ଜାତୀୟ ପ୍ରେସ୍ ଦିବସ ସମାରୋହ : ବିଶ୍ୱସନୀୟ ଖବର ସମାଜ ଗଢ଼େ, ଗଣତନ୍ତ୍ରକୁ ସୁଦୃଢ଼ କରେ
ଭୁବନେଶ୍ୱର : ସତ୍ୟ ସମ୍ବାଦ ପରିବେଷଣର ଦାୟିତ୍ୱ ସାମ୍ବାଦିକତାର ମୂଳମନ୍ତ୍ର। ବିଶ୍ୱସନୀୟ ଖବର ସମାଜ ଗଠନରେ ସହାୟକ ହେବା ସହିତ ଗଣତନ୍ତ୍ରକୁ ସୁଦୃଢ଼ କରିଥାଏ ବୋଲି ଜାତୀୟ ସାମ୍ବାଦିକ ଦିବସରେ ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ଜୟଦେବ ଭବନଠାରେ ଶୁକ୍ରବାର ସନ୍ଧ୍ୟାରେ ଆୟୋଜିତ ଜାତୀୟ ପ୍ରେସ୍ ଦିବସରେ ଓଡ଼ିଶା ହାଇକୋର୍ଟର ବିଚାରପତି ବିଶ୍ୱନାଥ ରଥ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ଉଦ୍ଘାଟକଭାବେ ଚିଟ୍ଫଣ୍ଡ କମିସନ ଅଧ୍ୟକ୍ଷ ଜଷ୍ଟିସ ମଦନମୋହନ ଦାଶ ଯୋଗଦେଇ ସାମ୍ବାଦିକତାର ଆଦର୍ଶ, ମୂଲ୍ୟବୋଧ ହିଁ ପାଠକଙ୍କ ନିକଟରେ ବିଶ୍ୱସନୀୟତା ସୃଷ୍ଟି କରିଥାଏ ବୋଲି ମତବ୍ୟକ୍ତ କରିଥିଲେ।
ବିଚାରପତି ଶ୍ରୀ ରଥ କହିଥିଲେ ଯେ, ତାଙ୍କ ଜୀବନରେ ଖବରକାଗଜକୁ ସେ ଜୀବନର ମାଧ୍ୟମ ବୋଲି ଗ୍ରହଣ କରିଛନ୍ତି। ବର୍ତ୍ତମାନ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ମଧ୍ୟରେ ଯେଉଁ ପ୍ରତିଯୋଗିତା ଚାଲିଛି ଅନେକ ସମୟରେ ପ୍ରକୃତ ସମ୍ବାଦ ଜାଣିବା କଷ୍ଟକର ହୋଇପଡୁଛି। ଉଦାହରଣ ଦେଇ ସେ କହିଥିଲେ ସାବରିମାଳା ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ରାୟର ପ୍ରକୃତ ରିପୋର୍ଟ ଗଣମାଧ୍ୟମ ଠିକଣା ଭାବେ ଉପସ୍ଥାପନ କରିନଥିଲା। ସେହିଭଳି ରାଫେଲ କମ୍ପାନୀ ସିଇଓଙ୍କ ବକ୍ତବ୍ୟ ପ୍ରକାଶରେ ମଧ୍ୟ ଛାପା ଗଣମାଧ୍ୟମରେ ସଠିକ୍ ଭାବେ ଉପସ୍ଥାପିତ କରାଯାଇନଥିଲା। ଏଭଳି ଖବର ଯଦି ପ୍ରକାଶ ପାଏ ତେବେ ପାଠକଙ୍କ ଗଣମାଧ୍ୟମ ଉପରେ ବିଶ୍ୱାସ ତୁଟିଯିବ ବୋଲି ସେ କହିଥିଲେ।
‘ସମାଜ’ର ସମ୍ପାଦକ ବାମାପଦ ତ୍ରିପାଠୀ ଅଧ୍ୟକ୍ଷତା କରି କହିଥିଲେ ଯେ, ଏବେ ଛାତ୍ରଛାତ୍ରୀଙ୍କ ପାଇଁ ସାମ୍ବାଦିକତାକୁ କ୍ୟାରିୟର କରିବାର ଯେଉଁ ସୁଯୋଗ ଆଉ ସମ୍ଭାବନା ରହିଛି ତାହା ପୂର୍ବରୁ ନଥିଲା। ବରିଷ୍ଠ ସାମ୍ବାଦିକଙ୍କ ଦିଗ୍ଦର୍ଶନକୁ ପାଥେୟ କରି ଅତୀତରେ ବହୁ ପେସାଦାର ସାମ୍ବାଦିକ ସୃଷ୍ଟି ହୋଇଥିଲେ। ଯେଉଁମାନେ ପରବର୍ତ୍ତୀ ସମୟରେ ଏ କ୍ଷେତ୍ରକୁ ସମୃଦ୍ଧ କରିବା ସହ ମୂଲ୍ୟବୋଧ ପ୍ରତିଷ୍ଠା କରିଯାଇଛନ୍ତି।
ସାମ୍ବାଦିକ କଲ୍ୟାଣ ବୋର୍ଡ, ଦୂରଦର୍ଶନ କେନ୍ଦ୍ର, ଆକାଶବାଣୀ, ପ୍ରେସ୍ ଇନ୍ଫରମେସନ ବ୍ୟୁରୋ (ପିଆଇବି),କ୍ଷେତ୍ର ପ୍ରଚାର ନିର୍ଦେଶାଳୟ(ଡିଏଫପି) ଏବଂ ଅମିତ ଅନୁଷ୍ଠାନର ମିଳିତ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ତଥା ‘ପ୍ରଜାତନ୍ତ୍ର’ର ସମ୍ପାଦକ ଭର୍ତ୍ତୃହରି ମହତାବଙ୍କୁ ‘ଉତ୍କଳ ସାମ୍ବାଦିକ ରତ୍ନ’ରେ ସମ୍ମାନିତ କରାଯାଇଥିଲା। ରାଜ୍ୟର ୨୨ଜଣ ବରିଷ୍ଠ ସାମ୍ବାଦିକଙ୍କୁ ପେନ୍ସନ୍ ପ୍ରଦାନ କରାଯାଇଥିଲା। ରାଜ୍ୟ ବାହାରର ୬ଟି ସମ୍ବାଦପତ୍ରର ସମ୍ପାଦକଙ୍କୁ ରାଷ୍ଟ୍ରୀୟ ଗୌରବରେ ସମ୍ମାନିତ କରାଯାଇଥିଲା। ସେହିପରି ଉତ୍ସବରେ ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା।
ଉତ୍କଳ ବିଶ୍ୱବିଦ୍ୟାଳୟର ନାଇନ୍ସ ଅଗ୍ରୱାଲାଙ୍କୁ ରବିନାରାୟଣ ମହାନ୍ତି ସ୍ମାରକୀ, ସଂସ୍କୃତି ବିଶ୍ୱବିଦ୍ୟାଳୟର ପ୍ରାଚୀପ୍ରଭା ମହାପାତ୍ରଙ୍କୁ ଗୋପାଳ ମିଶ୍ର ସ୍ମାରକୀ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଲୋହିତା ରାଉଳଙ୍କୁ ବରେନ୍ଦ୍ର କୃଷ୍ଣ ଧଳ ସ୍ମାରକୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିସନର ଆର. ବାଲକ୍ରିଷ୍ଣନ, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ଯୋଗଦେଇ ମୂଲ୍ୟବୋଧଭିତ୍ତିକ ସାମ୍ବାଦିକତାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ‘ନୈତିକତା ପ୍ରତି ଡିଜିଟାଲ ଯୁଗର ଆହ୍ୱାନ’ ଶୀର୍ଷକ ଆଲୋଚନାଚକ୍ରରେ ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା ସଭାପତିତ୍ୱ କରିଥିଲେ। ଏଥିରେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଦୁର୍ଗାପ୍ରସାଦ ଚୌଧୁରୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ବର୍ତ୍ତମାନର ଗଣମାଧ୍ୟମ ଓ ସାମ୍ବାଦିକତା ସମ୍ପର୍କରେ ବିଶଦ ଭାବେ କହିଥିଲେ। ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି, ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ, ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ, ଆକାଶବାଣୀର ଉପ ନିର୍ଦେଶକ ସୁଧାଂଶୁ ଶେଖର ଧଡ଼ା, ଦିଲୀପ ଶତପଥୀ, ପଣ୍ଡିତ ପ୍ରବୋଧ ମିଶ୍ର ଓ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ଉପ ସଭାପତି ପ୍ରଦ୍ୟୁମ୍ନ ମହାନ୍ତି ଯୋଗଦେଇ ସାମ୍ବାଦିକଙ୍କ ସମସ୍ୟା ଉତ୍ଥାପନ କରିବା ସହ ସରକାରୀଭାବେ ପେନସନ ଦେବା ପାଇଁ ଦାବି କରିଥିଲେ।
ଅନୁଷ୍ଠାନର ସାଧାରଣ ସମ୍ପାଦକ ସନତ ମିଶ୍ର ବିବରଣୀ ପାଠ ଓ ଧନ୍ୟବାଦ ଅର୍ପଣ କରିଥିଲେ।