ଆଠଗଡ଼: ପବିତ୍ର ବଡ ଏକାଦଶୀ ତିଥିରେ ରଥାରୂଢ ପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ଦେବଙ୍କ ସୁନାବେଶ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କର ପ୍ରବଳ ସମାଗମ ଦେଖିବାକୁ ମିଳିଛି। ଅଟ୍ଟାଳି ଜଗନ୍ନାଥ ଦେବ ଓ ଜଗନ୍ନାଥ ବଲ୍ଲଭ ମଠ ରଥରେ ଉପବିଷ୍ଟ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଅତ୍ୟନ୍ତ ସୁନ୍ଦର ଭାବେ ସଜ୍ଜିତ କରାଯାଇଥିଲା। ଦେବୋତ୍ତର ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ତହସିଲଦାର ପ୍ରିୟବ୍ରତ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦୁଇଟି ଯାକ ରଥ ଉପରେ ଶ୍ରୀ ଜୀଉଙ୍କର ସୁନାବେଶ କରାଯିବା ପରେ ରାଜପୁରୋହିତ ସୁଶାନ୍ତ କୁମାର ମିଶ୍ର ସନ୍ଧ୍ୟା ଆଳତୀ କରିଥିଲେ। ଆଠଗଡ଼ ଉପକୋଷାଗାରରୁ କଡା ପୁଲିସ ସୁରକ୍ଷା ବଳୟ ମଧ୍ୟରେ ଶ୍ରୀ ଜୀଉଙ୍କର ସମସ୍ତ ସୁନା ଓ ରୂପା ଅଳଙ୍କାର ଅଣାଯାଇଥିଲା। ଶ୍ରୀ ଅଟ୍ଟାଳି ଜଗନ୍ନାଥ ଦେବଙ୍କୁ ୬୬୧.୭୫୦ଗ୍ରାମ ଏବଂ ଜଗନ୍ନାଥ ବଲ୍ଲଭ ମଠ ରଥର ତିନି ଦିଅଁଙ୍କୁ ୫୩୧.୫୨୫ଗ୍ରାମ ଓଜନର ସୁନା ଅଳଙ୍କାର ସହିତ ବହୁ ରୂପା ଅଳଙ୍କାରରେ ସଜ୍ଜିତ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟ ସଂପାଦନରେ ବଡପଣ୍ଡା ଶରତ କୁମାର ପଣ୍ଡା, ସୁଶାନ୍ତ କୁମାର ପଣ୍ଡା, ସ୍ୱାଗତ କୁମାର ପଣ୍ଡାଙ୍କ ସମେତ ଅନ୍ୟ ସେବାୟତ ସହଯୋଗ କରିଥିଲେ। ଦେବୋତ୍ତର ସୁପରଭାଇଜର ଭବାନୀ ଶଙ୍କର ପଣ୍ଡା ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ। ଆଠଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ଓ ଉପନିରୀକ୍ଷକ ବିଶ୍ୱଜିତ୍ ଜେନାଙ୍କ ନେତୃତ୍ୱରେ ବ୍ୟାପକ ପୁଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ଚଳିତ ବର୍ଷ ଦୁଇଟି ଯାକ ରଥ ପାର୍ଶ୍ବବର୍ତ୍ତୀ ରାସ୍ତାରେ ଗାଡି ଚଳାଚଳକୁ ବନ୍ଦ କରାଯାଇଥିବାରୁ ଶ୍ରଦ୍ଧାଳୁମାନେ ସୁବିଧାରେ ଦର୍ଶନ କରିଥିଲେ।
ଅଟ୍ଟାଳି ଜଗନ୍ନାଥଙ୍କ ସୁନାବେଶ
Popular Categories



