ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରକୁ ନେଇ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। କାଶ୍ମୀରରେ ମୁସଲମାନଙ୍କ ଉପରେ ଭାରତ ଅତ୍ୟାଚାର କରୁଛି ବୋଲି ପାକିସ୍ତାନ ବିଶ୍ଵ ସମୁଦାୟ ନିକଟରେ ବାରମ୍ବାର ଅଭିଯୋଗ କରିଆସୁଛି। କିନ୍ତୁ ଭାରତର ମୁସଲମାନ ସଂଗଠନ ଏଥିରେ ସହମତ ହୋଇନାହାନ୍ତି। ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ଜାମିଆତ ଉଲାମା-ଆଇ-ହିନ୍ଦ(ଜେୟୁଏଚ) ନାମକ ମୁସଲମାନ ସଂଗଠନ ପୂର୍ଣ୍ଣ ସମର୍ଥନ କରିଛି। ଭାରତ ସହିତ ଜାମ୍ମୁ-କାଶ୍ମୀରର ସମ୍ପୂର୍ଣ୍ଣ ଏକତ୍ରିକରଣକୁ ଜେୟୁଏଚ ସମର୍ଥନ ଜଣାଇଛି।
ଗୁରୁବାର ନୂଆଦିଲ୍ଲୀରେ ସଂଗଠନର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସଂଗଠନ ପକ୍ଷରୁ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ଏଥିରେ ଦର୍ଶାଯାଇଛି ଯେ, ଜାମ୍ମୁ-କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ସେଠାରେ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ସ୍ଥାନୀୟ ଲୋକଙ୍କ ସ୍ବାର୍ଥ ପ୍ରତି କ୍ଷତିକାରଣ ହେବ। ସମସ୍ତ କାଶ୍ମିରୀ ଆମର ଦେଶବାସୀ। ପ୍ରସ୍ତାବରେ ଆହୁରି ଦର୍ଶାଯାଇଛି, ବିଚ୍ଛିନ୍ନତାବାଦ ନୁହେଁ, ବରଂ ଭାରତ ସହିତ ଏକତ୍ର ରହିଲେ କାଶ୍ମୀର ଲୋକଙ୍କର ମଙ୍ଗଳ ହେବ। କାଶ୍ମିରୀବାସୀଙ୍କ ଗଣତନ୍ତ୍ର ଏବଂ ଅଧିକାର ରକ୍ଷା କରିବା ଆମର ରାଷ୍ଟ୍ରୀୟ କର୍ତ୍ତବ୍ୟ ବୋଲି ଆମେ ଅନୁଭବ କରୁଛୁ। ଏହା ସହିତ ଏଥିରେ ପାକିସ୍ତାନ ଏବଂ କାଶ୍ମୀରକୁ ଧ୍ଵଂସ କରିବାକୁ କାର୍ଯ୍ୟ କରୁଥିବା ବିରୋଧୀ ଶକ୍ତିକୁ ସମାଲୋଚନା କରାଯାଇଛି।



