ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଜାଗପୁର ଗ୍ରାମରେ ଏକ ଅଭାବନୀୟ ଘଟଣା କ୍ରମରେ ନିଜ ଜନ୍ମ କଲା ଝିଅକୁ ଅସଦାଚରଣ କରିବା ମାମଲାରେ ଦ୍ବିତୀୟ ଥର ନିମନ୍ତେ ବାପାକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ କୁମୁଦ ମହାରଣା (୫୨) ବୋଲି ପୁଲିସ ସୂଚନା ଦେଇଛି। ଅଭିଯୋଗ ଅନୁଯାୟୀ ସୋମବାର ରାତିରେ ଘରେ ମା ଓ ଝିଅ ଶୋଇଥିବା ସମୟରେ ଅଭିଯୁକ୍ତ ବାପା କୁମୁଦ ମଦ୍ୟପାନ କରି ଝିଅକୁ ଅସଦାଚରଣ କରିଥିଲା। ଏଥିରେ ଝିଅ ଜଣଙ୍କ ପାଟି କରିବାରୁ ଅନ୍ୟ କୋଠରୀରେ ଶୋଇଥିବା ମା ସମେତ ସାହି ପୋଡଶୀ ଉଠି କୁମୁଦକୁ କାବୁ କରିବା ସହ ଘଟଣା ନେଇ ଗୋଳନ୍ଥରା ପୁଲିସକୁ ଖବର ଦେଇଥିଲେ। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି କୁମୁଦକୁ ଥାନାକୁ ଆଣି ଅଟକ ରଖିଥିଲେ।
ଆଜି ଝିଅ ପକ୍ଷରୁ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଯାଇଛି। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତ ବାପା ଓ ଝିଅର ଡାକ୍ତରୀ ମାଇନା କରିବା ସହ ଆଜି କୋର୍ଟ ଚାଲାଣ କରାଯାଇଛି। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ ଯେ ଗତ ୨୦୨୧ ମସିହାରେ ଅନୁରୂପ ଭାବେ ନିଜ ଝିଅକୁ ଅସଦାଚରଣ କରିବା ନେଇ ଗୋଳନ୍ଥରା ଥାନାରେରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କୁମୁଦକୁ କୋର୍ଟ ଚାଲାଣ କରିଥିବା ବେଳେ ପ୍ରାୟ ଦେଢ ବର୍ଷ ପରେ ଜାମିନରେ ଆସିଥିଲେ। ଏବେ ପୁଣିଥରେ ଝିଅକୁ ଅସଦାଚରଣ କରି ଜେଲ ଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।



