ସୁନ୍ଦରଗଡ଼ : ସ୍ୱାଧିନତାର ୭୫ବର୍ଷ ବିତିଯାଇଥିଲେ ମଧ୍ୟ ସଦର ମହକୁମା ସୁନ୍ଦରଗଡ଼ରେ ରେଳ ଯୋଗାଯୋଗ ହୋଇପାରି ନାହିଁ। ବିଭିନ୍ନ ସମୟରେ ସୁନ୍ଦରଗଡ଼ ସହ ରେଳ ଯୋଗାଯୋଗ କରିବା ପାଇଁ ଦାବି ହେଉଥିଲେ ମଧ୍ୟ ତାହା ଏତେଟା ପ୍ରଭାବଶାଳୀ ହୋଇ ପାରି ନଥିବାର ଅନୁଭବ କରାଯାଉଛି । ଏବେ ପୁଣି ସୁନ୍ଦରଗଡ଼ ରେଳ ଷ୍ଟେସନ ଓ ରେଳ ଯୋଗାଯୋଗର ଦାବି ଜୋର ଧରିଛି। ଜିଲାର ପ୍ରାକ୍ତନ ପ୍ରଶାସକ ଅଶ୍ୱିନୀ ବୈଷ୍ଣବ ରେଳ ବିଭାଗ ଦାୟିତ୍ୱ ନେବା ପରେ ସୁନ୍ଦରଗଡ଼ରେ ରେଳ ଷ୍ଟେସନ ଓ ରେଳ ଯୋଗାଯୋଗର ଦାବି ଜୋର ଧରିଛି । ରେଳମନ୍ତ୍ରୀଙ୍କଠାରୁ ମଧ୍ୟ ବେଶ ଉତ୍ସାହଜନକ ପ୍ରତିଶୃତି ମିଳିଥିଲେ ମଧ୍ୟ ଆଗାମୀ ଦିନରେ ଏହା କେତେ ଫଳବତୀ ହେବ ତାହା ସମୟ ସ୍ପଷ୍ଟ କରିବ ବୋଲି କୁହାଯାଉଥିଲେ ହିଁ ସୁନ୍ଦରଗଡ଼ବାସୀ ରେଳ ଷ୍ଟେସନ ଓ ରେଳ ଯୋଗାଯୋଗକୁ ଏକ ପ୍ରମୁଖ ଦାବି ହିସାବରେ ଗ୍ରହଣ କରି ସ୍ୱର ଉତ୍ତଳନ ଆରମ୍ଭ କରିଛନ୍ତି ।
କିଛି ଦିନ ପୂର୍ବରୁ ସୁନ୍ଦରଗଡ଼ର ଯୁବନେତା ତଥା ରାଜ୍ୟ ବିଜେପିର ସଂପାଦକ ଟଙ୍କଧର ତ୍ରିପାଠୀ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ୬ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏଥିରେ ସେ ଝାରସୁଗୁଡ଼ା-ଅମ୍ବିକାପୁର ଭାୟା ସୁନ୍ଦରଗଡ଼ ରେଳ ଲାଇନ ଯୋଗାଯୋଗ କରିବା ଉପରେ ଦାବି କରିବା ସହ ଝାରସୁଗୁଡ଼ା ଷ୍ଟେସନର ଉନ୍ନତିକରଣ ଓ ଡିଭିଜନ କଥା ଉଲ୍ଲେଖ କରିଥିଲେ । ସୂଚନା ଯୋଗ୍ୟ, ଝାରସୁଗୁଡ଼ା-ଅମ୍ବିକାପୁର ଭାୟା ସୁନ୍ଦରଗଡ଼ ରେଳ ଲାଇନ ନିର୍ମାଣ ପାଇଁ ସର୍ଭେ କାର୍ଯ୍ୟ ସରିଥିବାରୁ ଏହା ଉପରେ ତୁରନ୍ତ ପଦକ୍ଷେପ ନେବା ପାଇଁ ଶ୍ରୀ ତ୍ରିପାଠୀ ଗୁରୁତ୍ୱାରୋପ କରିଥିବା ବେଳେ ଆଜି ପୁଣି ସୁନ୍ଦରଗଡ଼ ସଦର ବିଧାୟିକା କୁସୁମ ଟେଟେ ଓ ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ସଦସ୍ୟ ଅଜୟ ପଟେଲ ନୂଆଦିଲ୍ଲୀରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ଜିଲାରେ ରେଳ ଲାଇନ ସ୍ଥାପନ ଓ ଉନ୍ନତିକରଣ ଉପରେ ବିଶଦ ଆଲୋଚନା କରିଥିଲେ । ଏହି ଆଲୋଚନା କାଳରେ, ସରଡେଗାଠାରୁ ଲଇକେରା ଦେଇ ଝାରସୁଗୁଡ଼ାକୁ ରେଳ ସଂଯୋଗୀକରଣ ଶେଷ ହୋଇଛି, ଏହା କେବଳ ବର୍ତ୍ତମାନ କୋଇଲା ପରିବହନ ହେଉଛି ଯଦି ଏହାକୁ ଟପରିଆ ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇ ଏକ ପାସେଞ୍ଜର ଟ୍ରେନ ଚଲାଯାଏ ବିସ୍ଥାପିତ ଅଞ୍ଚଳବାସୀ ବହୁତ ଉପକୃତ ହେବେ। ଏହାଛଡ଼ା ଝାରସୁଗୁଡ଼ା-ସୁନ୍ଦରଗଡ଼-ଅମ୍ବିକାପୁର ଟ୍ରେନ ପାଇଁ ନୂତନ ପ୍ରକଳ୍ପ କରାଯାଏ ଏହା ୩ରାଜ୍ୟ ସଙ୍ଗେ ସଂଯୋଗୀକରଣ ହେବା ସହ ସ୍ଥାନୀୟ ବାସିନ୍ଦା ବେଶ ଉପକୃତ ହେବେ। ଏତବ୍ୟତିତ ରାଉରକେଲା ଠାରୁ ରାଜଧାନୀ ଭୁବନେଶ୍ୱରକୁ ପ୍ରତିଦିନ ସନ୍ଧ୍ୟାରେ ଦ୍ୱିତୀୟ ଇଣ୍ଟରସିଟି ଚଲାଇବା ପାଇଁ ମଧ୍ୟ ଦାବି କରିଥିଲେ। ମନ୍ତ୍ରୀ ଶ୍ରୀ ବୈଷ୍ଣବ ଖୁବଶୀଘ୍ର ଏମସିଏଲ ଓ ଅନ୍ୟାନ୍ୟ ବିଭାଗ ସହ ଯୋଗାଯୋଗ କରି ଏହା ଉପରେ ପଦକ୍ଷେପ ନେବେ ବୋଲି କୁଆଡ଼େ ବିଧାୟିକା ଟେଟେଙ୍କୁ ପ୍ରତିଶୃତି ଦେଇଥିବାର ବିଧାୟିକାଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇଛି।



