www.samajalive.in
Sunday, December 7, 2025
14.1 C
Bhubaneswar

ଦୃଶ୍ୟମ କାହାଣୀ ପରି ହତ୍ୟା: ୧୩ ମାସ ପରେ ମିଳିଲା ମହିଳାଙ୍କ କଙ୍କାଳ, ପୁଲିସକୁ ବୋକା ବନାଇ ଚାଲିଥିଲେ ଅଭିଯୁକ୍ତ

ସମାଜ ଡିଜିଟାଲ ଡେସ୍କ: ଦୃଶ୍ୟମ କାହାଣୀ ପରେ ହତ୍ୟାକାଣ୍ଡ ରଚିଲେ ଅଭିଯୁକ୍ତ। ହତ୍ୟାର ଶିକାର ମହିଳାଙ୍କୁ ଖୋଜିବା ଲାଗି ପୁଲିସକୁ ଲାଗିଗଲା ୧୩ ମାସ। ପୁଲିସକୁ ବି ବୋକା ବନାଇ ଚାଲିଥିଲେ ଅଭିଯୁକ୍ତ। ହେଲେ ପୁଲିସ ଦୁଇ ପାଦ ଆଗକୁ ଯାଇ ଶେଷରେ ଠୋସ ପ୍ରମାଣ ଯୋଗାଡ଼ କରି ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଘଟଣାଟି ଘଟିଛି ଗୁଜରାଟର ଜୁନାଗଡ଼ ଜିଲା ଅନ୍ତର୍ଗତ ରୂପବତୀ ଗ୍ରାମରେ। ଆଶ୍ଚର୍ଯ୍ୟର କଥା ହେଉଛି ଅଭିଯୁକ୍ତ ଜଣକ ହେଉଛନ୍ତି ଜଣେ କୃଷକ। ଘଟଣାଟି ଏହିପରି…

ରୂପବତୀ ଗ୍ରାମର ୩୫ ବର୍ଷୀୟା ମହିଳା ଦୟ ସଭାଲିୟା ୨୦୨୪ ଜାନୁୟାରୀ ୨ ତାରିଖରେ ନିଖୋଜ ହୋଇଯାଇଥିଲେ। ସକାଳ ୯ଟାରେ ଦୟା ତାଙ୍କ ଘରୁ ଚାଲିଯାଇଥିଲେ। ସାଥୀରେ ସୁନା ଅଳଙ୍କାର ଏବଂ ଟଙ୍କା ମିଶି ପ୍ରାୟ ୯ଲକ୍ଷ ୬୦ ହଜାର ଟଙ୍କାର ସାମଗ୍ରୀ ଧରି ପଳାଇଥିଲେ। ତାଙ୍କ ସ୍ବାମୀ ବଲ୍ଲଭ ପରଦିନ ବିସାଭଦର ଥାନାରେ ସ୍ତ୍ରୀ ନିଖୋଜ ସମ୍ପର୍କରେ ଏକ ଅଭିଯୋଗ କରିଥିଲେ। ଦୟାଙ୍କର ଏକ ୧୧ ବର୍ଷୀୟ ପୁତ୍ର ସନ୍ତାନ ଥିବାରୁ ପୁଲିସ ତାଙ୍କୁ ଖୋଜିବାକୁ ଉଦ୍ୟମ ଆରମ୍ଭ କରିଥିଲା। ତଦନ୍ତ ସମୟରେ ଦୟାଙ୍କର ସେହି ଗ୍ରାମର ହାର୍ଦ୍ଦିକ ସୁଖାଦିଆ ନାମକ ଅନ୍ୟ ଜଣେ ଯୁବକ ସହିତ ପରକୀୟା ପ୍ରୀତି ରହିଥିବା ପୁଲିସ ଜାଣିବାକୁ ପାଇଥିଲା। ତେଣୁ ପୁଲିସ ହାର୍ଦ୍ଦିକଙ୍କୁ ଧରି ପଚରାଉଚରା କରିଥିଲା। କିନ୍ତୁ ସେ ଆରମ୍ଭରୁ ପୁଲିସକୁ କାହାଣୀ ଶୁଣାଇ ବୋକା ବନାଇବା ଆରମ୍ଭ କରିଥିଲେ। ହାର୍ଦ୍ଦିକ କହିଥିଲେ ଦୟା ରାହୁଲ ନାମକ ଅନ୍ୟ ଜଣେ ଯୁବକ ସହିତ ପଳାଇଛି। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ହାର୍ଦ୍ଦିତ ନିଜକୁ ସଚ୍ଚୋଟ ବୋଲି ପ୍ରମାଣିତ କରିବାକୁ ଉଦ୍ୟମ କରିଥିଲେ। ତାଙ୍କ ଉପରୁ ପୁଲିସର ସହେନ୍ଦ ଦୂର ପାଇଁ ନିଜ ମୋବାଇଲ ଫୋନ ବ୍ୟବହାର ବି ବନ୍ଦ କରିଦେଇଥିଲେ।

- Advertisement -

କିନ୍ତୁ ପୁଲିସର କେଉଁଠି ନା କେଉଁଠି ହାର୍ଦ୍ଦିକ ଉପରେ ସନ୍ଦେହ ରହିଥିଲା। ତେଣୁ ସେ ପୁଲିସ ଫୋରେନସିକ ପରୀକ୍ଷାଗାରରେ ତାଙ୍କର ଲେୟାର ଭଏସ ଆନାଲିସିସ(ଏଲଭିଏ) ପରୀକ୍ଷା କରାଇଥିଲା। କୌଣସି ବ୍ୟକ୍ତିର ମାନସିକ ଅବସ୍ଥା, ଆବେଗକୁ ଜାଣିବା ଲାଗି ଏହି ପରୀକ୍ଷା କରାଯାଇଥିଲା। କିନ୍ତୁ ହାର୍ଦ୍ଦିକ ଚତୁରତାର ସହିତ ଏଥିରେ ପାସ୍‌ କରିଯାଇଥିଲେ। ହାର୍ଦ୍ଦିକଙ୍କ ବିରୋଧରେ ଠୋସ ପ୍ରମାଣ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ନ ଥିବାରୁ ପୁଲିସ ଚୁପ ରହିବାକୁ ବାଧ୍ୟ ହୋଇଥିଲା। ମାମଲାଟି ପୁଲିସ ପାଇଁ ଦିନକୁ ଦିନ ଆହ୍ବାନପୂର୍ଣ୍ଣ ହେବାରେ ଲାଗିଲା ବୋଲି ଜଣେ ତଦନ୍ତକାରୀ ଅଧିକାରୀ କହିଛନ୍ତି।

ସେ ଆହୁରି କହିଛନ୍ତି, ହାର୍ଦ୍ଦିକ ଏତେ ଚତୁର ଥିଲା ଯେ, ପୁଲିସର ସନ୍ଦେହ ଯେପରି ତା’ ଉପରେ ନ ହେବ ସେଥିଲାଗି ସେ ନିର୍ଭୟରେ ଦୃଢ଼ ବିଶ୍ଵାସର ସହିତ ବୁଲାବୁଲି କରୁଥିଲା। ପୁଲିସ ହାର ମାନିବା ପରେ ମାମଲାଟି ସ୍ଥାନୀୟ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହୋଇଥିଲା। ଇନ୍ସପେକ୍ଟର ଯତିନ ପଟେଲ ଏହାର ନେତୃତ୍ଵ ନେଇଥିଲେ। ସେ ଦୟାଙ୍କୁ ଖୋଜିବା ଲାଗି ଏକ ସ୍ବତନ୍ତ୍ର ଟିମ ଗଠନ କରିଥିଲେ। ଟିମ୍‌ ବୈଷୟିକ ତଥ୍ୟ ଏବଂ ପାରିପାର୍ଶ୍ବିକ ସ୍ଥିତିକୁ ଦୃଷ୍ଟିରେ ରଖି ବହୁ ଗୁରୁତ୍ଵପୂର୍ଣ୍ଣ ପ୍ରମାଣ ଯୋଗାଡ଼ କରିଥିଲା। ଏହି ପ୍ରମାଣ ଆଧାରରେ ପୁଲିସ ପୁନର୍ବାର ହାର୍ଦ୍ଦିକଙ୍କୁ ଜେରା କରିଥିଲା। ଶେଷରେ ହାର୍ଦ୍ଦିକ ସତ ମାନିବାକୁ ବାଧ୍ୟ ହୋଇଥିଲେ। ହେଲେ ସେତେବେଳକୁ ୧୩ ମାସ ବିତିଯାଇଥିଲା। ଗତ ୨୭ ତାରିଖରେ ପୁଲିସ ହାର୍ଦ୍ଦିକଙ୍କୁ ଘଟଣାସ୍ଥଳକୁ ନେଇ ସେଠାରୁ ଦୟାଙ୍କ କଙ୍କାଳ ଉଦ୍ଧାର କରିଥିଲା।

ତଦନ୍ତରୁ ଜଣାପଡ଼ିଛି ଯେ, ହାର୍ଦ୍ଦିକ ଏବଂ ଦୟାଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ରହିଥିଲା। କିନ୍ତୁ ହାର୍ଦ୍ଦିକ ତାଙ୍କୁ ବିବାହ କରିବାକୁ ଚାହୁଁ ନ ଥିଲେ। ମାତ୍ର ଦୟା ତାଙ୍କୁ ବାରମ୍ବାର ଘରୁ ପଳାଇବାକୁ କହିଆସୁଥିଲେ। ଏହି କାରଣରୁ ହାର୍ଦ୍ଦିକ ଦୟାଙ୍କୁ ରାସ୍ତାରୁ ହଟାଇବା ଲାଗି ଯୋଜନା କରିଥିଲେ। ଦୟା ଘରୁ ବାହାରି ଆସିବା ପରେ ୨୦୨୪ ଜାନୁୟାରୀ ୩ ତାରିଖରେ ହାର୍ଦ୍ଦିକ ତାଙ୍କୁ ଆମରେଲି ଜିଲାର ହାଦଲା ଗ୍ରାମକୁ ନେଇଯାଇଥିଲେ। ସେଠାରେ ସେ ଦୟାଙ୍କ ମୁଣ୍ଡକୁ ପଥରେ ଛେଚି ହତ୍ୟା କରିଥିଲେ। ପରେ ତାଙ୍କ ମୃତଦେହକୁ ପୋତି ଦେଇଥିଲେ। ଏହା ପରେ ନିଜ ଉପରୁ ଦୟାଙ୍କ ସ୍ବାମୀଙ୍କ ସନ୍ଦେହ ଦୂର କରିବା ଲାଗି ହାର୍ଦ୍ଦିକ ଫ୍ରି କଲିଂ ଆପ୍‌ ଜରିଆରେ ତାଙ୍କ ସ୍ବାମୀଙ୍କୁ ଫେକ୍‌ କଲ୍‌ କରିଥିଲେ। ପାରିବାରିକ ବିବାଦରୁ ସେ ଘର ଛାଡ଼ି ପଳାଇଥିବା ନେଇ ହାର୍ଦ୍ଦିକ ତାଙ୍କ ସ୍ବାମୀଙ୍କ ମନରେ ବିଶ୍ଵାସ ସୃଷ୍ଟି କରାଇଥିଲେ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories