ମୁମ୍ବାଇ ବିମାନବନ୍ଦରରେ ବିନା କାରଣରେ ୧ଘଣ୍ଟା ଲେଖାଏଁ ଉଡୁଛନ୍ତି ବିମାନ

ବିମାନ ପିଛା ନଷ୍ଟ ହେଉଛି ଅଢେଇ ଲକ୍ଷ ଟଙ୍କା

ମୁମ୍ବାଇ : ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ବୁଧବାର କହିଛି କି କ୍ଷମତାରୁ ଅଧିକ ବିମାନର ଉଡାଣ ଯୋଗୁଁ ଏବଂ ରନଓ୍ବେରେ ଲଗାତର ଭିଡ ଯୋଗୁଁ ମୁମ୍ବାଇ ବିମାନବନ୍ଦରରେ ପ୍ରାୟ ୪୦-୬୦ ମିନିଟ୍ ସହର ଉପରେ ବିନା କାରଣରେ ବିମାନକୁ ଉଡାଇବାକୁ ପଡୁଛି । ଏଥିଯୋଗୁଁ ଶୂନ୍ୟରେ ଟ୍ରାଫିକ୍ ବଢିବା ସହ ବିମାନର ଅତିରିକ୍ତ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଉଛି । ଏସବୁ ନଜରରେ ରଖି ମନ୍ତ୍ରାଳୟ ବୁଧବାର ମୁମ୍ବାଇ ବିମାନବନ୍ଦରରେ ଉଡାଣ ଉପରେ କଟକଣା ଲଗାଇଛି ।

ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ଜଣାଇଛନ୍ତି କି ଅଧିକ ସମୟ ଧରି ଚକ୍କର କାଟିବା ଯୋଗୁଁ ଇନ୍ଧନ ଖର୍ଚ୍ଚ ଚିନ୍ତା ବଢାଇଛି । ଏକ ବିମାନ ଘଣ୍ଟା ପ୍ରତି ପ୍ରାୟ ୨ ହଜାର କିଲୋଗ୍ରାମ ଇନ୍ଧନ ଖର୍ଚ୍ଚ କରିଥାଏ । ମନ୍ତ୍ରାଳୟ କହିଛି କି ଏହିଭଳି ବିଳମ୍ବ ଯୋଗୁଁ ୧.୭ରୁ ୨.୫ କିଲୋଲିଟର ଜେଟ୍ ଇନ୍ଧନ ପର୍ଯ୍ୟନ୍ତ ନଷ୍ଟ ହେଉଛି । ଫଳରେ ଉଡାଣ ପିଛା ପ୍ରାୟ ୧.୮ ରୁ ୨.୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ବୋଝ ପଡୁଛି ।

ଯାତ୍ରୀଙ୍କ ଉପରେ ପଡିପାରେ ବୋଝ

ଏହି ଅତିରିକ୍ତ ଖର୍ଚ୍ଚର ବୋଝ ଶେଷରେ ଉପଭୋକ୍ତାଙ୍କ ଉପରେ ପଡିବାର ଆଶଙ୍କା ରହିଛି । ଖାଲି ସେତିକି ନୁହେଁ, ଯାତ୍ରୀଙ୍କୁ ଏଥିଯୋଗୁଁ ଅନେକ ସମୟ ଅପେକ୍ଷା କରିବାକୁ ପଡିଥାଏ ଏବଂ ଯାତ୍ରାରେ ବିଳମ୍ବ ମଧ୍ୟ ହୋଇଥାଏ । ଜଣେ ଅଧିକାରୀଙ୍କ କହିବାନୁସାରେ ବିମାନବନ୍ଦରରେ ସଞ୍ଚାଳକଙ୍କ ଦ୍ବାରା ସୀମିତ ସମୟରେ ଅଧିକ ସ୍ଲଟ ବିତରଣ ଏବଂ ସଠିକ ଭାବେ ଏହାକୁ ପାଳନ ନକରିବା ଯୋଗୁଁ ସମସ୍ୟା ସୃଷ୍ଟି ହେଉଛି ।

Comments are closed.