ନାକଟିଦେଉଳ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଗିରିଶ୍ଚନ୍ଦ୍ରପୁର ବନାଞ୍ଚଳ ପକ୍ଷରୁ ହୀରାଲୋଇ ଗ୍ରାମରେ ସୋମବାର ରାତିରେ ଚଢାଉ କରାଯାଇ ଏକ କଲରାପତରିଆ ବାଘର ଚମଡା ସହ ଗୋଟିଏ ଦେଶୀ ବନ୍ଧୁକ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ୩ ଜଣ ଶିକାରୀଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି।
ଗୁରୁ ଗ୍ରହ କରିବେ ଓଲଟା ଚଳନ; ୩ ରାଶିଙ୍କ ବଦଳିଯିବ ଭାଗ୍ୟ, କରିବେ ଧନ ବୃଦ୍ଧି..
ମିଳିଥିବା ସୂଚନା ଅନୁସାରେ ହୀରାଲୋଇ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏକ କଲରାପତରିଆ ବାଘ ଶିକାର କରାଯାଇ ହୀରାଲୋଇ ଗ୍ରାମର କିଛି ଶିକାରୀ ଘରେ ମୃତ ବାଘର ଚମଡା ରଖିଥିଲେ। ଏ ସମ୍ପର୍କରେ ସୂଚନା ପାଇ ଗିରିଶ୍ଚନ୍ଦ୍ରପୁର ବନାଞ୍ଚଳ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଏବଂ ଫରେଷ୍ଟର ପ୍ରବୀଣ କୁମାର ସାହୁ ପ୍ରମୁଖ ସଦଳବଳେ ସୋମବାର ବିଳମ୍ବିତ ରାତି ପ୍ରାୟ ୨ଟାରେ ହୀରାଲୋଇ ଗ୍ରାମର ସମ୍ପୃକ୍ତ ଶିକାରୀମାନଙ୍କ ଘରେ ଚଢାଉ କରିଥିଲେ। ଚଢାଉ ବେଳେ ସେମାନଙ୍କ ଠାରୁ ଏକ କଲରାପତରିଆ ବାଘ ଚମଡା ସହ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଥିଲେ। ଅନ୍ୟ ପକ୍ଷରେ ଏହି ଘଟଣାରେ ଗ୍ରାମର ତିନି ଜଣ ବ୍ୟକ୍ତିଙ୍କୁ ଅଟକ ରଖି ଅଧିକ ପଚରା ଉଚୁରା କରାଯାଉଛି। ଖବର ପାଇ ମଙ୍ଗଳବାର ସକାଳୁ ରେଢ଼ାଖୋଲ ଡ଼ିଏଫଓ ଅରବିନ୍ଦ ମହାନ୍ତି ଏଠାକୁ ଆସି ଅଧିକ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।



