ଆଜିଠୁ କୋଣାର୍କରେ ଖଣି ମନ୍ତ୍ରୀଙ୍କ ଦୁଇ ଦିନିଆ ସମ୍ମିଳନୀ

ଭୁବନେଶ୍ବର : ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଓଡ଼ିଶା। ଏଠାରେ ଲୁହାପଥରଠାରୁ ଆରମ୍ଭ କରି ଗ୍ରାଫାଇଟ ଏବଂ ମାଙ୍ଗାନିଜ ପର୍ଯ୍ୟନ୍ତ ବହୁ ମୂଲ୍ୟବାନ ଖଣି ରହିଛି। ରାଜ୍ୟର ଖଣିଜ ସମ୍ପଦ ତାଲିକାରେ ପୁଣି ଏକ ମୂଲ୍ୟବାନ ଖଣିଜ ପଦାର୍ଥ ଯୋଡ଼ି ହେବାକୁ ଯାଉଛି। ଖଣି ଓ ଶିଳ୍ପବିହୀନ ନୟାଗଡ଼ ଜିଲାର ମାଟି ତଳେ ଲିଥିୟମ ଭଳି ମୂଲ୍ୟବାନ ଖଣିଜ ସମ୍ପଦର ସନ୍ଧାନ ମିଳିଛି, ଏଥିସହିତ କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଜଲଦିହା ଗାଁରେ ସୁନା ଖଣି ସନ୍ଧାନ ମିଳିଥିବା ଭାରତୀୟ ଭୂତତ୍ତ୍ବ ସର୍ବେକ୍ଷଣ ପକ୍ଷରୁ ସୂଚନା ମିଳିଛି। କେନ୍ଦ୍ରୀୟ ଭୂତତ୍ତ୍ବ ପ୍ରୋଗ୍ରାମିଂ ବୋର୍ଡ ର ୬୪ତମ ବୈଠକ ଲୋକସେବା ଭବନସ୍ଥିତ ରାଜ୍ୟ ସମ୍ମିଳନୀ କେନ୍ଦ୍ରରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଖଣି ସଚିବ ତଥା ସିଜିପିବିର ଅଧ୍ୟକ୍ଷ ଭି.ଏଲ୍. କାନ୍ତାରାଓ ଅଧ୍ୟକ୍ଷତା କରିଥିବା ବେଳେ ଜିଏସ୍ଇର ମହାନିର୍ଦେଶକ ଅସିତ ସାହା, ଜିଏସଆଇ ଉପମହାନିର୍ଦେଶକ ପଙ୍କଜ କୁମାର ଓ ଖଣି ମନ୍ତ୍ରଣାଳୟର ଅତିରିକ୍ତ ସଚିବ ସଞ୍ଜୟ ଲୋହିଆ ପ୍ରମୁଖ ଉପସ୍ଥିତ ଥିଲେ। ଖଣି ସଚିବ ଶ୍ରୀ କାନ୍ତାରାଓ କହିଥିଲେ, ଅନୁସନ୍ଧାନ, ଗବେଷଣା ଏବଂ ଖଣି କ୍ଷେତ୍ରର ପ୍ରମୁଖ ଅଂଶୀଦାରଙ୍କୁ ଏକାଠି କରି ଭୂବିଜ୍ଞାନର ଅଗ୍ରଗତି, ଖଣିଜ ଅନୁସନ୍ଧାନ ରଣନୀତି ଉପରେ ଆଲୋଚନା ସହ ଖଣିଜ ସମ୍ପଦ ବୃଦ୍ଧି, ସ୍ବଚ୍ଛ ଶକ୍ତି ପଦକ୍ଷେପ, ଭୂ-ବିପର୍ଯ୍ୟୟ ପରିଚାଳନା ଏବଂ ନିରନ୍ତର ବିକାଶ ଉପରେ ଗୁରୁତ୍ବ ଦିଆଯାଉଛି। ୨୦୨୫-୨୬ବର୍ଷ ପାଇଁ ଜିଏସଆଇ ପ୍ରାୟ ୧୦୬୫ଟି ବୈଜ୍ଞାନିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି। ଯେଉଁଥିରେ ୪୦୨ଟି ଖଣିଜ ବିକାଶ ପ୍ରକଳ୍ପ ଯଥା: ଜି୨, ଜି୨ ଏ୩, ଏ୪ ଏବଂ ଅଫସୋର ଅନୁସନ୍ଧାନ ଅନ୍ତର୍ଭୁକ୍ତ। ନିକଟ ଭବିଷ୍ୟତରେ ନିଲାମଯୋଗ୍ୟ ଖଣିଜ ବ୍ଲକ ସୃଷ୍ଟି କରିବାର କ୍ଷମତା ରଖିଛି। ୧୬୭ ଖଣିଜ ଆବିଷ୍କାର ପ୍ରକଳ୍ପ ଯଥା: ଆରଏମଟି, ଗବେଷଣା ପ୍ରକଳ୍ପ, ସି-ଏମଏପି, ଜିଟି, ଏମପିଏ, ମଲ୍ଟିସ୍ପେକ୍ଟରାଲା ହାଇପରସେକ୍ଟରାଲ୍ ପ୍ରକଳ୍ପ ଜି-୪ ପର୍ଯ୍ୟାୟରେ ଅନୁସନ୍ଧାନର ସମ୍ଭାବନା ରହିଛି। ଶ୍ରୀ ରାଓ କହିଥିଲେ, ୨୦୨୪-୨୫ ବର୍ଷରେ ଏପର୍ଯ୍ୟନ୍ତ ୨୪ଟି ଗୁରୁତ୍ବପୂର୍ଣ୍ଣ ଖଣିଜ ବ୍ଲକର ସଫଳ ନିଲାମ ହୋଇଥିବାବେଳେ ଆଗକୁ ୧୩ଟି ବିଦେଶୀ ଖଣିଜ ବ୍ଲକର ଭାରତର ପ୍ରଥମ ନିଲାମ କରାଯିବ।ପ୍ରାକୃତିକ ସମ୍ପଦ ଖୋଜିବା ପାଇଁ ବ୍ୟବହୃତ ହେଉଛି ନୂଆ ବୈଷୟିକ ଜ୍ଞାନକୌଶଳ। ଦେଶର ରାଜସ୍ଥାନ ଏବଂ ଓଡ଼ିଶାର ମୟୂରଭଞ୍ଜ ଜିଲାରେ ପାଇଲଟ ପ୍ରକଳ୍ପ ଆରମ୍ଭ ହୋଇଛି। ଡ୍ରୋନ ଜରିଆରେ ଖଣିଜ ଖୋଜିବାକୁ ଏହି ଅଭିଯାନ ଆରମ୍ଭ କରାଯାଇଛି। ଦକ୍ଷିଣ ଓଡ଼ିଶାର କନ୍ଧମାଳ ଏବଂ ମାଲକାନଗିରି ଜିଲାରେ ଖଣିଜ ସର୍ଭେକୁ ଜୋରଦାର କରାଯିବ। ଆଜିଠୁ କୋଣାର୍କରେ ଖଣି ମନ୍ତ୍ରୀଙ୍କ ଦୁଇ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ କେନ୍ଦ୍ର ଖଣି ମନ୍ତ୍ରୀ ଜି.କିଷନ ରେଡ୍ଡୀଙ୍କ ସମେତ ସବୁ ରାଜ୍ୟର ବିଭାଗୀୟ ମନ୍ତ୍ରୀମାନେ ସାମିଲ ହେବେ।

Comments are closed.