www.samajalive.in
Sunday, December 14, 2025
14.1 C
Bhubaneswar

ଲକ୍‌ଡାଉନ୍‌ ସମୟରେ ୨୧,୦୦୦ କ୍ୱିଣ୍ଟାଲ୍‌ ମାଛ ଉତ୍ପାଦନ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକ୍‌ ସଦର ମହକୁମାଠାରୁ ୨୦ କିଲୋମିଟର ଦୂରରେ ଅବସ୍ଥିତ ଲାଖପଦର ଗାଁ। ୧୦ ଜଣ ଗରିବ ମହିଳା ଆର୍ଥିକ ଦୃଷ୍ଟିକୋଣରୁ ସ୍ୱାବଲମ୍ବୀ ହେବା ଲକ୍ଷ୍ୟ ନେଇ ୨୦୧୬ ମସିହାରେ କେଦାରଗୌରୀ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିଥିଲେ। ମିଶନ ଶକ୍ତି କର୍ମକର୍ତ୍ତାଙ୍କ ସହାୟତାରେ ମାଛଚାଷ ପାଇଁ ଗ୍ରାମ ପଞ୍ଚାୟତ ପୋଖରୀଗୁଡ଼ିର ଦୀର୍ଘମିଆଦୀ ଲିଜ୍‌ ପାଇଁ ୨୦୧୯ ମସିହାରେ ପୋଖରୀ ନିଲାମ ପ୍ରକି୍ରୟାରେ ଅଂଶଗ୍ରହଣ କଲେ । ଚୟନ ପ୍ରକ୍ରିୟାରେ ସଫଳ ହେବା ପରେ ୧୪ ଏକର ପରିମିତ ପଞ୍ଚାୟତ ପୋଖରୀକୁ ୩ ବର୍ଷ ପାଇଁ ଲିଜ୍‌ ସୂତ୍ରରେ ନେଇ ମାଛଚାଷ ଆରମ୍ଭ କଲେ। ବ୍ୟବସାୟିକ ଭିତ୍ତିରେ ମାଛଚାଷ ପାଇଁ ତାଲିମ ନେବା ସହ ମିଶନ ଶକ୍ତି ସହାୟତାରେ ୩ ଲକ୍ଷ ଟଙ୍କା ବ୍ୟାଙ୍କ ଋଣ ନେଇ ୩ କ୍ୱିଣ୍ଟାଲ୍‌ର ମାଛ ଯାଆଁଳ ଛାଡ଼ିଥିଲେ। ମିଶନ ଶକ୍ତି ଜୀବିକା ସଂଯୋଜନା କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଏସ୍‌ଏଚ୍‌ଜି ମତ୍ସ୍ୟ ନିର୍ଦେଶାଳୟ ତରଫରୁ ୩.୬ ଲକ୍ଷ ଟଙ୍କାର ଇନ୍‌ପୁଟ୍‌ ସବ୍‌ସିଡି ପାଇପାରିଛନ୍ତି। କୋଭିଡ୍‌୧୯ ଲକ୍‌ଡାଉନ୍‌ ସମୟରେ ୧.୫ ଲକ୍ଷ ଟଙ୍କା ମୂଲ୍ୟର ପ୍ରାୟ ୧୦ କ୍ୱିଣ୍ଟାଲ୍‌ ମାଛ ଉତ୍ପାଦନ କରି ସ୍ଥାନୀୟ ବଜାରରେ ବିକି୍ର କରିଛନ୍ତି। ଏ ପର୍ଯ୍ୟନ୍ତ ପ୍ରାୟ ୨.୧ ଲକ୍ଷ ଟଙ୍କାର ଲାଭ ପାଇଥିବା ଏହି ମହିଳାମାନେ ଶେଷ ଅମଳ ବେଳକୁ ଆଖିଦୃଶିଆ ଲାଭ ପାଇବେ ବୋଲି ଆଶା ରଖିଛନ୍ତି। କେଦାରଗୌରୀ ଏସ୍‌ଏଚ୍‌ଜିର ସଭାପତି ଶ୍ରୀମତୀ କମଳି ଭୋଇ କୁହନ୍ତି, ‘ଆମର ନିୟମିତ ଘର ଖର୍ଚ୍ଚ ପାଇଁ ଯଥେଷ୍ଟ ଆର୍ଥିକ ସହଯୋଗ କରିପାରିଥିବାରୁ ଆମେ ବହୁତ ଖୁସି । ଆମ ପାଇଁ ମାଛଚାଷ କେବଳ ଜୀବିକା ନୁହେଁ। ଏହା ଆମକୁ ସାମାଜିକ ପରିଚୟ, ପ୍ରତିଷ୍ଠା ଏବଂ ଆତ୍ମବିଶ୍ୱାସ ଆଣିଦେଇଛି। ଓଡ଼ିଶାର ମହିଳାମାନଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିବାରୁ ମିଶନ ଶକ୍ତି ନିକଟରେ ଆମେ କୃତଜ୍ଞ। ଜୀବିକା ପ୍ରୋତ୍ସାହନ କାର୍ଯ୍ୟକ୍ରମ ମାଧ୍ୟମରେ ମିଶନ ଶକ୍ତି ମହିଳା ଏସ୍‌ଏଚ୍‌ଜିମାନଙ୍କ ଦ୍ୱାରା ମାଛଚାଷ ମହିଳାମାନଙ୍କ ସଶକ୍ତିକରଣ ସହିତ ରୂପାନ୍ତରିତ ଓଡ଼ିଶାର ଭିତ୍ତିସ୍ତମ୍ଭକୁ ସୁଦୃଢ଼ କରିପାରିଛି। ନିଜ ପରିବାର, ଗୋଷ୍ଠୀ ଏବଂ ରାଜ୍ୟର ବିକାଶରେ ମହିଳାମାନଙ୍କ ସହଭାଗିତାକୁ ହୃଦୟଙ୍ଗମ କରି ରାଜ୍ୟ ସରକାର ମହିଳାଭିମୁଖୀ ଯୋଜନା ଓ କାର୍ଯ୍ୟକ୍ରମକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରିଆସୁଛନ୍ତି। ବିଭିନ୍ନ ଜୀବିକା କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ନିୟୋଜିତ କରି ସେମାନଙ୍କର ଦକ୍ଷତାବୃଦ୍ଧି କରିବା ସହ ଆର୍ଥିକ ଏବଂ ବଜାର ସହାୟତା ଯୋଗାଇଦେବା ନିମନ୍ତେ ମିଶନ ଶକ୍ତି ନିରନ୍ତର ପ୍ରୋତ୍ସାହିତ କରିଆସୁଛି। ବର୍ତ୍ତମାନ ରାଜ୍ୟରେ ୬ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀରେ ୭୦ ଲକ୍ଷ ମହିଳା ସଦସ୍ୟା ବିଭିନ୍ନ ଅର୍ଥନୈତିକ କାର୍ଯ୍ୟକ୍ରମରେ ନିୟୋଜିତ ଅଛନ୍ତି।
ରାଜ୍ୟ ସରକାରଙ୍କର ଦ୍ୱାରା ୨୯ ମଇ, ୨୦୧୯ରେ ଅନୁଷ୍ଠିତ ପ୍ରଥମ କ୍ୟାବିନେଟ୍‌ ବୈଠକରେ ବିଭିନ୍ନ ସେବା ପ୍ରଦାନ ତଥା ସରକାରୀ ବିଭାଗଗୁଡ଼ିକର ସାମଗ୍ରୀ ସଂଗ୍ରହ କାର୍ଯ୍ୟକ୍ରମରେ ମିଶନ ଶକ୍ତି ଏସ୍‌ଏଚ୍‌ଜିମାନଙ୍କୁ ନିୟୋଜିତ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହା ଦ୍ୱାରା ବିଭିନ୍ନ ବିଭାଗ ସହ ସଂଯୋଜନାରେ ସରକାରୀ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ଲକ୍ଷ ଲକ୍ଷ ମହିଳାଙ୍କୁ ମିଶନ ଶକ୍ତି ଗୋଷ୍ଠୀ ମାଧ୍ୟମରେ ସାମିଲ କରି ଅତିରକ୍ତ ଏବଂ ଦୀର୍ଘସ୍ଥାୟୀ ଜୀବିକା ସୁଯୋଗ ପ୍ରଦାନ କରିବାର ଲକ୍ଷ୍ୟ ରହିଛି। ଏହି ନିଷ୍ପତ୍ତି ଫଳରେ ପ୍ରତି ବର୍ଷ ଏସ୍‌ଏଚ୍‌ଜିମାନଙ୍କୁ ପ୍ରାୟ ୧ ହଜାର କୋଟି ଟଙ୍କା ମୂଲ୍ୟର ବ୍ୟବସାୟ ଯୋଗାଇ ଦିଆଯିବାର ନିଷ୍ପତ୍ତି ହୋଇଛି। ମତ୍ସ୍ୟ ନିର୍ଦ୍ଦେଶାଳୟର ସହଯୋଗରେ ଗ୍ରାମପଞ୍ଚାୟତ ପୋଖରୀରେ ଏସ୍‌ଏଚ୍‌ଜିମାନଙ୍କ ଦ୍ୱାରା ମାଛଚାଷ ଏକ ପ୍ରମୁଖ କାର୍ଯ୍ୟକ୍ରମ ହୋଇପାରିଛି। ଆନୁଷଙ୍ଗିକ କୃଷି ଭାବେ ମାଛଚାଷ ଏକ ସଫଳ କାର୍ଯ୍ୟକ୍ରମ ଯାହାଦ୍ୱାରା ସ୍ୱଳ୍ପ ଖର୍ଚ୍ଚରେ ଲୋକମାନଙ୍କୁ ପୁଷ୍ଟିସାଧନ ସୁରକ୍ଷା ସହିତ ପ୍ରୋଟିନ୍‌, ଭିଟାମିନ୍‌, ଖଣିଜ ଲବଣ ଆଦିର ଅତିରିକ୍ତ ପୁଷ୍ଟି ମିଳିପାରୁଛି। ରାଜ୍ୟରେ ଗ୍ରାମପଞ୍ଚାୟତଗୁଡ଼ିକ ଦ୍ୱାରା ପ୍ରାୟ ୫୧ ହଜାର ହେକଫର ପରିମିତ ଜଳଉତ୍ସରେ ୬୪ ହଜାର ପଞ୍ଚାୟତ ପୋଖରୀର ପରିଚାଳନା କରାଯାଉଅଛି। ଏହି ପୋଖରୀଗୁଡ଼ିକୁ ପଞ୍ଚାୟତର ରାଜସ୍ୱ ବୃଦ୍ଧି ପାଇଁ ବାର୍ଷିକ ଲିଜ୍‌ ଆକାରରେ ମାଛଚାଷ ପାଇଁ ଦିଆଯାଉଅଛି। ଏହି ପରିପ୍ରେକ୍ଷୀରେ ୨୦୧୮ ମସିହାରେ ମତ୍ସ୍ୟ ଓ
ପ୍ରାଣୀସଂପଦ ବିଭାଗ ଓ ମିଶନ ଶକ୍ତି ନିର୍ଦ୍ଦେଶାଳୟ ସହଭାଗିତାରେ ‘ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ‘ପଞ୍ଚାୟତ ପୋଖରୀରେ ମାଛ ଚାଷ’ ନାମକ ଏକ ମହତ୍ତ୍ୱାକାଂକ୍ଷୀ ଯୋଜନା ଆରମ୍ଭ କରିଅଛନ୍ତି।
ଏହି ଯୋଜନାରେ ମିଶନ ଶକ୍ତି ଏସ୍‌ଏଚ୍‌ଜିମାନଙ୍କୁ ୩ରୁ ୫ ବର୍ଷ ପର୍ଯ୍ୟନ୍ତ ଦୀର୍ଘମିଆଦୀ ସୂତ୍ରରେ ଅଗ୍ରାଧିକାର ଭିତ୍ତିରେ ଗ୍ରାମପଞ୍ଚାୟତ ପୋଖରୀଗୁଡ଼ିକୁ ଲିଜ୍‌ ଆକାରରେ ପ୍ରଦାନ କରାଯାଉଅଛି। ଲିଜ୍‌ ଚୂଡ଼ାନ୍ତ ହେବା ପରେ ପ୍ରତ୍ୟେକ ଏସ୍‌ଏଚ୍‌ଜି ଲିଜ୍‌ ମୂଲ୍ୟ ବାବଦକୁ ପ୍ରତି ବର୍ଷ ଏକର ପିଛା ୨୦୦୦ ଟଙ୍କା ଜମା କରୁଅଛନ୍ତି। ପ୍ରତ୍ୟେକ ମାସରେ ବ୍ଲକ୍‌ ଏବଂ ଜିଲ୍ଲାସ୍ତରୀୟ ମତ୍ସ୍ୟ ଅଧିକାରୀମାନେ ମହିଳା ଗୋଷ୍ଠୀମାନଙ୍କୁ
ବୈଷୟିକ ସହାୟତା ଯୋଗାଇ ଦେଉଛନ୍ତି। ଏହି ଯୋଜନାରେ ମିଶନ ଶକ୍ତି ଗୋଷ୍ଠୀମାନଙ୍କୁ ହେକଫର ପିଛା ୯୦ ହଜାର ଟଙ୍କାର ଆର୍ଥିକ ସହାୟତା ମିଳୁଅଛି ଯାହାକି ମାଛ ଉତ୍ପାଦନ ଖର୍ଚ୍ଚର ୬୦ ପ୍ରତିଶତ ଅର୍ଥ ଅଟେ।
ଯୋଜନାର ସଫଳ ରୂପାୟନ ପାଇଁ ମିଶନ ଶକ୍ତି ଗୋଷ୍ଠୀମାନଙ୍କ ନିମନ୍ତେ ନିୟମିତ ତାଲିମ ପ୍ରଦାନ ଏବଂ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ୩୦ଟି ଜିଲ୍ଲାରେ ଟ୍ରେନରମାନଙ୍କ ପାଇଁ ଟ୍ରେନିଂ କାର୍ଯ୍ୟକ୍ରମ କରାଯିବା ସହ ସେମାନଙ୍କ ମଧ୍ୟରୁ ୧୨୯୬ ଜଣ ଏସ୍‌ଏଚ୍‌ଜି ସଦସ୍ୟାଙ୍କୁ ମାଷ୍ଟର ଟ୍ରେନର ଭାବେ ମନୋନୟନ କରାଯାଇଛି, ଯେଉଁମାନେ କି ମାଛଚାଷରେ ସଂପୃକ୍ତ ଗୋଷ୍ଠୀମାନଙ୍କୁ ବ୍ଲକ୍‌ସ୍ତରରେ ତାଲିମ ପ୍ରଦାନ କରୁଛନ୍ତି। ପୋଖରୀ ପ୍ରସ୍ତୁତି, ମାଛ ବିହନ ଚୟନ, ପରିବହନ ଏବଂ ଯାଁଳ ଛାଡ଼ିବା, ମାଛ ଖାଦ୍ୟ ପରିଚାଳନା, ଜଳର ମାନ ପରିଚାଳନା, ମାଛର ସ୍ୱାସ୍ଥ୍ୟ ବୃଦ୍ଧି, ଅମଳ, ଅମଳ ପରିବର୍ତ୍ତୀ ପରିଚାଳନା ଏବଂ ବ୍ୟବସାୟ ସଂପର୍କରେ ବିଶେଷ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି।
୨୦୧୮-୧୯ ଏବଂ ୨୦୧୯-୨୦ ଆର୍ଥିକ ବର୍ଷରେ ୩୫୭୯.୪୨ ହେକଫର ପରିମିତ ୪୪୦୧ଟି ପଞ୍ଚାୟତ ପୋଖରୀକୁ ମିଶନ ଶକ୍ତି ମହିଳା ଗୋଷ୍ଠୀମାନଙ୍କୁ ମାଛଚାଷ ପାଇଁ ଲିଜ୍‌ ସୂତ୍ରରେ ପ୍ରଦାନ କରାଯାଇଛି। ୪୦୩୮ଟି ପଞ୍ଚାୟତ ପୋଖରୀରେ ଏ ପର୍ଯ୍ୟନ୍ତ ପ୍ରାୟ ୮୩ କୋଟି ଟଙ୍କାର ମାଛ ଉତ୍ପାଦନ ହୋଇଛି। ନିଜ ଘରପାଖରେ ବଜାର ସୁବିଧା ଫଳରେ ଏହି ଜୀବିକା କାର୍ଯ୍ୟକ୍ରମ ବେଶ୍‌ ସଫଳ ହେବା ସହ ରାଜ୍ୟର ମହିଳା ଏବଂ ଶିଶୁମାନଙ୍କ ପରିପୂରକ ପୁଷ୍ଟିସାଧନକୁ ଅନେକାଂଶରେ ସୁନିଶ୍ଚିତ କରିପାରିଛି।
୨୦୧୯-୨୦ ଆର୍ଥିକ ବର୍ଷରେ ୨୪୦୦ ମିଶନ ଶକ୍ତି ଗୋଷ୍ଠୀ ୨୩୪୪ଟି ପଞ୍ଚାୟତ ପୋଖରୀରେ ଉନ୍ନତ ମାଛ ଚାଷ କରି ଲାଭବାନ ହୋଇପାରିଛନ୍ତି। ଲକ୍‌ଡାଉନ୍‌ ସମୟରେ ୪୩୫୫ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରାୟ ୨୧ ହଜାର କ୍ୱିଣ୍ଟାଲ ମାଛ ଉତ୍ପାଦନ କରିଛନ୍ତି ଯାହାର ବଜାର ମୂଲ୍ୟ ୩୦.୨ କୋଟି ଟଙ୍କା ଏବଂ ଏଥିରୁ ସେମାନେ ୧୫.୧ କୋଟି ଟଙ୍କାର ଲାଭ ପାଇ ପାରିଛନ୍ତି। ଉଭୟ ସହର ଏବଂ ଗ୍ରାମାଞ୍ଚଳର ମହିଳାମାନଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଅର୍ଥ ଉପାର୍ଜନର ପନ୍ଥା ଅବଲମ୍ବନ କରି ଆତ୍ମନିର୍ଭରଶୀଳ ହେବା ସହ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ମାଧ୍ୟମରେ ଏକ ଗଠନମୂଳକ ସମାଜ ପ୍ରତିଷ୍ଠା ଦିଗରେ ମିଶନ ଶକ୍ତି ଇତି ମଧ୍ୟରେ ଦୀର୍ଘପଥ ଅତିକ୍ରମ କରିଛି। ଅନୁକୂଳ ବାତାବରଣ, ସୁହାଇବା ପରି ଯୋଜନା ପ୍ରସ୍ତୁତି ଏବଂ ପ୍ରଶାସନିକ ସହାୟତା ମାଧ୍ୟମରେ ମହିଳା ଓ ଶକ୍ତିକରଣ ଦିଗରେ ଓଡ଼ିଶା ଏକ ନୂତନ ଶିଖର ଛୁଇଁବାକୁ ଯାଉଛି।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories