ବଲାଙ୍ଗିର : କରୋନା ଭୟ ପାଇଁ ଭିଟାମାଟିକୁ ଫେରିଥିଲେ। କଷ୍ଟେମଷ୍ଟେ ୨ ବର୍ଷ ଗାଁରେ ବିତେଇ ଦେଲେ। କିଛି କିଛି ଶ୍ରମିକ ଗାଡିରେ ବୁହା ହୋଇ କାମ ପାଇଁ ରାଜ୍ୟ ବାହାରକୁ ଚାଲିଗଲେ। ହେଲେ ସର୍ବାଧିକ ଶ୍ରମିକ ରହିଗଲେ ଗାଁରେ। ଚାଷ କରି କିଛି କମେଇବା ଆଶାରେ ଅପେକ୍ଷା କଲେ। ଆଷାଢ, ଶ୍ରାବଣ ଯାଇ ଭାଦ୍ରବ ହେଲାଣି। ବର୍ଷା ନାହିଁ, ଚାଷ ଜମିରେ ପାଣି ନାହିଁ। ତଳି ପକା, ରୁଆ ବିହୁଡ଼ା ମାଡ ଖାଇ ଗଲାଣି। ମୁଣ୍ଡ ଉପରେ ମରୁଡ଼ି ଝୁଲିଲାଣି। କିଛି ଦିନ ପରେ ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୂଆଁଖାଇ। ହାତରେ ଟଙ୍କା ନାହିଁ। ପାର୍ବଣ ଓ ପରମ୍ପରାକୁ କେମିତି ଅଟକାଇ ଦେବେ! ଏହାର ସୁଯୋଗ ନେଉଛନ୍ତି ଗାଁ ଦଲାଲ ଓ ତେଲେଙ୍ଗାନା ତଥା ଆନ୍ଧ୍ରରୁ ଆସିଥିବା ସର୍ଦ୍ଦାର। ଇଟା ଗଢିବା ପାଇଁ ଅଗ୍ରିମ ଦେବାକୁ ଗାଁ ଗାଁ ପଇଁତରା ମାରୁଥିବା ବେଳେ ଲୋକେ ମୋଟା ଅଙ୍କର ଟଙ୍କା ଲୋଭରେ ଦାଦନ ଯିବାକୁ ପ୍ରସ୍ତୁତ ହେଲେଣି। ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଦାଦନ ଶ୍ରମିକ ଚାଲାଣ ୨ ଗୁଣ ହେବ ବୋଲି ଆକଳନ କଲେଣି ସାମାଜିକ କର୍ମୀ।
ପ୍ରଥମ ପର୍ଯ୍ୟାୟ କରୋନା ସମୟରେ ବଲାଙ୍ଗିର ଜିଲାକୁ ସରକାରୀ ଭାବେ ୧ଲକ୍ଷ ୪୪ହଜାର ଶ୍ରମିକ ଫେରିଥିବା ପଞ୍ଜିକୃତ ହୋଇଥିଲେ; କିନ୍ତୁ ଏହି ସଂଖ୍ୟା ପ୍ରାୟ ୨ ଲକ୍ଷ ହେବ ବୋଲି କହନ୍ତି ସାମାଜିକ କର୍ମୀ ା ବିଶେଷ କରି ଇଟା ଗଢିବା ପାଇଁ ଏଠାରୁ ଲକ୍ଷାଧିକ ଶ୍ରମିକ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶକୁ ଚାଲାଣ ହୁଅନ୍ତି। ଏଥର ମରୁଡି ମାଡରେ ଚିନ୍ତିତ ଚାଷୀ ଆଗୁଆ ଟଙ୍କା ନେଇ ଦାଦନ ଯିବା ପାଇଁ ଏକପ୍ରକାର ପ୍ରସ୍ତୁତ ହୋଇ ସାରିଲେଣି। ମୁଣ୍ଡ ପିଛା ହଜାରେ କି ୨ ହଜାର ନୁହେଁ, ପୂରା ୨୫ରୁ ୩୦ ହଜାର ଟଙ୍କା ଅଗ୍ରିମ। ଏବେ ଗାଁ ଗାଁରେ ଦଲାଲଙ୍କ ଜରିଆରେ ଶ୍ରମିକ ଯୋଗାଡ ଆରମ୍ଭ ହେଲାଣି। ସର୍ଦ୍ଦାରମାନେ ଡେରା ପକାଇଲେଣି କଣ୍ଟାବାଞ୍ଜି, ବେଲପଡ଼ା ଅଞ୍ଚଳରେ। ଜିଲାର ବେଲପଡ଼ା, ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ, ପାଟଣାଗଡ, ଖପ୍ରାଖୋଲ, ଟିଟିଲାଗଡ ସହ ଦେଓଗାଁ ଓ ସଇଁନ୍ତଲାର ରାଜ୍ୟ ବାହାରକୁ କାମ କରିବା ପାଇଁ ପଞ୍ଜିକୃତ ହୋଇଥିଲେ ମାତ୍ର ୧୧ହଜାର ୮୭୯ଜଣ ଶ୍ରମିକ। କିନ୍ତୁ କରୋନା କାଳରେ ଫେରିଥିବା ଶ୍ରମିକଙ୍କ ସଂଖ୍ୟା ଆକଳନ କଲା ବେଳକୁ ପଞ୍ଜିକୃତଙ୍କ ସଂଖ୍ୟା ନଗଣ୍ୟ। ଏପରିକି ପ୍ରଶାସନ କରୋନା କାଳରେ ଫେରନ୍ତା ଶ୍ରମିକଙ୍କ ସଂଖ୍ୟା କହିବାକୁ ପଛଘୁଞ୍ଚା ଦେଇଥିଲା।
ପ୍ରେତ୍ୟକ ବର୍ଷ ବଲାଙ୍ଗିର ଜିଲାରୁ ନିମ୍ନ ଓ ମଧ୍ୟବିତ୍ତି ପରିବାରର ଲୋକ ଯାଆନ୍ତି ଇଟା ଗଢିବାକୁ। ନୂଆଁଖାଇ ପୂର୍ବରୁ ବଇନା ନିଅନ୍ତି ଓ ଦୁର୍ଗା ପୂଜା ବେଳକୁ ଧାନ ଅମଳ କରି ଦାଦନ ଖଟିବାକୁ ଯାଆନ୍ତି। ଏଥର ମରୁଡି ସ୍ଥିତି ଯୋଗୁଁ ଚିରାଚରିତ ଭାବେ ଯାଉଥିବା ଶ୍ରମିକଙ୍କ ଠାରୁ ୨୦ରୁ ୨୫ ପ୍ରତିଶତ ଅଧିକ ଲୋକ ଦାଦନ ଖଟିବାକୁ ଯିବେ ବୋଲି ଆକଳନ ହେଉଛି। ଚାଷୀ ରେଚକ ବନଛୋର ଆତ୍ମହତ୍ୟା ଏହାର ସଦ୍ୟ ଉଦାହରଣ। ସେ ଭାଗ ଚାଷୀ ହୋଇଥିବା ବେଳେ ଧାର କରଜ କରି କପା ଚାଷ କରିଥିଲେ। ୬ ମାସ ପରିବାର ସହ ଦାଦନ ଖଟିବାକୁ ଯାଆନ୍ତି ତାଙ୍କ ପରିବାର। ନଭେମ୍ବର, ଡିସେମ୍ବର ମାସରେ ରାଜ୍ୟ ବାହାରକୁ ଯାଇ ସେମାନେ ମେ ନହେଲେ ଜୁନ୍ରେ ଫେରନ୍ତି। ଏଥର କମ୍ ବର୍ଷା ହୋଇଛି। ଦାଦନ ସଂଖ୍ୟା ବୃଦ୍ଧି ସୁନିଶ୍ଚିତ ହୋଇ ସାରିଲାଣି।
ଦାଦନ ସନ୍ଦର୍ଭରେ କାମ କରୁଥିବା ସାମାଜିକ କର୍ମୀ ସଞ୍ଜୟ ମିଶ୍ର କହନ୍ତି ଯେ, ମନରେଗା ଗୁରୁତର ଭାବେ ପ୍ରଭାବିତ ହୋଇଛି ଜିଲାରେ। ଶ୍ରମିକ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। କଣ୍ଟାବାଞ୍ଜିରେ ପଞ୍ଜୀକରଣ ପାଇଁ କାର୍ଯ୍ୟାଳୟ ଖୋଲିଥିଲା ଶ୍ରମ ବିଭାଗ ପକ୍ଷରୁ। ଏବେ ପାଟଣାଗଡ, ଟିଟିଲାଗଡ ଅତିରିକ୍ତ ଶ୍ରମ କାର୍ଯ୍ୟାଳୟ ଖୋଲିବାର ସମ୍ଭାବନା ରହିଛି। ତେବେ ଦାଦନଙ୍କ ପାଇଁ ସରକାରୀ ଆଗ୍ରହ ନାହିଁ। ଶ୍ରମିକ ବହୁଳ ଜିଲା ବଲାଙ୍ଗିରରେ ଜିଲା ଶ୍ରମ ଅଧିକାରୀ ନାହାନ୍ତି। ଶ୍ରମ ଆୟୁକ୍ତ(ଡିଏଲ୍ସି) ଅଛନ୍ତି। ଶ୍ରମିକ କାର୍ଡ ପ୍ରସ୍ତୁତି ଧିମେଇ ଯାଇଛି। ଋତୁକାଳୀନ କେନ୍ଦ୍ର ୨ ବର୍ଷ ହେଲା ଖୋଲି ନାହାନ୍ତି। ଯଦି ଦାଦନଙ୍କ ପାଇଁ ଟିକିଏ ବି ଚିନ୍ତା ଅଛି ତା’ହେଲେ ରାଜ୍ୟ ସରକାର ମନରେଗା କାମକୁ ଗୁରୁତ୍ୱ ଦିଅନ୍ତୁ ଓ ଶ୍ରମିକ ଉପଯୋଗୀ କରାଯାଉ। ୭ ଦିନରେ ମଜୁରି ପାଇବା ନିଶ୍ଚିତ କରାଯାଉ। କର୍ତ୍ତବ୍ୟରେ ଅବହେଳା କରୁଥିବା କର୍ମଚାରୀଙ୍କୁ ଦଣ୍ଡ ବିଧାନ କରାଯାଉ। ପଞ୍ଚାୟତ ସ୍ତରରେ ଦାଦନ ଶ୍ରମିକ ପଞ୍ଜୀକରଣ ବ୍ୟବସ୍ଥା କରାଯାଉ। ଦାଦନ ଯାଉଥିବା ବାପା-ମାଙ୍କ ଶିଶୁ ମାନଙ୍କ ପାଇଁ ଋତୁକାଳୀନ ଆବାସିକ କେନ୍ଦ୍ରର ପୁନଃ ପ୍ରଚଳନ କରାଯାଉ। ସରକାରଙ୍କ ପକ୍ଷରୁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସ୍ୱଳ୍ପକାଳୀନ ଋଣ ଦିଆଯାଉ ବୋଲି କହିଛନ୍ତି ଶ୍ରୀ ମିଶ୍ର।
ମୁଣ୍ଡ ଉପରେ ମରୁଡ଼ି, ଦାଦନ ଯିବାକୁ ସଜବାଜ
Popular Categories



