ନୂଆଦିଲ୍ଲୀ : ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଆସନ୍ତା ୩୧ ତାରିଖରେ ସାରା ଦେଶରେ ଜାତୀୟ ଏକତା ଦିବସ ପାଳନ କରାଯିବ। ଜାତୀୟ ଏକତା ଦିବସ ମହାସମାରୋହରେ ପାଳନ କରାଯିବା ପାଇଁ ପ୍ରସ୍ତୁତି ପୂର୍ଣ୍ଣ ମାତ୍ରାରେ ଆଗେଇ ଚାଲିଛି। ଦେଶର ଲକ୍ଷ ଲକ୍ଷ ଲୋକ ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର କେଭାଡିଆ ଗସ୍ତ କରି ଷ୍ଟାଚ୍ୟୁ ଅଫ୍ ୟୁନିଟି ବା ଏକତାର ପ୍ରତିମୂର୍ତ୍ତି ଠାରେ ସର୍ଦ୍ଦାର
ପଟେଲଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବେ। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ନେସନାଲ୍ ଷ୍ଟାଡିୟମ୍ରୁ ସେହିଦିନ ସକାଳ ୭ଟା ୧୦ ମିନିଟରେ ‘ଏକତା ପାଇଁ ଦୌଡ଼’ର ଶୁଭାରମ୍ଭ କରିବେ। ଆସନ୍ତା ୩୧ ତାରିଖ ଦିନ ‘ଏକତା ପାଇଁ ଦୌଡ଼’ କାର୍ଯ୍ୟକ୍ରମରେ ଲୋକମାନେ ଅଂଶଗ୍ରହଣ କରିବା ପାଇଁ ରାଜଧାନୀ ଦିଲ୍ଲୀରେ ମେଟ୍ରୋ ରେଳସେବା ଭୋର୍ ଚାରିଟାରୁ
ଆରମ୍ଭ ହେବ।
ସେପ୍ଟେମ୍ବର ମାସରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, ‘ଏକ୍ ଭାରତ ଶ୍ରେଷ୍ଠ ଭାରତ’ ଦେଶର ଜନସାଧାରଣଙ୍କର ସ୍ୱପ୍ନ ଓ ସେ ଦୃଷ୍ଟିରୁ ପ୍ରତିବର୍ଷ ଅକ୍ଟୋବର ୩୧ ତାରିଖରେ ଲୋକମାନେ ଏକତା ପାଇଁ ଦୌଡ଼ କାର୍ଯ୍ୟକ୍ରମରେ ଭାଗ ନେବେ।



