ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କୁମର ବେହେରାଙ୍କର ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ତାଙ୍କ ମର ଶରୀରକୁ ନିଜ ଜନ୍ମଭୂମି ହିର୍ଲି ପାଲିକୁ ଅଣାଯାଇ ମାଷ୍ଟରଟିକ୍ରା ସ୍ଥିତ ଶ୍ମଶାନ ଘାଟରେ ଦାହ କରାଯାଇଛି। ତାଙ୍କ ପୁତ୍ର ସନ୍ତୋଷ ବେହେରା ମୁଖାଗ୍ନି ଦେଇଥିବା ବେଳେ ପୁତ୍ର ଅରବିନ୍ଦ, ଲିଙ୍ଗରାଜ, ଝିଅ ତପସ୍ୱିନୀ ଓ ନାତି ନାତୁଣୀ, ଜ୍ବାଇଁ ପ୍ରମୁଖଙ୍କ ସମେତ ବନ୍ଧୁ ପରିଜନ ଓ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହିଥିଲେ।
ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ସରପଞ୍ଚ କବିତା ସାହୁ, ପେକ୍ସ ସଭାପତି ମଣ୍ଟୁ ପଣ୍ଡା, ଯୁବ ସଭାପତି ଟଙ୍କ ଦାଶ, ବିଧାୟିକା ପ୍ରତିନିଧି ଗଣେଶ ସାହୁ ପ୍ରମୁଖ ଶେଷ ଦର୍ଶନରେ ସାମିଲ ହୋଇଥିଲେ। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୂର୍ବତନ ବିଧାୟକ ବେହେରା ଅତାବିରା ବ୍ଳକ ହିରିଲିପାଲି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଓ ଶିକ୍ଷା ଅଧ୍ୟୟନ ସାରି ନିଜ ଗ୍ରାମର ମାଧ୍ୟମିକ ସ୍କୁଲରେ ଶିକ୍ଷକତା ଆରମ୍ଭ କରିଥିଲେ।୧୯୬୨ ମସିହାରୁ ୧୯୬୩ ମସିହା ପର୍ଯ୍ୟନ୍ତ ଗାଁ ସ୍କୁଲରେ ଗୋଟିଏ ବର୍ଷ ଶିକ୍ଷକତା କଲାପରେ ଅତାବିରା ବାଳକ ହାଇସ୍କୁଲରେ ସେପ୍ଟେମ୍ବର ୧୯୬୪ ମସିହାରେ ସହକାରୀ ଶିକ୍ଷକ ଭାବେ ଯୋଗ ଦେଇଥିଲେ। ଚାକିରୀ କାଳର ୨୬ ବର୍ଷ ପରେ ରାଜନୀତିରେ ପାଦ ପକାଇଥିଲେ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଜନତା ଦଳରେ ଯୋଗ ଦେଇଥିଲେ। ୧୯୯୦ ମସିହାର ବିଧାନସଭା ନିର୍ବାଚନରେ ତାଙ୍କୁ ଭଟଲି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ କରାଯାଇଥିଲା। ଏଥିରେ ସେ ବିଜୟ ହାସଲ କରି ବିଧାୟକ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ। ସେ ଏକାଧାରରେ ଜଣେ ଆଦର୍ଶ ଶିକ୍ଷକ ଭାବେ ପରିଚୟ ସୃଷ୍ଟି କରି ପାରିବା ସାଙ୍ଗେ ରାଜନୀତି କ୍ଷେତ୍ରରେ ମଧ୍ୟ ଲୋକପ୍ରିୟତା ଅର୍ଜନ କରିଥିଲେ। ଏହା ସହିତ ଅତାବିରା ଓ ଭଟଲି ଅଞ୍ଚଳର ବିଭିନ୍ନ ସାମାଜିକ ଅନୁଷ୍ଠାନ ସହିତ ଜଡିତ ଥିଲେ।



