www.samajalive.in
Saturday, December 6, 2025
26.1 C
Bhubaneswar

ମିଶନ ଶକ୍ତି ମହିଳାଙ୍କ ପାଇଁ ମୋ ସ୍କୁଟି ଯୋଜନା: ରାଜ୍ୟରେ ଲୋକାର୍ପଣ ହୋଇନି, ବାଙ୍କୀରେ ବଣ୍ଟା ସରିଲାଣି

କଳାପଥର(ବାଙ୍କୀ): ରାଜ୍ୟର ମିଶନ ଶକ୍ତି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ସରକାରଙ୍କ ତରଫରୁ ‘ମୋ ସ୍କୁଟି ଯୋଜନା’ ମାଧ୍ୟମରେ ସାମିଲ କରି ପ୍ରତ୍ୟେକ ଗ୍ରୁପକୁ ଗୋଟିଏ ଲେଖାଏଁ ସ୍କୁଟି ଯୋଗାଇ ଦେବାକୁ ସ୍ଥିର କରାଯାଇଛି। ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୮ ତାରିଖରେ ଲୋକାର୍ପଣ କରିବାକୁ ସ୍ଥିରୀକୃତ ହୋଇଛି । ତେବେ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ହେଲା ଯୋଜନାଟି ସରକାରୀ ଭାବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିନଥିବା ବେଳେ କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡରେ କିନ୍ତୁ ଏହାକୁ କାର୍ଯ୍ୟକାରୀ କରି ସାରିଲେଣି। ଗୁରୁବାର ଏନେଇ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କଠାରେ ଏକ ଉତ୍ସବ ଆୟୋଜନ କରି ବାଙ୍କୀ, ଡମପଡ଼ା, ସରଣ୍ଡା ଆଦି ଜୋନ ଅଞ୍ଚଳରେ ରହିଥିବା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ଏକତ୍ରିତ କରି ସ୍କୁଟି ବଣ୍ଟନ କରାଯାଇଛି । ଏଥିରେ ଚର୍ଚ୍ଚିକା ଶାଖା ପକ୍ଷରୁ ଚିହ୍ନଟ ୧୦୩ ମହିଳା ଗ୍ରୁପ, ସରଣ୍ଡା ଶାଖା ପକ୍ଷରୁ ଚିହ୍ନଟ ୨୨ ଗ୍ରୁପ୍ ଏବଂ ଡମପଡ଼ା ଶାଖା ପକ୍ଷରୁ ଚିହ୍ନଟ ହୋଇଥିବା ୩୨ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଡାକି ସେଠାରେ ପ୍ରତ୍ୟେକ ସଦସ୍ୟାଙ୍କ ହାତରେ ସ୍କୁଟି ଖଣ୍ଡିଏ ଲେଖାଏଁ ଧରାଇ ଦିଆଯାଇଛି । ସାରା ରାଜ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ମାସ ୧୮ ତାରିଖକୁ ଧାର୍ଯ୍ୟ କରିଥିବା ବେଳେ ଏଠାରେ କିପରି କାର୍ୟ୍ୟକ୍ରମ କରି ବିଭାଗୀୟ ଅଧିକାରୀଙ୍କ ସମେତ ଶାସକ ଦଳର ନେତୃବୃନ୍ଦ ବାଃ ବାଃ ନେଇପାରିଲେ ସେଥିନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯାହା ଜଣାଯାଇଛି ଯେ , ଗୁରୁବାର ଏହି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ସ୍କୁଟି ଯୋଜନାରେ ସାମିଲ କରିବାକୁ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ପକ୍ଷରୁ ଉଦ୍ୟମ ହୋଇଥିଲା । ତେବେ ଯୋଜନାଟି ମିଶନ ଶକ୍ତି ପକ୍ଷରୁ କରାଯିବାର ନିୟମ ରହିଥିଲେ ମଧ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷ ଯୋଗାଯୋଗ କରିନଥିଲେ । ପରେ ବ୍ୟାଙ୍କ୍ ପକ୍ଷରୁ ହଠାତ୍ ଡମପଡ଼ା ମିଶନ ଶକ୍ତିର ଅଧିକାରିଣୀ ହରପ୍ରିୟା ସାହୁଙ୍କୁ ଡକାଯାଇଥିଲା ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ , ଯେହେତୁ ଏହି କାର୍ଯ୍ୟକ୍ରମଟି ଆସନ୍ତା ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବାକୁ ରହିଛି ତେଣୁ ଏହା ପୂର୍ବରୁ କିପରି କରାଯାଉଛି ବୋଲି ସେ ପ୍ରଶ୍ନ କରିଥିଲେ । ଏପରିକି ସେ ଆୟୋଜିତ କାର୍ଯ୍ୟକ୍ରମକୁ ଯାଇନଥିବା କହିଛନ୍ତି । ସେହିପରି ବାଙ୍କୀ ବିଡ଼ିଓ, ବାଙ୍କୀ ଡମପଡ଼ା ବିଡ଼ିଓ ଉକ୍ତ କାର୍ୟ୍ୟକ୍ରମରେ ଅନୁପସ୍ଥିତ ରହିଥିବା ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ ବାଙ୍କୀ ବିଧାୟକ ଦେବିରଞ୍ଜନ ତ୍ରିପାଠୀ ଆସିନଥିଲେ । ହେଲେ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା, ବାଙ୍କୀ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମାଣିକ ସାହୁ, ଉପାଧ୍ୟକ୍ଷ ସନ୍ତୋଷ କୁମାର ରଣା, କେନ୍ଦ୍ର ସମବାୟ ବ୍ୟାଙ୍କର ସମ୍ପାଦକ ଅକ୍ଷୟ କୁମାର ସାମଲ , ସଭାପତି ସୁବାସ ପାଢ଼ୀ, ଜିଲ୍ଲା ପରିଷଦ ସଭ୍ୟ ଆଶିଷ ସାହୁ, ମିନତୀ ମହାପାତ୍ର ପ୍ରମୁଖ ଏହାକୁ ଅତି ତରବରିଆ ଭାବରେ ବଣ୍ଟନ କରିଥିଲେ। ଯାହାକୁ ନେଇ ଏଠାରେ ପ୍ରଶ୍ନ ହେଉଛି। କେନ୍ଦ୍ର ସମବାୟବ୍ୟାଙ୍କର ସଭାପତି ସୁବାସ ପାଢ଼ୀ ଶାସକ ଦଳର ଜଣେ ଟାଣୁଆ ସଦସ୍ୟ । ବିଧାୟକଙ୍କ ଅନୁପସ୍ଥିତିରେ ଏଭଳି ସେ ଆଦୌ କରିବା କଥା ନୁହେଁ ବୋଲି ଏଠାରେ ଆଲୋଚନା ହେଉଛି। ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା । କେନ୍ଦ୍ର ସମବାୟ ବ୍ୟାଙ୍କର ସମ୍ପାଦକ ଅକ୍ଷୟ କୁମାର ସାମଲ କହିଛନ୍ତି ସେ ସଭାପତିଙ୍କ ନିର୍ଦ୍ଦେଶ ଅନୁସାରେ କରିଛନ୍ତି ।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories