ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚୁଡଙ୍ଗପୁର ଗ୍ରାମ ପଞ୍ଚାୟତ ଅଧିନ ଝରଣପୁର ଗ୍ରାମଠାରେ ଜନ ଜାଗରଣ ସଂଘର୍ଷ ସମିତି ପକ୍ଷରୁ ନୂତନ କର୍ମକର୍ତ୍ତା ମନୋନୟ ଓ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଜନ ଜାଗରଣ ସଂଘର୍ଷ ସମିତି ସଭାପତି ଦାନିଏଲ ଗମାଙ୍ଗଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ୨୦୧୯ ମସିହାରେ ଜିଲ୍ଲାପାଳଙ୍କୁ ଅଞ୍ଚଳର ବିଭିନ୍ନ ସମସ୍ୟା ଯଥା ମୋହନାଠାରୁ ରାଇପଙ୍କା ଭାୟା ସିଆଳିଲଟି ରାସ୍ତାକୁ ସଂଯୋଗୀକରଣ, ସିଆଳିଲଟି ଗ୍ରାମ ଠାରୁ ଗୁଲୁବା ପଞ୍ଚାୟତର ଡ଼ୁରିଙ୍ଗିଗୁଡ଼ା ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ, ମୋହନାଠାରୁ ରାୟଗଡ଼ା ପର୍ଯ୍ୟନ୍ତ ୩୨୬ ଜାତୀୟ ରାଜପଥକୁ ସଂପୂର୍ଣ୍ଣ କରାଯାଉ। ଚୁଡଙ୍ଗପୁର, କେଶରୀ ଗୁଡ଼ା, ବଡସିଦ୍ଧବା,କିରାମା, ବାଘମାରୀ, ଅନ୍ତର୍ବା ଆଦି ପଞ୍ଚାୟତ ଗୁଡ଼ିକରେ ବିଏସଏନଏଲ ଟାୱ୍ୱାର ସ୍ଥାପନ ହେଉ। ସେମି ବ୍ୟାଙ୍କ ପ୍ରତିଷ୍ଠା ସାଙ୍ଗକୁ ଚୁଡଙ୍ଗପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ରହିବା ଓ ରୋଗୀ ସେବା ନିମନ୍ତେ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯିବା, ଅନ୍ତରବା ଠାରେ ବିଦ୍ୟୁତ ସବଷ୍ଟେସନ ସ୍ଥାପନ, କୁଷକମାନଙ୍କୁ କୃଷିରୁଣ ଓ ଉନ୍ନତମାନର ବିହନ ଯୋଗାଣ, ଉଠାଜଳସେଚନ ଓ ଚେକ୍ ଡ୍ୟାମ୍ ନିର୍ମାଣ, ସିଆଳିଲଟିଠାରେ ଆବିବାସୀ ଛାତ୍ର/ଛାତ୍ରୀଙ୍କ ପାଠପଢ଼ା ନିମନ୍ତେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ସ୍ଥାପନ, ମୋହନାଠାରେ ବସଷ୍ଟାଣ୍ଡ, ମିନିପାର୍କ , ଶୌଚାଳୟ ସ୍ଥାପନ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୧୦୦ ଶଯ୍ୟା ବିଶିଷ୍ଟ କରିବା ଏବଂ ନୂଆଁଗଡ଼ ଓ ମୋହନା ବ୍ଳକର ଅନୂସୂଚିତ ଜନଜାତି ବାସହୀନମାନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରିବା ନିମନ୍ତେ ଅଭିଯୋଗ ପତ୍ର ଦିଆଯାଇଥିଲା । କିନ୍ତୁ ସେସବୁ କାର୍ଯ୍ୟକାରୀ ନ ହେବାରୁ ସଭାରେ ଉଦ୍ବେଗ ପ୍ରକାଶ ପାଇଥିଲା। ଯଦି ୩ ମାସ ମଧ୍ୟରେ ସମସ୍ୟା ଗୁଡ଼ିକର ସମାଧ।ନ ନ ହୁଏ ତେବେ ଆଗାମୀ ଦିନରେ ଆଦିବାସୀମାନଙ୍କ ପକ୍ଷରୁ ଜନଆନ୍ଦୋଳନକୁ ତୀବ୍ର କରାଯିବା ବୋଲି ପ୍ରଶାସନକୁ ଚେତାବନୀ ଦିଆଯାଇଥିଲା। ଶେଷରେ ଜନ ଜାଗରଣ ସଂଘର୍ଷ ସମିତିର ସଭାପତି ଭାବେ ଦାନିଏଲ ଗମାଙ୍ଗ, ସଂପାଦକ ନିର୍ମଳ ପାଲ, ସହ ସଂପାଦକ ଜନାସ ରାଇକା,କୋଷାଧ୍ୟକ୍ଷ ସିମୀୟ ଗମାଙ୍ଗ, ଆବାହକ ସୈଦ୍ରକ ମଳିକ , ଉପଦେଷ୍ଟା ତଥା ଯୁବ ସରପଞ୍ଚ ମଧୁମାଝୀ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ । ଗଜପତି ଜିଲ୍ଲା ଆଦିବାସୀ ସଂଘ ସଭାପତି ଆବ୍ରାହାମ ଗମାଙ୍ଗ , ଚୁଡଙ୍ଗପୁର ନାଏବ ସରପଞ୍ଚ କାର୍ତ୍ତିକ ମଣ୍ଡଳ, ଅନ୍ତର୍ବ।ର ପୂର୍ବତନ ସରପଞ୍ଚ ବାଲୋନ୍ତିନ ମାଝୀଙ୍କ ସମେତ ଅଂଚଳର ଆଦିବାସୀ ସଂପ୍ରଦାୟର ବହୁ ପୁରୁଷ/ମହିଳାମାନେ ଉପସ୍ଥିତ ଥିଲେ।
ଜନଜାଗରଣ ସଂଘର୍ଷ ସମିତିର ଦାବି: ମୋହନାଠାରୁ ରାୟଗଡ଼ା ପର୍ଯ୍ୟନ୍ତ ୩୨୬ ଜାତୀୟ ରାଜପଥକୁ ସଂପୂର୍ଣ୍ଣ କରାଯାଉ
Popular Categories



