ଭବାନିପାଟଣା: ଆସନ୍ତା ମଇ ୨୦ ତାରିଖରୁ ଜିଲାରେ ରବି ଧାନ କିଣା ଆରମ୍ଭ ହେବ। ଏଥିରେ ୩୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯିବ ବୋଲି ଆଜି ଅନୁଷ୍ଠିତ ଜିଲା ସ୍ତରୀୟ ଧାନ କ୍ରୟ କମିଟି ବୈଠକରେ ଜିଲା ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଚଳିତ ରବି ଋତୁରେ ଜିଲ୍ଲାର ୫୯୩୬୧ ହେକ୍ଟର ଜମିରେ ରବି ଧାନ କରାଯାଇଛି। ଏଣୁ ୩୦ ଲକ୍ଷ ମେଟ୍ରକ ଟନରୁ ଉର୍ଦ୍ଧ୍ବ ଧାନ ସଂଗ୍ରହ ହେବ ବୋଲି ବିଭାଗ ଆକଳନ କରିଛି। ଏଫ୍ଏକ୍ୟୁ ମାନର ସାଧାରଣ ଧାନ କ୍ଵିଣ୍ଟାଲ ପ୍ରତି ୨୧୮୩ ଟଙ୍କା ରେ କିଣା ଯିବାକୁ ମୂଲ୍ୟ ଧାର୍ଯ୍ୟ ହେଇଛି।
ଜିଲାର ଉଭୟ ଭବାନୀପାଟଣା ଓ ଧର୍ମଗଡ ଉପଖଣ୍ଡରେ ୭୨ ଟି ପ୍ୟାକ୍ସ, ୬୨ ଟି ପିପିସି ଏବଂ ୨୩ ଟି ଏସଏଚଜି ଗ୍ରୁପ୍ ଏଭଳି ମୋଟ୍ ୧୫୭ ଟି ଧାନ ସଂଗ୍ରହ କେନ୍ଦ୍ର ବା ମଣ୍ଡି ରୁ ୬୭ ମିଲରଙ୍କ ଦ୍ଵାରା ଧାନ ସଂଗ୍ରହ କରାଯିବ। ରବି ଚାଷ ପାଇଁ ୫୨୫୯୭ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି।
ବୈଧ ଟୋକେନ୍ ସହିତ ଚାଷୀମାନେ ସକାଳ ୭ ରୁ ୧୨ ଟା ମଧ୍ୟରେ ମଣ୍ଡି କୁ ଯାଇ ଧାନ ବିକ୍ରୟ କରିପାରିବେ ବୋଲି ଯୋଗାଣ ବିଭାଗ ପକ୍ଷରୁ ବୈଠକରେ ସୂଚନା ଦିଆଯାଇଥିଲା। କଳାହାଣ୍ଡି ଜିଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ପବିତ୍ର ସାହୁ ଙ୍କ ସମେତ ଯୋଗାଣ ବିଭାଗ ଅଧିକାରୀ, ଦୁଇ ଉପଜିଲାପାଳ, ବିଭିନ୍ନ ବିଭାଗ ଅଧିକାରୀ, ଚାଷୀ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ।



