ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଧାରଣ ଜନତାଙ୍କଠାରୁ ମତାମତ ସଂଗ୍ରହ କରୁଛନ୍ତି। ‘ନମୋ’ ଆପ୍ ମାଧ୍ୟମରେ ଏହି ମତାମତ ସଂଗ୍ରହ କରାଯାଉଛି। ଏଥିରେ ସରକାରଙ୍କ ମୂଲ୍ୟାୟନ ସହ ବିଭିନ୍ନ ଯୋଜନାର କାର୍ୟ୍ୟକାରିତା ସମ୍ପର୍କରେ ମତ ରଖିବା ପାଇଁ କୁହାଯାଇଥିବାବେଳେ ସ୍ଥାନୀୟ ବିଜେପି ନେତାଙ୍କ ସମ୍ପର୍କରେ ତଥ୍ୟ ଆହ୍ବାନ କରାଯାଇଛି। ପୁନଶ୍ଚ ସେମାନଙ୍କ ଅଞ୍ଚଳରେ ମହାମେଣ୍ଟର ପ୍ରଭାବ କିଭଳି ସେ ସମ୍ପର୍କରେ ମଧ୍ୟ ମତ ଦେବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି। ଏହା ମାଧ୍ୟମରେ ନିର୍ବାଚନ ପୂର୍ବରୁ ସ୍ଥିତି ସୁଧାରିବା ଉଦ୍ୟମ ସହ ପ୍ରସ୍ତୁତି ଜୋର୍ଦାର କରିଛନ୍ତି ପ୍ରଧାନମନ୍ତ୍ରୀ। ମୋଟ ୯ଟି ଟାବ୍ରେ ଏହି ମତାମତ ସଂଗ୍ରହ ସଂକ୍ରାନ୍ତ ସବିଶେଷ ତଥ୍ୟ ଓ ପ୍ରଶ୍ନାବଳୀ ପ୍ରଦାନ କରାଯାଇଛି। ବିଶେଷ ଭାବେ ସ୍ବାସ୍ଥ୍ୟ ଯୋଜନା, ଦୁର୍ନୀତିମୁକ୍ତ ପ୍ରଶାସନ, କୃଷକଙ୍କ ବିକାଶ, ସ୍ବଚ୍ଛ ଭାରତ, ଜାତୀୟ ସୁରକ୍ଷା, ଅର୍ଥନୀତି,ଦାରିଦ୍ର୍ୟମୋଚନ, ନିଯୁକ୍ତି ସୁଯୋଗ ଓ ଗ୍ରାମାଞ୍ଚଳ ବିଦ୍ୟୁତ୍କରଣ ଆଦି ସମ୍ପର୍କରେ ମୋଦୀ ଜନତାଙ୍କ ମତାମତ ଲୋଡ଼ିଛନ୍ତି। ଟ୍ବିଟର ଓ ଫେସ୍ବୁକ୍ରେ ପ୍ରସାରିତ ଭିଡିଓରେ ମୋଦୀ ‘ମୁଁ ଆପଣମାନଙ୍କ ମତାମତ ପ୍ରତ୍ୟକ୍ଷ ଭାବେ ଜାଣିବାକୁ ଚାହୁଁଛି। ନିର୍ବାଚନ ପୂର୍ବରୁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆପଣମାନଙ୍କ ମତର ଯଥେଷ୍ଟ ଗୁରୁତ୍ବ ରହିଛି। ଏହା ଆମକୁ ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାରେ ସହାୟକ ହେବ’ ବୋଲି କହୁଛନ୍ତି। ପ୍ରତ୍ୟେକ ସର୍ଭେ ଫର୍ମରେ ନିଜର ମତ ଉପସ୍ଥାପନ କରିବାକୁ ମଧ୍ୟ ମୋଦୀ ନିବେଦନ କରିଛନ୍ତି। ସମ୍ପ୍ରତି ତିନିଟି ରାଜ୍ୟରେ କ୍ଷମତାଚ୍ୟୁତ ହେବା ସହିତ ରାଫେଲ ଯୁଦ୍ଧବିମାନ କ୍ରୟକୁ ନେଇ ଉଠିଥିବା ଝଡ଼ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ତଥା ତାଙ୍କ ଦଳ ପକ୍ଷରୁ ଏଭଳି ମତାମତ ସଂଗ୍ରହ କରାଯାଉଛି।
ନମୋ ଆପ୍ରେ ପଚରାଯାଇଥିବା ପ୍ରଶ୍ନଗୁଡ଼ିକ ଏହିଭଳି-
-ମୋଦୀ ସରକାରଙ୍କ କାର୍ୟ୍ୟଦକ୍ଷତାର ମୂଲ୍ୟାୟନ ଆପଣ କିଭଳି କରିବେ?
-ସ୍ବଚ୍ଛତା, କର୍ମନିଯୁକ୍ତି, ଶିକ୍ଷା, ଆଇନଶୃଙ୍ଖଳା, ମୂଲ୍ୟ ବୃଦ୍ଧି, ଦୁର୍ନୀତି ଓ କୃଷକ କଲ୍ୟାଣ ମଧ୍ୟରୁ କେଉଁଟି ଆପଣଙ୍କ ମତରେ ପ୍ରମୁଖ?
-ଆପଣଙ୍କ ନିର୍ବାଚନ ମଣ୍ଡଳୀର ସବୁଠୁ ଲୋକପ୍ରିୟ ତିନି ଜଣ ବିଜେପି ନେତା କିଏ?
-କେନ୍ଦ୍ର ସରକାରଙ୍କ କାର୍ୟ୍ୟ ସଂସ୍କୃତିରେ ବିକାଶ ଘଟିଛି କି?
-ଭାରତର ଭବିଷ୍ୟତ ସମ୍ପର୍କରେ ଆପଣ ପୂର୍ବାପେକ୍ଷା ଅଧିକ ଆଶାବାଦୀ କି?
-ପ୍ରସ୍ତାବିତ ମହାମେଣ୍ଟର କିଛି ପ୍ରଭାବ ଆପଣଙ୍କ ନିର୍ବାଚନ ମଣ୍ଡଳୀରେ ପଡ଼ିବ ବୋଲି ଭାବୁଛନ୍ତି କି?
-ଆପଣ ବିଜେପି ପାଇଁ ସ୍ବେଚ୍ଛାକୃତ ଭାବେ କାର୍ୟ୍ୟକରିବାକୁ ଆଗ୍ରହୀ କି?
-ଆପଣ ବିଜେପିକୁ ଅର୍ଥ ଦାନ କରିଛନ୍ତି କି?
-ଆପଣ ନମୋ ବ୍ୟବସାୟ (‘ପୁନଶ୍ଚ ନମୋ’ ଲେଖାଥିବା ଟି-ସାର୍ଟ, ମଗ୍ ଇତ୍ୟାଦିର ବିକ୍ରି) କରୁଛନ୍ତି କି?
‘ନମୋ’ ଆପ୍ରେ ସର୍ଭେ କରୁଛନ୍ତି ମୋଦୀ
Popular Categories


