ନୀଳଗିରି: ଜନବସତି ମୁହାଁ ହେଉଛନ୍ତି ଜଙ୍ଗଲି ଭାଲୁ । ଖାଦ୍ୟ ଅନ୍ୱେଷଣରେ ଗାଁରେ ପଶୁଛନ୍ତି ଭାଲୁ । ଫଳରେ ନୀଳଗିରିରେ ଭାଲୁ-ମଣିଷ ଲଢ଼େଇ ଯୋଗୁ ଉଭୟଙ୍କ ଜୀବନ ଯାଇଛି । ନୀଳଗିରିରେ ଥିବା କୁଲଡିହା ଓ ନୀଳଗିରି ବନବିଭାଗ ପକ୍ଷରୁ ଭାଲୁ ଉପଦ୍ରବକୁ ନେଇ ସଚେତନତା ସୃଷ୍ଟି କରାଯାଉଛି। କିନ୍ତୁ ସେମାନଙ୍କ ଆତଙ୍କକୁ ଥମେଇବା ବନବିଭାଗ ପାଇଁ କାଠିକର ପାଠ ହୋଇଛି। ନୀଳଗିରିର ମିତ୍ରପୁର, କାଠଗୋଛି, ଚଣ୍ଡିପୁର, ପାଟଣା, ଗୁଜୁଡ଼ିହା, ଗୋପୀନାଥପୁର, ଧୋବଶିଳା, ବଲବଲିଆ, କଣ୍ଟାବଣିଆ, କେନ୍ଦୁଖୁଣ୍ଟା ପ୍ରଭୃତି ଅଞ୍ଚଳରେ ଭାଲୁ ଉପଦ୍ରବ ଅଧିକ ଦେଖିବାକୁ ମିଳୁଛି ।
କେବଳ ଯେ ଜଙ୍ଗଲ ପାଖ ଅଞ୍ଚଳରେ ଏମାନଙ୍କ ଉପଦ୍ରବ ଘଟୁଛି ତାହା ନୁହେଁ; କ୍ରମାଗତଭାବେ କିଛିଦିନ ହେବ ଏହି ହିଂସ୍ର ଭାଲୁମାନେ ନୀଳଗିରିର ସ୍ୱର୍ଣ୍ଣଚୂଡ଼ ପାହାଡ଼ରୁ ଖସିଆସି ସହର ମଧ୍ୟରେ ପଶି ଆତଙ୍କ ସୃଷ୍ଟି କରୁଛନ୍ତି। ନୀଳଗିରି ସହରର ଜଗନ୍ନାଥ ମନ୍ଦିର ସମ୍ମୁଖ ବଡ଼ଦାଣ୍ଡ, କାହାଳିଆ, କଚେରୀ ଛକରୁ ମେଡିକାଲ ରୋଡ଼, ବାଲିଗୋହିରୀ, ମିରିଗିଣି ପ୍ରଭୃତି ଅଞ୍ଚଳରେ ଏମାନେ ଯାତାୟାତ କରୁଥିବା ଦେଖିବାକୁ ମିଳୁଛି । ଏମାନଙ୍କ ଦାଉରୁ ରକ୍ଷା ପାଇବାକୁ ନୀଳଗିରିବାସୀ ଦେଶୀ କୁକୁର ପାଳିବା ଆରମ୍ଭ କରି ଦେଲେଣି। ଭାଲୁର ଶବ୍ଦ ବାରି କୁକୁର ଭୋକିବା ଆରମ୍ଭ କରିଲେ ଗୃହମାଲିକ ସତର୍କ ହୋଇ ଉଠୁଛି । ନିକଟରେ କେନ୍ଦୁଖୁଣ୍ଟା ଅଞ୍ଚଳରେ ଗୋଟିଏ ବିଶାଳ ଭାଲୁ ଜଣେ ବ୍ୟକ୍ତିଙ୍କ ଘରର ଟିଣକାନ୍ଥକୁ ଚିରି ଭିତରକୁ ପଶିବା ଉଦ୍ୟମ କରୁଥିବା ଭିଡ଼ିଓ ସମ୍ପ୍ରତି ଭାଇରାଲ ହେବାରେ ଲାଗିଛି।
ନୀଳଗିରିର ପ୍ରାକୃତିକ ପରିବେଶରେ ଭାଲୁମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି । କିନ୍ତୁ ସେମାନଙ୍କ ସୁରକ୍ଷା ତଥା ଖାଦ୍ୟ ଯୋଗାଇବା ପାଇଁ ବନବିଭାଗର ଆନ୍ତରିକତା ଦେଖିବାକୁ ମିଳୁନି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୀଳଗିରିକୁ ଭାଲୁ ଅଭୟାରଣ୍ୟ ଘୋଷଣା କରାଗଲେ ଏଠାରେ ଉଭୟ ଭାଲୁ ଓ ମଣିଷ ସୁରକ୍ଷିତ ରହିପାରିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ସେହିପରି ଭାଲୁଙ୍କ ଉତ୍ପାତକୁ ଦମନ କରିବାକୁ ହେଲେ ବନବିଭାଗ ପକ୍ଷରୁ ସଂଖ୍ୟାଧିକ କର୍ମଚାରୀଙ୍କୁ ନିଯୁକ୍ତି କରିବାର ମଧ୍ୟ ଆବଶ୍ୟକତା ରହିଛି।



