ଫୁଲବାଣୀ: ଜଣେ ହିତାଧିକାରୀଙ୍କ ନାମ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ନାମ ନଥିବାରୁ ସେ ଖଜୁରିପଡ଼ା ବ୍ଳକର କନିଷ୍ଠଯନ୍ତ୍ରୀ ରବି ନାରାୟଣ ଲେଙ୍କାକୁ ଅଚାନକ ଭାବେ ଆକ୍ରମଣ କରିବାରୁ ଯନ୍ତ୍ରୀ ଜଣକ ଗୁରୁତର ହୋଇଛନ୍ତି।
ଖବରରୁ ପ୍ରକାଶ ଯେ ଖଜୁରୀପଡ଼ା ଅଞ୍ଚଳର ରଞ୍ଜିତ ସାସମଲ୍ ନାମକ ଜଣେ ଯୁବକ (ଲୁଗା ବ୍ୟବସାୟୀ)ର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ତାଲିକାରୁ ନାଁ କଟି ଯାଇଥିବାରୁ ସେ ଯନ୍ତ୍ରୀ ଶ୍ରୀ ଲେଙ୍କାଙ୍କୁ ମାଡ଼ ମାରି ଆକ୍ରମଣ କରିଥିବା ଜଣାପଡିଛି। ଯନ୍ତ୍ରୀ ଜଣକ ଖଜୁରିପଡ଼ା ପଂଚାୟତ ସଭାଗୃହରେ ଏହି ଯୋଜନାକୁ ନେଇ ଚାଲିଥିବା ଏକ ସଚେତନତା କାର୍ଯ୍ରକ୍ରମରେ ଯୋଗଦେଇ ବାହାରକୁ ଆସିବା ମାତ୍ରେ ଏହି ଆକ୍ରମଣ ହୋଇଥିବା ବେଳେ ସେହି ସମୟରେ ଅନ୍ୟ ହିତାଧିକାରୀ ମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ବୋଲି ଜଣାଯାଇଛି। ଯନ୍ତ୍ରୀ ଜଣଙ୍କ ଖଜୁରୀପଡ଼ା ମେଡ଼ିକାଲକୁ ଚିକିତ୍ସା ପାଇଁ ଯାଇଥିବା ବେଳେ ବ୍ଲକ ଅଧ୍ୟକ୍ଷା ଅନୀମା କହଁର, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଲିଳ ଦାସ ପ୍ରମୁଖ ଡାକ୍ତରଖାନା ଯାଇ ଆହତ ଯନ୍ତ୍ରୀଙ୍କ ସ୍ଵାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ଏ ନେଇ ଅଭିଯୁକ୍ତକୁ ଧରିବା ପାଇଁ ଖଜୁରୀପଡ଼ା ଥାନାରେ ବ୍ଲକ କର୍ମଚାରୀ ଦାବି କରିଛନ୍ତି। ଆକ୍ରମଣ ପରେ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି।



