ନାଗାଲାଣ୍ଡ ଓ ତ୍ରିପୁରାରେ ବିଜେପିକୁ ବହୁମତ, ମେଘାଳୟରେ କଂଗ୍ରେସକୁ ଅଧିକ ଆସନ

0

ନୂଆଦିଲ୍ଲୀ/ ଅଗରତାଲା/କୋହିମା/ଶିଲଂ: ଉତ୍ତର-ପୂର୍ବ ଭାରତର ତିନିଟି ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ଶନିବାର ପ୍ରକାଶ ପାଇଛି। ତ୍ରିପୁରାରେ ବିଜେପି ମେଣ୍ଟ ଦୁଇ ତୃତୀୟାଂଶ ଆସନ ପାଇ ସରକାର ଗଠନ କରିବାକୁ ଅପ୍ରତିଦ୍ୱନ୍ଦ୍ୱୀ ହୋଇଥିବାବେଳେ ନାଗାଲାଣ୍ଡରେ ଏନଡିପିପି-ବିଜେପି ମେଣ୍ଟ ସହ ସିଧାସଳଖ ଲଢେଇ କ୍ଷମତାସୀନ ଦଳ ଏନପିଏଫ୍‌(ନାଗା ପିପୁଲ୍‌ସ ଫ୍ରଣ୍ଟ) ସହିତ ହୋଇଛି। ଉଭୟ ୨୯ ଆସନ ପାଇଥିବାରୁ ସରକାର ଗଠନ ଦୁଇ ସ୍ୱାଧୀନ ବିଧାୟକଙ୍କ ହାତରେ ରହିଛି। ତେବେ ମେଘାଳୟରେ ମଧ୍ୟ ଅନୁରୂପ ସ୍ଥିତି ଉପୁଜିଛି। ଏଠାରେ କ୍ଷମତାସୀନ କଂଗ୍ରେସ ୨୧ଟି ଆସନ ପାଇଥିବାବେଳେ ବିଜେପି-ଏନପିପି ମେଣ୍ଟକୁ ମଧ୍ୟ ୨୧ଟି ଆସନ ମିଳିଛି। ଅନ୍ୟ ଛୋଟ ଦଳ ଓ ସ୍ୱାଧୀନ ବିଧାୟକଙ୍କ ହାତରେ ରହିଛି ୧୭ଟି ଆସନ। ତେବେ ଉଭୟ ନାଗାଲାଣ୍ଡ ଓ ମେଘାଳୟରେ ବିଜେପି ମେଣ୍ଟ
ସରକାର ଗଠନ କରିବ ବୋଲି ଆଶାବାଦୀ ରହିଛି ଦଳ। ତିନିଟି ରାଜ୍ୟରେ ସରକାର ଗଠନ କରିବା ଲାଗି ଆବଶ୍ୟକ ୩୧ ଆସନ ଦରକାର। ସବୁଠାରୁ ଉଲ୍ଲେଖନୀୟ ଘଟଣା ହେଉଛି ଏହି ତିନିଟି ରାଜ୍ୟରେ ବିଜେପିର ପ୍ରଦର୍ଶନ ଉତ୍ସାହଜନକ ରହିଛି। ଛୋଟ ଛୋଟ ଆଞ୍ଚଳିକ ଦଳଙ୍କୁ ନେଇ ବିଜେପି ଏବେ ଆସାମ, ଅରୁଣାଚଳ ପ୍ରଦେଶ ଓ ମଣିପୁର ପରେ ତା’ର ବିଜୟ ଯାତ୍ରାକୁ ଉତ୍ତର ପୂର୍ବ ଭାରତର ଆଉ ତିନିଟି ରାଜ୍ୟରେ ବିସ୍ତାର କରିବାରେ ଏକପ୍ରକାର ସଫଳ ହୋଇଛି।
ବିଶେଷକରି ତ୍ରିପୁରାରେ ୫ ବର୍ଷ ତଳେ ଆଦୌ ଉପସ୍ଥିତି ନଥିବା ବିଜେପି ତା’ର ସହଯୋଗୀ ଆଇପିଟିଏଫ୍‌ (ଇଣ୍ଡିଜେନସ ପିପୁଲ୍‌ସ ଫ୍ରଣ୍ଟ ଅଫ୍‌ ତ୍ରିପୁରା) ମେଣ୍ଟ ଦ୍ୱାରା ୨୫ ବର୍ଷର ବାମମେଣ୍ଟର ଦୁର୍ଗ ପତ୍ତନ ଘଟାଇଛି। ଏଠାରେ ମୋଟ ୫୯ ଆସନରୁ ବିଜେପି ମେଣ୍ଟକୁ ୪୩ଟି ଆସନ ମିଳିଥିବାବେଳେ ବାମମେଣ୍ଟ ୧୬ଟି ଆସନରେ ଅଟକି ଯାଇଛି। ଫଳରେ ଦୀର୍ଘ କୋଡିଏ ବର୍ଷ ଧରି ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଆସୁଥିବା ମାଣିକ ସରକାର କ୍ଷମତାଚ୍ୟୁତ ହୋଇଛନ୍ତି। ଦେଶର ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ ମାନ୍ୟତା ଲାଭ କରିଥିବା ମାଣିକ ସରକାରଙ୍କ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତିକୁ ରାଜ୍ୟବାସୀ ଏଥର ପ୍ରତ୍ୟାଖ୍ୟାନ କରିଛନ୍ତି।
ତେବେ ଏହି ନିର୍ବାଚନରେ ସବୁଠୁ ବିପର୍ଯ୍ୟୟ ଘଟିଛି କଂଗ୍ରେସର। ତ୍ରିପୁରା ଓ ନାଗାଲାଣ୍ଡରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ରହିଛି। ଏହି ଦୁଇ ରାଜ୍ୟରେ କଂଗ୍ରେସ ଆଦୌ ଖାତା ଖୋଲିବାକୁ ସକ୍ଷମ ହୋଇପାରିନି। ତେବେ ମେଘାଳୟରେ କଂଗ୍ରେସ ବଡ଼ ଦଳ ଭାବେ ରହିଥିଲେ ମଧ୍ୟ ନିଜ କ୍ଷମତାକୁ ସୁରକ୍ଷିତ ରଖିବା ସମ୍ଭବପର ଦିଶୁନାହିଁ।
ତିନିଟି ରାଜ୍ୟ ମଧ୍ୟରୁ ତ୍ରିପୁରାରେ ୨୫ ବର୍ଷ ଧରି କ୍ଷମତାରେ ରହିଥିବା ସିପିଏମକୁ ଗାଦିଚ୍ୟୁତ କରିବା ବିଜେପି ପାଇଁ ସବୁଠାରୁ ବଡ ସଫଳତା ବୋଲି ବିବେଚନା କରାଯାଉଛି। ସୂଚନାଯୋଗ୍ୟ, ୨୦୧୩ ବିଧାନସଭା ନିର୍ବାଚନରେ ସିପିଏମ ୪୯ଟି ଆସନରେ ବିଜୟୀ ହୋଇଥିବାବେଳେ କଂଗ୍ରେସକୁ ୧୦ଟି ଓ ସିପିଆଇକୁ ଗୋଟିଏ ଆସନ ମିଳିଥିଲା।
ନାଗାଲାଣ୍ଡରେ କ୍ଷମତାସୀନ ଏନପିଏଫ୍‌ (ନାଗା ପିପୁଲ୍‌ସ ଫ୍ରଣ୍ଟ) ବିରୋଧରେ ବିଜେପି-ଏନଡିପିପି(ନ୍ୟାସନାଲ ଡେମୋକ୍ରାଟିକ ପିପୁଲ୍‌ସ ପାର୍ଟି) କଡ଼ା ମୁକାବିଲା କରିବା ସହ ଉଭୟ ପକ୍ଷଙ୍କୁ ୨୯ଟି ଆସନ ମିଳିଛି। ତେବେ ଏଠି କଂଗ୍ରେସ ଖାତା ଖୋଲିପାରି ନଥିବାବେଳେ ସରକାର ଗଠନର ଅସଲ ଚାବିକାଠି ଦୁଇ ଅନ୍ୟ ବିଧାୟକଙ୍କ ହାତରେ ରହିଛି। ସରକାର ଗଠନ ଲାଗି ମ୍ୟାଜିକ୍‌ ସଂଖ୍ୟା ୩୧ ରହିଥିବାବେଳେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ମେଘାଳୟ ଓ ନାଗାଲାଣ୍ଡରେ ବିଜେପି ମେଣ୍ଟ ହିଁ ସରକାର ଗଠନ କରିବ।
ନାଗାଲାଣ୍ଡ ରାଜନୀତିରେ ବିଗତ କିଛି ମାସ ଧରି ଛକାପଞ୍ଝା ଲାଗି ରହିଥିଲା। ନିର୍ବାଚନ ପୂର୍ବରୁ ଗତ ଫେବୃଆରୀରେ ବିଜେପି କ୍ଷମତାସୀନ ଏନପିଏଫ୍‌ ମେଣ୍ଟରୁ ଓହରିଯିବା ସହ ଏନଡିପିପି ସହ ନୂଆ ମେଣ୍ଟ କରିଥିଲା। ନାଗାଲାଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ନିଫିଉ ରିଓ ଏହି ନୂଆ ଦଳ ଏନଡିପିପି ଗଠନ କରିଥିଲେ। ରିଓ ଏଥର ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ଦୌଡରେ ସର୍ବାଗ୍ରେ ରହିଛନ୍ତି। ୨୦୧୩ ବିଧାନସଭା ନିର୍ବାଚନରେ ଏନପିଏଫ୍‌ ୩୮ଟି ଆସନରେ ବିଜୟୀ ହୋଇ ସରକାର ଗଠନ କରିଥିବାବେଳେ କଂଗ୍ରେସ ୮ ଓ ବିଜେପି ଗୋଟିଏ ଆସନରେ ବିଜୟୀ ହୋଇଥିଲା।
ତେବେ ମେଘାଳୟରେ ଅନ୍ୟ ଦଳ ତୁଳନାରେ କଂଗ୍ରେସର ସ୍ଥିତି ଅପେକ୍ଷାକୃତ ଭଲ ରହିଛି। ଏଠାରେ ଜଣେ ପ୍ରାର୍ଥୀଙ୍କୁ ହତ୍ୟା କରାଯାଇଥିବାରୁ ୱିଲିୟମ୍‌ନଗର ଆସନରେ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ଅପରପକ୍ଷରେ ଅବଶିଷ୍ଟ ୫୯ଟି ଆସନ ମଧ୍ୟରୁ କଂଗ୍ରେସ ୨୧ଟି ଆସନରେ ବିଜୟୀ ହୋଇ ଏକକ ସଂଖ୍ୟାଗରିଷ୍ଠ ଦଳର ମାନ୍ୟତା ହାସଲ କରିଛି। ଏଠାରେ ଏନ୍‌ପିପି (ନ୍ୟାସନାଲ ପିପୁଲ୍‌ସ ପାର୍ଟି) ସହ ବିଜେପି ମେଣ୍ଟ କରି ନିର୍ବାଚନ ଲଢିଥିଲା। ଏନ୍‌ପିପି ୧୯ଟି ଆସନରେ ବିଜୟୀ ହୋଇଥିବାବେଳେ ବିଜେପି ୨ଟି ଓ ଅନ୍ୟାନ୍ୟ ଦଳ/ସ୍ୱାଧୀନ ପ୍ରାର୍ଥୀ ୧୭ଟି ଆସନରେ ବିଜୟୀ ହୋଇଛନ୍ତି। ଏଠାରେ ସରକାର ଗଠନ କରିବାକୁ ୩୧ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ପଡୁଛି। ଏହି ପରିପ୍ରେକ୍ଷୀରେ ସରକାର ଗଠନ ପ୍ରକ୍ରିୟାରେ ସ୍ୱାଧୀନ ଓ ଅନ୍ୟ ଦଳର ବିଜୟୀ ପ୍ରାର୍ଥୀ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ନିଶ୍ଚିତ ଜଣାପଡୁଛି।
ମେଘାଳୟରେ କଂଗ୍ରେସ ପୂର୍ବରୁ କ୍ଷମତାରେ ରହିଥିଲା। ବର୍ତ୍ତମାନ ଦଳକୁ ସ୍ପଷ୍ଟ ବହୁମତ ମିଳିନଥିବାରୁ କଂଗ୍ରେସ କ୍ଷମତା ଅକ୍ତିଆର କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛି। ସ୍ଥିତି ସମୀକ୍ଷା କରିବାକୁ ଅହମ୍ମଦ ପଟେଲ ଓ କମଲନାଥଙ୍କ ଭଳି ବରିଷ୍ଠ କଂଗ୍ରେସ ନେତା ମେଘାଳୟରେ ପହଞ୍ଚିଛନ୍ତି। ୨୦୧୩ ବିଧାନସଭା ଆସନରେ କଂଗ୍ରେସ ୨୯ଟି ଆସନରେ ବିଜୟୀ ହୋଇଥିବାବେଳେ ଅନ୍ୟ ଦଳର ବିଧାୟକଙ୍କ ସମର୍ଥନରେ ସରକାର ଗଠନ କରିବାରେ ସମର୍ଥ ହୋଇଥିଲା।
ପ୍ରକାଶଥାଉକି, ଉତ୍ତର ପୂର୍ବାଞ୍ଚଳର ଏହି ତିନିଟି ରାଜ୍ୟର ବିଧାନସଭା ପାଇଁ ଫେବୃଆରୀ ୧୮(ତ୍ରିପୁରା) ଓ ୨୭(ମେଘାଳୟ, ନାଗାଲାଣ୍ଡ)ରେ ମତଦାନ ହୋଇଥିଲା।

Leave A Reply