ଭୁବନେଶ୍ୱର: ଆଜି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ୭୯ତମ ଜନ୍ମଦିନ । ଏହି ଅବସରରେ ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନ ରେ ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ର ଗଙ୍ଗନଗର ବିଜୁ ଆଦର୍ଶ କଲୋନୀ ରେ ଆୟୋଜିତ ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ। ବିଜେଡି ର ନେତା ଓ କର୍ମୀ ମାନଙ୍କ ଗହଣ ରେ ଶ୍ରୀ ପଟ୍ଟନାୟକ କିଛି ବାଟ ଚାଲିବା ସହିତ ଆୟୋଜିତ ସଭା ରେ ଉପସ୍ଥିତ ଜନତା ଓ କର୍ମୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଥିଲେ ।
ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜୁ ଜନତା ଦଳ ଓଡିଶାବାସୀଙ୍କ ସହିତ ସବୁବେଳେ ରହିଛି ଓ ରହିଥିବ । ସେବା ବିଜୁ ଜନତା ଦଳର ମନ୍ତ୍ର । ତେଣୁ ଲୋକଙ୍କ ସେବା ଜାରି ରଖିବା ପାଇଁ କର୍ମୀ ମାନଙ୍କୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେବା ସହିତ,ଶେଷ ପର୍ଯ୍ୟନ୍ତ ସେ ଓଡିଶା ମା ର ସେବା କରିଚାଲିବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ଭୁବନେଶ୍ୱର ବିଜୁ ଜନତା ଦଳର ସଭାପତି ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେଡିର ବରିଷ୍ଠ ଉପସଭାପତି ଶ୍ରୀ ଦେବୀପ୍ରସାଦ ମିଶ୍ର, ସାଂସଦ ଦେବାଶିଷ ସାମନ୍ତରାୟ, ସାଂସଦ ସୁଲତା ଦେଓ,ବିଧାୟକ. ଶ୍ରୀମତୀ ପ୍ରମିଳା ମଲ୍ଲିକ,ବିଧାୟକ ଅନନ୍ତ ନାରାୟଣ ଜେନା,ବିଧାୟକ ସୁଶାନ୍ତ ରାଉତ,ବିଧାୟକ ଶ୍ରୀ ବିଭୁତି ବଳବନ୍ତରାୟ ,ଭୁବନେଶ୍ୱର ର ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କଅଁର,ବିଜେଡି ର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବିଜେଡି ର କର୍ପୋରେଟର ମାନେ ଯୋଗ ଦେଇଥିଲେ । ଏହି ଅବସରରେ ଶ୍ରୀ ପଟ୍ଟନାୟକ ପିଲାମାନଙ୍କୁ ଚକୋଲେଟ ବାଣ୍ଟି ଥିଲେ । ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ବିଜେଡି ର ଜନ ସମ୍ପର୍କ ପଦଯାତ୍ରା ଅକ୍ଟୋବର ୯ ରୁ ଆରମ୍ଭ ହୋଇଛି, ଏହା ନଭେମ୍ବର ୯ ପର୍ଯ୍ୟନ୍ତ ଚାଲିବ।



