ଆରଡି: ଗତ ୨ଦିନ ହେଲା ଲଘୁଚାପ ବର୍ଷାରେ ଆରଡି ନିକଟସ୍ଥ ସାଠିବାଙ୍କୁଡା ଠାରେ ୧୦୦ ଫୁଟର ବୈତରଣୀ ନଦୀବନ୍ଧ ଧୋଇଗଲା। ଫଳରେ ବନ୍ଧରେ ଥିବା ପଥର ନଦୀକୁ ଚାଲିଯିବା ସହ ବଡବଡ ଫାଟ ଦେଖାଦେଇଛି। ନଦୀବନ୍ଧର ବଡବଡ ଫାଟ ନେଇ ନଦୀକୂଳିଆ ଆତଙ୍କିତ ହୋଇ ପଡିଛନ୍ତି। ଉପର ମୁଣ୍ଡରୁ ଅର୍ଥାତ ଆଖୁଆପଦା ନିକଟରେ ବୈତରଣୀ ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବାରୁ ଆସୁଥିବା ବନ୍ୟା ପାଣିକୁ ନେଇ ୪ଟି ପଞ୍ଚାୟତର ୨୦ଟି ଗାଁର ଲୋକ ଭୟଭୀତ ହୋଇପଡିଛନ୍ତି। ବିଶେଷ କରି ଚାଷ ନିମନ୍ତେ ଏବେ ଧାନତଳି କ୍ଷେତରେ ପଡୁଥିବାରୁ ବନ୍ୟାରେ କ୍ଷତି ହେବ ବୋଲି ଚାଷୀ ଏବେ ଚିନ୍ତାରେ। ସେହିପରି ଆଖଣ୍ଡଳମଣି-କୁଆଖିଆ ୨୦ନଂ ଜାତୀୟ ରାଜପଥର ବୋଡକ ନିକଟରେ ପାଖାପାଖି ୩ ଶହ ଫୁଟର ରାସ୍ତା ଗତବର୍ଷ ବନ୍ୟାରେ ଧୋଇ ଯାଇଥିବାରୁ ସ୍ଥାୟୀ ମରାମତି ତ ଦୂରର କଥା ଏବେ ଅସ୍ଥାୟୀ ମରାମତି ହୋଇଥିବାରୁ ବନ୍ୟାରେ ଧୋଇଯିବାର ଆଶଙ୍କା ଦେଖା ଦେଇଛି। ଜଳସେଚନ ବିଭାଗ ଏପରି ଖବର ପାଇବା ପରେ ଧୋଇ ଯାଇଥିବା ବନ୍ଧକୁ ସୁରକ୍ଷା ଦେବା ପାଇଁ ଯାଜପୁର ଜଳସେଚନ ବିଭାଗ ପକ୍ଷରୁ ଯୁଦ୍ଧକାଳିନ ଭିତିରେ ବାଲିବସ୍ତା ପକାଯାଇଛି।
Popular Categories



