବା ପରେ ଏକ ଘରୋଇ କ୍ଲିନିକରେ ପ୍ରଥମେ କାର୍ଯ୍ୟ କରିଥିଲେ। ୨୦୧୫ ମସିହା ଅକ୍ଟୋବର ୧୫ ତାରିଖରେ ନୀଳଗିରି ଡାକ୍ତରଖାନାରେ ନିଯୁକ୍ତି ପାଇଥିଲେ। ଏଠାରେ କାର୍ଯ୍ୟରତ ଥିବା ସମୟରେ ବହୁ ପରିଚିତ ଓ ଅପରିଚିତ ରୋଗୀଙ୍କର ସେବା କରି ଆସୁଛନ୍ତି। ନିଜ କର୍ତ୍ତବ୍ୟରେ ବା କାହା ପ୍ରତି କେବେହେଲେ ଅବହେଳା କରିନାହାନ୍ତି। ସମ୍ପ୍ରତି ସେ ୯ ମାସର ଗର୍ଭବତୀ। ଯେଉଁ ସମୟରେ ତାଙ୍କର ସେବା କରାଯିବା କଥା, ସେହି ସମୟରେ ସେ ରୋଗୀସେବାରେ ନିଜକୁ ଉତ୍ସର୍ଗୀକୃତ କରିଦେଇଛନ୍ତି। କର୍ତ୍ତୃପକ୍ଷ ତାଙ୍କୁ ଛୁଟିରେ ରହିବାକୁ ପରାମର୍ଶ ଦେଇଥିଲେ ହେଁ ସେ ଏହି କଥାକୁ ଅଗ୍ରାହ୍ୟ କରି ଛୁଟି ନେଇ ନାହାନ୍ତି। ସୁରେଖାଙ୍କ ଏଭଳି ଚିନ୍ତାଧାରାକୁ ସାଧାରଣରେ ପ୍ରଶଂସା କରାଯାଇଛି।

- Advertisement -

ରୋଗୀ ସେବାରେ ନିଜକୁ ଉତ୍ସର୍ଗ କରିବା ପିଲାବେଳୁ ସୁରେଖାଙ୍କର ଲକ୍ଷ୍ୟ ଥିଲା। ସେ ପିଲା ଥିବା ସମୟରେ ତାଙ୍କ ବାପା ଅଭୟ ଚରଣ ପ୍ରଧାନ ଓ ମାଆ ରାସମଣି ପ୍ରଧାନଙ୍କ ଅସ୍ତ୍ରୋପଚାର ହୋଇଥିଲା। ସେତେବେଳେ ସରକାରୀ ଡାକ୍ତରଖାନାରେ ସେମାନଙ୍କୁ ଉପଯୁକ୍ତ ସେବା ମିଳି ନ ଥିଲା। ସେହିପରି ତାଙ୍କ ସାନ ଭାଇ ମଧ୍ୟ ଏକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ହେଁ ଉପଯୁକ୍ତ ଚିକିତ୍ସା ସେବାରୁ ବଞ୍ଚିତ ହୋଇଥିଲେ। ଏହି ଘଟଣା ସୁରେଖାଙ୍କୁ ଆନ୍ଦୋଳିତ କରିଥିଲା। ତାଙ୍କ ପରିବାର ପ୍ରତି ଚିକିତ୍ସା ସେବା କ୍ଷେତ୍ରରେ ଯେଉଁଭଳି ଅବହେଳା ହୋଇଥିଲା, ଏଭଳି ଆଉ କାହା ସହିତ ନ ହେଉ ବୋଲି ସେ ମନରେ ଭାବନା ଆଣିଥିଲେ। ଏହି ଭାବନା ତାଙ୍କୁ ନର୍ସ ହେବାରେ ପ୍ରେରଣା ଯୋଗାଇଥିଲା। ମେ ମାସ ୧୨ ତାରିଖ ନର୍ସ ଦିବସ। କିନ୍ତୁ ତାଙ୍କ ପାଇଁ କେବଳ ଏହି ଦିନ ସ୍ୱତନ୍ତ୍ର ନୁହଁ, ବରଂ ସବୁଦିନ ତାଙ୍କ ପାଇଁ ସ୍ୱତନ୍ତ୍ର ବୋଲି ସେ ନିଜ ମତ ପ୍ରକାଶ କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories