www.samajalive.in
Friday, December 5, 2025
23.1 C
Bhubaneswar

ନବକୃଷ୍ଣ କ’ଣ ନଥିଲେ

‘ବ୍ରହ୍ମ’ କ’ଣ ବୁଝାଇବାକୁ ଯାଇ ବୈଦିକ ଋଷି ‘ବ୍ରହ୍ମ’ କ’ଣ ନୁହନ୍ତି ବୁଝାଇଛନ୍ତି। ସେହି ‘ନେତି’, ‘ନେତି’ ପଦ୍ଧତି ଅବଲମ୍ବନ କରି ବହୁ ଚର୍ଚ୍ଚିତ ନବକୃଷ୍ଣ ଚୌଧୁରୀଙ୍କ ବ୍ୟକ୍ତିତ୍ବ ଓ ବିଚାରକୁ ବୁଝାଇବା ହୁଏତ ଅଧିକ ସହଜ ହେବ।
ନବକୃଷ୍ଣ ଚୌଧୁରୀ ଆଜିକାଲିର ‘ରାଜନୀତି’ କରୁଥିବା ଜଣେ ନେତା ନଥିଲେ। ଆଜି ‘ରାଜନେତା’ କହିଲେ ବୁଝାଯାଏ ଭୋଟ ସର୍ବସ୍ବ, କ୍ଷମତା ସର୍ବସ୍ବ ରାଜନୈତିକ ନେତାଙ୍କୁ। କ୍ଷମତାକୁ ଯିବା ପାଇଁ ପ୍ରସ୍ତୁତ ହେବା, କ୍ଷମତାକୁ ଯାଇ ସାରିଲା ପରେ ଗାଦିକୁ ସୁରକ୍ଷିତ ରଖିବା ଏବଂ ଗାଦି ମଜଭୁତ ଓ ସୁରକ୍ଷିତ ହୋଇଗଲା ପରେ ପରବର୍ତ୍ତୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେବା-ଏଇଥିରେ ବିତିଯାଏ ଭୋଟଜୀବୀ ରାଜନୀତିଆଙ୍କ ପାଞ୍ଚବର୍ଷ। ସବୁ କାମର ଓଜନ ସେମାନେ ତଉଲିଥାଆନ୍ତି ଗୋଟିଏ ନିକିତିରେ: ଏ କାର୍ଯ୍ୟଟା କରାଗଲେ ପରବର୍ତ୍ତୀ ନିର୍ବାଚନରେ କେତେ ଭୋଟ ବଢ଼ିଯିବ କିମ୍ବା କମିଯିବ।

ଏହି ଦୃଷ୍ଟିରୁ ଦେଖିଲେ ନବକୃଷ୍ଣ ଚୌଧୁରୀ ଜଣେ ସଫଳ ରାଜନେତା ନଥିଲେ ବୋଲି ଏକଦା ତାଙ୍କ ବିରୁଦ୍ଧରେ ହୋଇଥିବା ଏକ ଷଡ଼ଯନ୍ତ୍ରରେ ଲିପ୍ତ ଓ ଅନୁତପ୍ତ ନୀଳମଣି ରାଉତରାୟ ତାଙ୍କ ଆତ୍ମ-ଜୀବନୀରେ ଲେଖିଛନ୍ତି। ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଯେତେବେଳେ ତାଙ୍କ ବିରୁଦ୍ଧରେ ଏକ ଷଡ଼ଯନ୍ତ୍ର ଚାଲିଥାଏ, ତା’ର ସୁରାକ ପାଇ ସେ ହସି ହସି ଷଡ଼ଯନ୍ତ୍ରକାରୀଙ୍କୁ ନିଜ ପକେଟରୁ କାଢ଼ି ଦେଖାଇଥିଲେ ତାଙ୍କ ପ୍ରସ୍ତୁତ ଇସ୍ତଫାପତ୍ର।

- Advertisement -

ନବକୃଷ୍ଣ ଲୋକଦେଖାଣିଆ ‘ପ୍ରଗତିଶୀଳ’ ନଥିଲେ। ଜଣେ ସମାଜବାଦୀ ରୂପେ ସେ ଯାହା ଉଚିତ ମନେ କରୁଥିଲେ ତାହା ପ୍ରଥମେ ସ୍ବୟଂ ଆଚରଣ କରୁଥିଲେ। ଜମିଦାର ଘରେ ଜନ୍ମ ହୋଇ ସେ ଜମିଦାରୀ ପ୍ରଥା ଉଠାଇଥିଲେ। କୌତୂହଳର ବିଷୟ, ସାମ୍ୟବାଦୀ ଓ ସମାଜବାଦୀ ବୋଲାଉଥିବା ତାଙ୍କ ଦଳ ଓ ବିରୋଧୀଦଳର ଅନେକ ଜମିଦାର ଏ ଆଇନକୁ ପସନ୍ଦ ନକରି ନବବାବୁଙ୍କ ନିକଟରେ ଅସନ୍ତୋଷ ପ୍ରକାଶ କରିଥିଲେ। ‘ଟେନାନ୍ସ ରିଲିଫ୍‌ ଆକ୍ଟ’ ମାଧ୍ୟମରେ ସେ ଭାଗଚାଷୀଙ୍କୁ ଅଧିକାର ଦେବାକୁ ଯାଇ ଯେଉଁ ପ୍ରତିରୋଧର ସମ୍ମୁଖୀନ ହୋଇଥିଲେ ତାହା ୧୯୫୬ ମସିହାରେ ବିଧାନସଭାରେ ଦେଇଥିବା ଭାଷଣରେ କ୍ଷୋଭର ସହିତ ଉଲ୍ଲେଖ କରିଥିଲେ। ବିତ୍ତଶୀଳ ଲୋକପ୍ରତିନିଧି ବିଚାରପତି ଏବଂ ପ୍ରଶାସକମାନଙ୍କୁ ଲକ୍ଷ୍ୟ କରି କହିଥିଲେ, ‘xxx ଆମ ଦେଶରେ ଯେଉଁ ଆଇନକାନୁନ ପଦ୍ଧତି ଚାଲିଛି ସେଥିରେ ସବୁବେଳେ ଧନୀଲୋକ ନ୍ୟାୟର ସୁବିଧା ପାଉଛି। xxx ବାସ୍ତବିକ ଆମ ଭାରତବର୍ଷରେ ଯେଉଁ ନ୍ୟାୟ କରାଯାଉଛି ତାହା ପ୍ରକୃତ ନ୍ୟାୟନୁହେଁ। ସେ ଗୋଟିଏ ଫର୍ମାଲ୍‌ ନ୍ୟାୟ। ଏଥିରେ କେବଳ ଆଇନ୍‌ର ଆଡ୍‌ମିନିଷ୍ଟ୍ରେସନ୍‌ କରାଯାଉଛି। ନ୍ୟାୟର ଆଡ୍‌ମିନିଷ୍ଟ୍ରେସନ୍‌ କରାଯାଉ ନାହିଁ। xxx ଆମ ଅଫିସରମାନଙ୍କର ମାଜିଷ୍ଟେରିଅଲ୍‌ ମାଇଣ୍ଡ ଥିବା ହେତୁ ସେମାନେ ସାକ୍ଷୀପ୍ରମାଣ ଧରି କଚିରି କରୁଛନ୍ତି। ଏଥିରେ ଗରିବ ଲୋକେ ନ୍ୟାୟ ପାଉନାହାନ୍ତି। xxx ଆମ ସମ୍ବିଧାନରେ ଯାହା ଥାଉନା କାହିଁକି, ଆମ ଆଇନ୍‌ରେ ଯାହା ଥାଉନା କାହିଁକି, ଆମେ ଯେତେବେଳେ ବୁଝୁଛୁ ଯେ ଅନ୍ୟାୟ ହେଉଛି ସେତେବେଳେ ଆମକୁ ଏହାର ପ୍ରତିକାର କରିବାକୁ ହେବ। ଯେ କୌଣସି ଉପାୟରେ ପ୍ରତିକାର କରିବାକୁ ହେବ।’’ ସମତା ଓ ନ୍ୟାୟର ପ୍ରତିଷ୍ଠା ପାଇଁ ଶାସକ ଦଳର ମୁଖ୍ୟ ହୋଇ ନିଜ ଦଳ ବିରୁଦ୍ଧରେ ବିରୋଧୀଦଳଙ୍କୁ ମତାଇଛନ୍ତି, ଏପରିକି ଓଡ଼ିଶାରେ କଂଗ୍ରେସ ଦଳର ଅନ୍ୟତମ ପ୍ରତିଷ୍ଠାତା ୧୯୬୪ ମସିହାରେ କଂଗ୍ରେସ ହଟାଓ ଆନ୍ଦୋଳନ ଆରମ୍ଭ କରିଛନ୍ତି। ନିଜକୁ ଜନତାର ବିଚାରାଳୟରେ ରାଜସାକ୍ଷୀ ବୋଲି ଘୋଷଣା କରିଛନ୍ତି।

କୁହାଯାଏ, ନବକୃଷ୍ଣ ଶେଷ ଜୀବନରେ ରାଜନୀତିରୁ ସନ୍ନ୍ୟାସ ନେଇ ସମାଜ ସେବା କଲେ। ସେ ରାଜନୀତିରୁ ସନ୍ନ୍ୟାସ ନେଇନଥିଲେ। ଉଚ୍ଚତର ରାଜନୀତି କରିବାକୁ ଚାହିଁଲେ। ସମାଜସେବା ଅର୍ଥ ଯଦି ରିଲିଫ୍‌ରେ ଚୁଡ଼ା ଚାଉଳ ବାଣ୍ଟିବା, ଗରିବ ଲୋକଙ୍କୁ ଘରଦ୍ବାର କରି ଦେବା ବୁଝାଏ, ସେଭଳି ତାତ୍‌କାଳୀକ ସେବା ମଧ୍ୟ ସେ କରିଛନ୍ତି ମାତ୍ର କ୍ଷମତା ରାଜନୀତିର ଜୁଆଖେଳ ଛାଡ଼ି ସେ ବ୍ୟବସ୍ଥା ପରିବର୍ତ୍ତନରେ ମନୋନିବେଶ କଲେ। ‘ଗ୍ରାମ ସ୍ବରାଜ୍ୟ’ ବ୍ୟତିରେକ ଆମ ଦେଶର ସ୍ବରାଜ ଅସଂପୂର୍ଣ୍ଣ ଏଣୁ ରାଜନୈତିକ ସ୍ବାଧୀନତା ପ୍ରାପ୍ତି ପରେ ଗ୍ରାମମାନଙ୍କର ସାମଗ୍ରିକ ବିକାଶ, ସେ ଦିଗରେ ଥିବା ପ୍ରତିବନ୍ଧକ ବିରୁଦ୍ଧରେ ଆନ୍ଦୋଳନ କରିବାକୁ ଗାନ୍ଧିଜୀ ଯେଉଁ ସ୍ବପ୍ନ ଦେଖିଥିଲେ ସେ ଅଧୁରା ସ୍ବପ୍ନକୁ ପୂରଣ କରିବା ପାଇଁ ବିନୋବା ଓ ଜୟପ୍ରକାଶ ଯେଉଁ ଗ୍ରାମଦାନ ଆନ୍ଦୋଳନ ଚଳାଇଥିଲେ, ନବକୃଷ୍ଣ ସେ ଆନ୍ଦୋଳନରେ ସାମିଲ ହେଲେ। ଗାନ୍ଧୀଜୀଙ୍କ ପ୍ରବର୍ତ୍ତିତ ‘ମୌଳିକ ଶିକ୍ଷା’ର ପରୀକ୍ଷା ତାଙ୍କ ପ୍ରତିଷ୍ଠିତ ‘ଚମ୍ପତ୍ତିମୁଣ୍ଡା ଜୀବନ ବିଦ୍ୟାଳୟ’ରେ କଲେ। ନିଜେ ସେଠି ଶିକ୍ଷକତା କଲେ।

ସେ ଗାନ୍ଧୀବାଦୀ ନଥିଲେ। ତାଙ୍କର ବିଶ୍ବାସ ଥିଲା ଗାନ୍ଧୀବୋଧରେ। ରୂଢ଼ୀବାଦୀଙ୍କ ପରି ସେ ଗାନ୍ଧୀ ବିଚାରକୁ ଏକ କର୍ମକାଣ୍ଡ ସର୍ବସ୍ବ ସମ୍ପ୍ରଦାୟରେ ପରିଣତ କରିନଥିଲେ। ସତ୍ୟ, ଅସ୍ତେୟ, ଅହିଂସା ଇତ୍ୟାଦି ଗାନ୍ଧୀ ଆଧ୍ୟାତ୍ମିକତାର ମୂଳ ମୂଲ୍ୟବୋଧଗୁଡ଼ିକୁ ଆଧୁନିକ ଯୁଗରେ କିପରି ବ୍ୟକ୍ତିଗତ ଜୀବନ ତଥା ସମାଜ ବ୍ୟବସ୍ଥାର ରୂପାନ୍ତରୀକରଣ ଦିଗରେ ପ୍ରୟୋଗ କରାଯାଇ ପାରିବ ତାହା ସେ ନିଜ ଜୀବନରେ ଏବଂ ବିଭିନ୍ନ ଆନ୍ଦୋଳନ ମାଧ୍ୟମରେ ପ୍ରୟୋଗ କରି ଦେଖାଇଯାଇଛନ୍ତି।

ନବବାବୁଙ୍କ ଚିନ୍ତାରେ ‘ସ୍ପଷ୍ଟତା’ ନଥିଲା। ସେ ମଧ୍ୟ ଜଣେ ଉଗ୍ର ଆଶାବାଦୀ ନଥିଲେ। ସେ ବିଭ୍ରାନ୍ତ ଓ ହତାଶ ବୋଲି ଅନେକ ତାଙ୍କୁ ବ୍ୟଙ୍ଗ କରୁଥିଲେ। ଏ ଅଭିଯୋଗମାନଙ୍କର ସେ ହସି ହସି ଉତ୍ତର ଦିଅନ୍ତି। ସେ କହନ୍ତି, ଆଜିର ପରିସ୍ଥିତି ଏପରି ଜଟିଳ ଯେ ଯଦି ଏବେ ଜଣେ ବିଭ୍ରାନ୍ତ ନୁହେଁ ତେବେ ସେ ପ୍ରକୃତରେ ସ୍ପଷ୍ଟ ଚିନ୍ତା କରିବାକୁ ଅକ୍ଷମ ବୋଲି ମୋତେ ଲାଗେ। ଏବେ ସ୍ପଷ୍ଟ ଚିନ୍ତା କରିବାକୁ ଚେଷ୍ଟା କଲେ ଜଣେ ବିଭ୍ରାନ୍ତ ହେବ, ହତାଶ ହେବ।
ତଥାପି ତାଙ୍କର ହତାଶା ନଥିଲା ଅକର୍ମାର ହତାଶା। ମୃତ୍ୟୁ ଯାବତ୍‌ ସେ ଥିଲେ କର୍ମଯୋଗୀ। କୋରାପୁଟ, ଗଞ୍ଜାମର ଦୁର୍ଗମ ଆଦିବାସୀ କ୍ଷେତ୍ରରେ ‘ଉତ୍କଳ ନବଜୀବନ ମଣ୍ଡଳ’ କାର୍ଯ୍ୟରେ ଦିଗ୍‌ଦର୍ଶନ ଦେବାଠାରୁ ଚମ୍ପତ୍ତିମୁଣ୍ଡାରେ ଶିକ୍ଷକତା କରିବା ପର୍ଯ୍ୟନ୍ତ, ନାଗରିକ ସ୍ବାଧିକାର ଆନ୍ଦୋଳନଠାରୁ, ଜରୁରୀ ପରିସ୍ଥିତି ବିରୋଧୀ ଗଣତାନ୍ତ୍ରିକ ଆନ୍ଦୋଳନରେ ସେ ଜୀବନର ଅନ୍ତିମ ପର୍ଯ୍ୟାୟ କଟାଇ ଦେଇଥିଲେ।

ତାଙ୍କର କେହି ଜଣେ ଗୁରୁ ନଥିଲେ। ‘ସନ୍ତି ମେ ଗୁରବୋ ରାଜନ୍‌ ବହବୋ ବୁଦ୍ଧ୍ୟୁପାଶ୍ରିତା’ ଘୋଷଣା କରିଥିଲେ ଏହି ନିଃସଙ୍ଗ ଅବଧୂତ। ଗାନ୍ଧୀ, ରବୀନ୍ଦ୍ରନାଥ, ମାଓ-ସେ-ତୁଙ୍ଗ୍‌ଙ୍କଠାରୁ ଆରମ୍ଭ କରି ନକ୍ସଲ ଯୁବନେତା ନାଗଭୂଷଣ, ‘ବାଜିରାଉତ ଛାତ୍ରାବାସ’ର ଅନାଥ ଶିଶୁ-ସମସ୍ତଙ୍କଠାରୁ ସେ ଆଗ୍ରହର ସହିତ ଜ୍ଞାନ ଆହରଣ କରୁଥିଲେ। ସେ ସନ୍ନ୍ୟାସୀ ନ ଥିଲେ; କିନ୍ତୁ ବିଶ୍ବାସ କରୁଥିଲେ, ‘ଯେଉଁ ତ୍ୟାଗର ସୀମା ଥାଏ, This far and no further, ସେ ତ୍ୟାଗ ତ୍ୟାଗ ନୁହେଁ।’ ଛ’ବର୍ଷ ମୁଖ୍ୟମନ୍ତ୍ରୀ ରହି ସେ ଯେତେବେଳେ ଅନୁଗୋଳ ଆଶ୍ରମକୁ ଫେରିଲେ, ସେତେବେଳେ ସାଥିରେ ଆଣିଥିଲେ ଏକ କାର୍‌, କିଛି ଥାଳି ଗିନା ଓ ଗୋଟିଏ ଗାଈ। କାର୍‌ଟି ବିକି ସାନ ଝିଅକୁ ବାହା ଦେଲେ। ୧୦ x ୧୨ ଫୁଟର ଏକ ଚାଳିଆ ଘରେ ରହୁଥିଲେ। ନିଜ ଝିଅକୁ ଆଦିବାସୀ ପିଲାଙ୍କ ସହିତ ଚମ୍ପତ୍ତିମୁଣ୍ଡାରେ ପାଠ ପଢ଼ାଉଥିଲେ।

ସେ ବୁଦ୍ଧିବାଦୀ ପଣ୍ଡିତ ନଥିଲେ; ମାତ୍ର ଥିଲେ ବହୁପାଠୀ ପ୍ରାଜ୍ଞ। ଫଳିନ ବୃକ୍ଷ ପରି ନମ୍ର। ଅବଧୂତ ପରି ନିଃସଙ୍ଗ, ନିର୍ଲୋଭ, ବହୁ ଗୁରୁଙ୍କର ଶିଷ୍ୟ। ସେ ପଲିଟିସିଆନ୍‌ ନଥିଲେ। ଥିଲେ ବାସ୍ତବ ଅର୍ଥରେ ଜଣେ କ୍ରାନ୍ତଦର୍ଶୀ ଷ୍ଟେଟ୍‌ସ ମ୍ୟାନ୍‌।

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories