କଟକ: ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରାଳୟ ଅଧିନସ୍ଥ ରବର ବୋର୍ଡ ଅଧ୍ୟକ୍ଷ ଡଃ. ସାୱର ଧନାନିଆ ଗତ ଜୁଲାଇ ମାସରେ ଏକ ବିଶେଷ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଆଇଆଇଟି ଗସ୍ତ କରିଥିଲେ। କୋଲକାତା ନିବାସୀ ଡଃ. ଧନାନିଆ ବିଶ୍ୱରେ ବୃଦ୍ଧି ପାଉଥିବା ରବର ଚାଷର ଚାହିଦା ସମ୍ପର୍କରେ ଆଲୋଚନା କରିଥିଲେ। ରବର ଚାଷକୁ ନେଇ କୌଣସି ନିର୍ଦ୍ଦିଷ୍ଟ ଯୋଜନା ନଥିବା ସମ୍ପର୍କରେ ଡଃ. ଧନାନିଆ କହିଥିଲେ ଯେ କେନ୍ଦ୍ର ସରକାର ଏ ପ୍ରସଙ୍ଗକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି ଏବଂ କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋୟଲଙ୍କ ସହ ହୋଇଥିବା ଆଲୋଚନାରୁ ଜଣା ପଡିଛି ଯେ ଖୁବ ଶୀଘ୍ର ସରକାର ରାଷ୍ଟ୍ରୀୟ ରବର ଯୋଜନା ୨୦୧୯ ଘୋଷଣା କରିବେ। ଏହି ଯୋଜନାରେ ବିଶ୍ୱ ସ୍ତରୀୟ ରବର ଉତ୍ପାଦନ ସହ ପରିବେଶ ଉପଯୋଗୀ ରବର ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯିବ।
ଡଃ. ଧନାନିଆ କହିଥିଲେ ଯେ ଲୋକମାନେ ଏବେ ରବରର ଆବଶ୍ୟକତା ବୁଝିବାକୁ ସକ୍ଷମ ହେଲେଣି। ପେନସିଲରେ ଲେଖା ହୋଇଥିବା ତଥ୍ୟ ଲିଭାଇବା ହେଉ କି ଟାୟାର ହେଉ, ଦୈନଦିନ ଜୀବନରେ ଏହାର ଉପଯୋଗୀତାକୁ ଦୃଷ୍ଟିରେ ରଖି ସାଧାରଣ ଲୋକେ ରବର ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି। ସେ କହିଛନ୍ତି, ରବର ଚାଷ ପାଇଁ ଢେଙ୍କାନାଳ ଓ ମୟୁରଭଞ୍ଜ ଜିଲ୍ଲା ଅନୁକୂଳ ଅଟେ ତେଣୁ ଉଭୟ ଜିଲ୍ଲାରେ ଉନ୍ନୀତ ଗବେଷଣା କେନ୍ଦ୍ର ଖୋଲିବାକୁ ଯୋଜନା ରହିଛି।
ରବର ଚାହିଦା କ୍ଷେତ୍ରରେ ଅନେକ ସମୟରେ ଦେଖାଦେଉଥିବା ସମସ୍ୟା ପ୍ରସଙ୍ଗରେ ଡଃ. ଧନାନିଆ କହିଛନ୍ତି ଯେ ରବର ଚାଷୀଙ୍କୁ ସରକାରୀ ପ୍ରୋତ୍ସାହନର ଆବଶ୍ୟକତା ରହିଛି ଏବଂ ରବର ବୋର୍ଡ ସେ ଦିଗରେ ଅଗ୍ରସର ହେଉଛି। ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୫ ଟ୍ରିଲିୟନ ଅର୍ଥନୀତି ସ୍ବପ୍ନ ସାକାର ହେବା ଦିଗରେ ରବର ଉଦ୍ୟୋଗର ଭୂମିକା ଗୁରୁତ୍ୱପୂର୍ଣ ହେବ ବୋଲି ସେ କହିଛନ୍ତି। ରବର ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଶତ ପ୍ରତିଶତ ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜି ନିବେଶ ପାଇଁ ଅନୁମତି ଦେଇଛନ୍ତି।
କେରଳର କୋଟ୍ଟାୟମରେ ଗତ ୭୦ ବର୍ଷ ହେବ ଏଥିପାଇଁ ପ୍ରଶିକ୍ଷଣ, ଆର୍ଥିକ ଅନୁସନ୍ଧାନ ଓ ସହଯୋଗ ପ୍ରଦାନ କରାଯାଉଛି। ବିଶ୍ୱରେ ରବର ଉତ୍ପାଦିତ ସାମଗ୍ରୀର ଆବଶ୍ୟକତା ବୃଦ୍ଧି ପାଉଥିବାରୁ ରବର ଉତ୍ପାଦନରେ ବୃଦ୍ଧି ଜରୁରୀ ହୋଇପଡିଛି। ବର୍ତମାନ ସମୟରେ ମୋଟ ରବର ଉତ୍ପାଦନର ୭୮ ପ୍ରତିଶତ ଟାୟାର ତିଆରି ପାଇଁ ବ୍ୟବହାର ହେଉଥିବା ବେଳେ ୨୨ ପ୍ରତିଶତ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତି ପାଇଁ ବ୍ୟବହାର ହେଉଥିବା ରବର ବୋର୍ଡ ଅଧ୍ୟକ୍ଷ ଡଃ. ସାୱର ଧନାନିଆ କହିଛନ୍ତି।



