ନୂଆଦିଲ୍ଲୀ : କୋଭିଡ୍-୧୯ ସମୟରେ ଗର୍ଭବତୀ ମହିଳାମାନଙ୍କର ଚିକିତ୍ସା ପାଇଁ ହସ୍ପିଟାଲ୍ଗୁଡ଼ିକ ଦ୍ୱାରା ମନା କରାଯାଉଥିବା ବିଷୟରେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ଏହାଦ୍ୱାରା ଗର୍ଭବତୀ ମହିଳାମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି। ଶ୍ରୀମତୀ ଶର୍ମା ତାଙ୍କର ଚିଠିରେ ଲେଖିଛନ୍ତି,ଗର୍ଭବତୀ ମହିଳାମାନଙ୍କ ପ୍ରସୂତୀ ପାଇଁ ପର୍ଯ୍ୟାପ୍ତ ସଂଖ୍ୟାରେ ଆମ୍ବୁଲାନ୍ସ ନାହିଁ ଓ ସେମାନଙ୍କୁ ଅନେକ ସ୍ଥଳେ ହସ୍ପିଟାଲରେ ଭର୍ତ୍ତି କରିବାକୁ ମନା କରାଯାଉଥିବା ଘଟଣାମାନ ନଜରକୁ ଆସିଛି।
ଏ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। କୋଭିଡ୍ ବ୍ୟତୀତ ଅନ୍ୟ ଆମ୍ବୁଲାନ୍ସ ସେବା ଯୋଗାଣକୁ ନିଶ୍ଚିତ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ କମିଶନ ପକ୍ଷରୁ ଅନୁରୋଧ କରାଯାଇଛି। ରାଜ୍ୟ ସରକାରମାନେ ସେମାନଙ୍କର ସ୍ୱାସ୍ଥ୍ୟ ବିଭାଗକୁ ଏ ଦିଗରେ ସଚେତନ କରାଇପାରିବେ। ଗର୍ଭବତୀ ମହିଳା ଓ ନବଜାତ ଶିଶୁମାନଙ୍କ ସୁରକ୍ଷା ପାଇଁ ଏକ ହେଲ୍ପଲାଇନ୍ ନମ୍ବର ସ୍ଥାପନ ଲାଗି ମଧ୍ୟ ଶ୍ରୀମତୀ ଶର୍ମା ଅନୁରୋଧ କରିଛନ୍ତି।



