ରାୟଗଡ଼ା : ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାର ତିନିକିମି ଦୂରରେ ଥିବା ନାଗାବଳୀ ନଦୀଉପରେ ବିଜୁ ସେତୁ ନିର୍ମାଣ ପାଇଁ ରବିବାର ଭୂମିପୂଜା ହୋଇଛି। ଶୁଭବେଳାରେ ବିନିଶିପୁର ଗୋଦଗୋଦା ଠାରେ ଜୈନିକ ଠିକାଦାର ରୁଦ୍ର ପାଣିଗ୍ରାହୀ ରିତିନୀତି ଅନୁଯାୟୀ ପୂଜାପାଠ କରି ଭୂମି ପୂଜା କରିଥିଲେ। ଏହି ଭୂମିପୂଜା ସମୟରେ ବିନିଶିପୁର ଗ୍ରାମବାସୀଙ୍କ ସହ ତାଳଗୁଡ଼ା ଗ୍ରାମବାସୀମାନେ ମଧ୍ୟ ଉପସ୍ଥିତ ରହିଥିଲେ। ଆଜି ଠାରୁ ସେତୁ କାମଟି ନିୟମାନୁଯାୟୀ କାର୍ଯ୍ୟ ଆରମ୍ଭ ହୋଇଛି। ସ୍ଥାୟୀ ପୋଲ ନଥିବାରୁ ବିନିଶିପୁର ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏଥିପାଇଁ ସରକାରଙ୍କ ତୁରନ୍ତ ପଦକ୍ଷେପ ଯୋଗୁଁ ବିନିଶିପୁର ଗ୍ରାମବାସୀମାନେ ପ୍ରଶଂସା କରିବା ସହ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାସହ ବହୁ ଦିନ ଧରି ଅସୁବିଧାର ସମ୍ମୁଖୀନ ହେଉଥିବା ବିନିଶିପୁର ଗ୍ରାମବାସୀଙ୍କ ଖୁସିର ଲହରୀ ଦେଖିବାକୁ ମିଳିଛି।

ସୂଚନା ଯୋଗ୍ୟ, ୨୦୧୮ ନଭେମ୍ବର ୧୨ ତାରିଖରେ ଗ୍ରାମ୍ୟଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ପୋଲ ପାଇଁ ଜାଗା ଚିହ୍ନଟ କରିଥିଲେ। ୨୦୧୯ ଫେବୃଆରୀ ୨୭ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାୟଗଡ଼ା ଗସ୍ତ କରି ଜିସିଡ଼ି ପଡ଼ିଆରେ ବିଜୁ ସେତୁ ଯୋଜନାରେ ବିନିଶିପୁର ନାଗାବଳୀ ସେତୁର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପୂର୍ବରୁ ବିନିଶିପୁର ଗ୍ରାମବାସୀମାନେ ନାଗାବଳୀ ନଦୀଉପରେ ଯାତାୟତ ପାଇଁ କାଠପୋଲ ଉପରେ ନର୍ଭର କରୁଥିଲେ। ଏହାପରେ ସ୍ଥାୟୀ ପୋଲ ପାଇଁ ଗ୍ରାମବାସୀ ବହୁବାର ଦାବୀ କରିବାରୁ ୨୦୧୪ ମସିହାରେ ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ଦ୍ୱାରା ଲୋକଙ୍କ ସୁବିଧା ପାଇଁ ନାଗାବଳୀ ନଦୀ ଉପରେ ଏକ ଝୁଲାପୋଲ ନିର୍ମାଣ କରାଯାଇଥିଲା। ମାତ୍ର ସେହି ଝୁଲାପୋଲଟି ଗତ ୨୦୧୭ ଜୁଲାଇ ୧୬ ତାରିଖରେ ପ୍ରଳୟଙ୍କାରୀ ବନ୍ୟା ଭସାଇ ନେଇଥିଲା।
ସରକାର ଶୁଣିଲେ ବିନିଶିପୁର ଗ୍ରାମବାସୀଙ୍କ ଦୁଃଖ, ନାଗାବଳୀ ନଦୀଉପରେ ସେତୁ ନିର୍ମାଣ ପାଇଁ ହେଲା ଭୂମିପୂଜା
Popular Categories



