ସମାଜ ଡିଜିଟାଲ ଡେସ୍କ: ପ୍ରେମିକ ସହିତ କଥା ହେବାରୁ ଝିଅକୁ ହତ୍ୟା କଲା ମା’। କେବଳ ହତ୍ୟା କରିନି, ହତ୍ୟା ପରେ ବି ରାଗ ଶାନ୍ତ ନ ପଡ଼ିବାରୁ ମା’ ଝିଅର ମୁଣ୍ଡକୁ ଗଣ୍ଡିରୁ ଅଲଗା କରିଦେଇଛି। ନିଜ ପରିବାର ସଦସ୍ୟ ଏବଂ ସମ୍ପର୍କୀୟଙ୍କ ସହିତ ମିଶି ମା’ ଏଭଳି ଜଘନ୍ୟ କାଣ୍ଡ କରିଛି। ଉତ୍ତର ପ୍ରଦେଶର ମିରଟ ଅନ୍ତର୍ଗତ ଦଉରାଲାରେ ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି। ହତ୍ୟା ପରେ ଅଭିଯୁକ୍ତମାନେ ଝିଅର ଗଣ୍ଡିକୁ ଏକ କେନାଲରେ ଫିଙ୍ଗିଦେଇଥିବାବେଳେ ମୁଣ୍ଡକୁ ଗଙ୍ଗା ନଦୀରେ ଭସାଇ ଦେଇଥିଲେ। ଏହି ଘଟଣାରେ ପୁଲିସ ହତ୍ୟାକାରୀ ମା’ ରାକେଶ ଦେବୀ(୪୦) ସମେତ ମୋନୁ(୪୦), କମଲ ସିଂହ(୫୬), ସମର ସିଂହ(୫୪) ଏବଂ ୧୪ ବର୍ଷୀୟ ନାବାଳକକୁ ଗିରଫ କରିଛି। ଆଉ ଜଣେ ଅଭିଯୁକ୍ତ ଗୌରବ ଫେରାର ଅଛି।
ସୂଚନା ଅନୁସାରେ, ଝିଅର ବାପା ଜଣେ ସିଆରପିଏଫ ଯବାନ ଏବଂ ସେ ଛତିଶଗଡ଼ରେ ନିଯୁକ୍ତ ହୋଇଛନ୍ତି। ଘଟଣା ସମ୍ପର୍କରେ ସେ ଜାଣିନାହାନ୍ତି। ହତ୍ୟାର ଶିକାର ଝିଅର ବୟସ ୧୭ ବର୍ଷ। ସେ ନିଜ ପ୍ରେମିକ ସହିତ କଥା ହେଉଥିବାବେଳେ ପରିବାର ଲୋକେ ଦେଖିଥିଲେ। ଏହି କାରଣରୁ ଝିଅର ମା’ ପରିବାର ସଦସ୍ୟ ଓ ସମ୍ପର୍କୀୟଙ୍କ ସହିତ ମିଶି ତାଙ୍କର ତଣ୍ଟି ଚିପି ହତ୍ୟା କରିଥିଲେ। ପରେ ବୋଲ୍ଟ କଟର ସହାୟତାରେ ମୁଣ୍ଡକୁ ଗଣ୍ଡିରୁ ଅଲଗା କରିଦେଇଥିଲେ ବୋଲି ମିରଟ ଏସଏସପି ବିପି ତାଡା କହିଛନ୍ତି।



